୮ମ ଥର ପାଇଁ ଭାରତର ଏସିଆ ଦଖଲ, ସିରାଜ ଶ୍ରେଷ୍ଠ

ଭାରତ ପ୍ରଥମଥର ପାଇଁ ୧୯୮୪ରେ ଏସିଆ କପ ଜିତିଥିଲା। ଏହାପରେ ୧୯୮୮, ୧୯୯୦,୧୯୯୫, ୨୦୧୦, ୨୦୧୬, ୨୦୧୮ଓ ୨୦୨୩ରେ ଟ୍ରଫି ହାତେଇଛି।

କଲମ୍ବୋ: ଶ୍ରୀଲଙ୍କାକୁ ଏସିଆ କପ ଫାଇନାଲରେ ହରାଇ ୮ମ ଥର ପାଇଁ ଚାମ୍ପିୟନ ହୋଇଛି ଟିମ ଇଣ୍ଡିଆ। ମହମ୍ମଦ ସିରାଜଙ୍କ ୬ ୱିକେଟ ସଫଳତା ବଳରେ ଭାରତୀୟ ଟିମ ଘରୋଇ ଶ୍ରୀଲଙ୍କାକୁ ଏକ ତରଫା ଭାବେ ୧୦ ୱିକେଟରେ ହରାଇ ଦେଇଛି।

ସିରାଜ ଓ ହାର୍ଦ୍ଦିକ ପାଣ୍ଡ୍ୟ(୩ ୱିକେଟ)ଙ୍କ ଘାତକ ବୋଲିଂକୁ ସାମ୍ନା ନ କରି ପାରି ଶ୍ରୀଲଙ୍କା ମାତ୍ର ୧୫.୨ ଓଭର୍‌ରେ ସମସ୍ତ ୱିକେଟ ହରାଇ ୫୦ ରନ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଭାରତ ବିନା କୌଣସି ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ୨୬୩ ବଲ ପୂର୍ବରୁ ହାସଲ କରି ନେଇଛି। ଏହା କୌଣସି ଦିନିକିଆ ଫାଇନାଲରେ ଭାରତର ସବୁଠାରୁ ବଡ଼ ବିଜୟ। ପୂର୍ବରୁ ଦଳ କେବେ ହେଲେ ଏତେ ବଲ ବ୍ୟବଧାନରେ ଜିତି ନଥିଲା। 

ପୂର୍ବରୁ ୨୦୦୩ରେ ଦଳ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀରେ ଖେଳା ଯାଇଥିବା ଫାଇନାଲରେ ୨୨୬ ବଲ ଓ ୧୯୯୯ରେ ପାକିସ୍ତାନ ବିପକ୍ଷରେ ୧୭୯ ବଲ ପୂର୍ବରୁ ବିଜୟ ବାନା ଉଡ଼ାଇଥିଲା।  

ଟାର୍ଗେଟ ଅତ୍ୟନ୍ତ ଛୋଟ ଥିବାରୁ ଆଜି ଶୁବମନ ଗିଲଙ୍କ ସହ ଈଶାନ କିଶନ ଓପନିଂ କରିଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ୬.୧ ଓଭର୍‌ରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲେ।

୫୦ ଓଭର ବିଶିଷ୍ଟ ମ୍ୟାଚ୍‌ ହୋଇଥିଲେ ମଧ୍ୟ ଉଭୟ ଦଳ ମିଳିତ ଭାବେ କେବଳ ୨୨ ଓଭର ଖେଳିଛନ୍ତି। ଈଶାନ କିଶନ ୧୮ ବଲରେ ୨୩ ଓ ଗିଲ ୧୯ ବଲରେ ୨୭ ରନ କରି ଶେଷ ଯାଏ ଅପରାଜିତ ରହିଛନ୍ତି।

ଭାରତ ପ୍ରଥମଥର ପାଇଁ ୧୯୮୪ରେ ଏସିଆ କପ ଜିତିଥିଲା। ଏହାପରେ ୧୯୮୮, ୧୯୯୦,୧୯୯୫, ୨୦୧୦, ୨୦୧୬, ୨୦୧୮ଓ ୨୦୨୩ରେ ଟ୍ରଫି ହାତେଇଛି।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । କିନ୍ତୁ ଶ୍ରୀଲଙ୍କାର ଏହି ନିଷ୍ପତ୍ତିକୁ ଆରମ୍ଭରୁ ହିଁ ଭୁଲ ପ୍ରମାଣିତ କରିଦେଲେ ଭାରତର ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ । ପ୍ରଥମ ଓଭରରେ ହିଁ ବୁମରା ଶ୍ରୀଲଙ୍କାର କୁଶଲ ପରେରାଙ୍କୁ ଆଉଟ କରିଦେଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ସିରାଜଙ୍କ ଅଗ୍ନିବର୍ଷୀ ବୋଲିଂ ।  ସେ ଭାରତର ୪ର୍ଥ ଓ ବ୍ୟକ୍ତିଗତଭାବେ ନିଜର ୨ୟ ଓଭର ବୋଲିଂ କରିବାକୁ ଆସି ଶ୍ରୀଲଙ୍କା ଟିମର ଅଣ୍ଟା ଭାଙ୍ଗିଦେଲେ । ଏହି ଓଭରରେ ସେ ଶ୍ରୀଲଙ୍କାର ୪ ଜଣ ବ୍ୟାଟ୍ସମ୍ୟାନ-ପ୍ରଥୁମ ନିଶଙ୍କା, ସଦିରା ସମରବିକ୍ରମା, ଚରିଥ୍ ଅସଲଙ୍କା ଓ ଧନଞ୍ଜୟ ଡିସିଲଭାଙ୍କୁ ପାଭିଲିୟନ ଫେରାଇଥିଲେ । ସେହିପରି ନିଜର ୩ୟ ଓଭରରେ ସେ ସନକାଙ୍କୁ ବୋଲଡ୍ କରିଦେଇଥିଲେ । ସେତେବେଳେ ଶ୍ରୀଲଙ୍କାର ସ୍କୋର ମାତ୍ର ୧୨ ରନ ଥିଲା ଓ ଦଳ ୬ଟି ଓ୍ବିକେଟ ହରାଇଥିଲା । ପରେ ସିରାଜ  ନିଜର ୬ଷ୍ଠ ଓଭର ବୋଲିଂ କରିବାକୁ ଆସି କୁଶଲ ମେଣ୍ଡିସଙ୍କୁ ଆଉଟ୍ କରିଦେଇଥିଲେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବୋଲିଂ କରିବାକୁ ଆସି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିଥିଲେ । ସେ ମୋଟ ୩ଟି ଓ୍ବିକେଟ ନେଇଥିଲେ ।  ଶ୍ରୀଲଙ୍କା ୧୫.୨ ଓଭରରେ ୫୦ ରନ କରି ଅଲଆଉଟ ହୋଇଯାଇଥିଲା ।

Leave A Reply

Your email address will not be published.