ଶେଷ ହେଲା ୧୯ତମ ଏସୀୟ କ୍ରୀଡା: ୧୦୭ ପଦକ ସହ ଭାରତର ଶ୍ରେଷ୍ଠ ପ୍ରଦର୍ଶନ

୧୦୭ ପଦକ ମଧ୍ୟରେ ରହିଛି ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ।

ନୂଆଦିଲ୍ଲୀ: ଚୀନର ହାଙ୍ଗଝୁଠାରେ ଅନୁଷ୍ଠିତ ୧୯ତମ ଏସୀୟ କ୍ରୀଡ଼ା ଶେଷ ହୋଇଛି । ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୮ରେ ଏହାର ରଙ୍ଗାରଙ୍ଗ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏସୀୟ କ୍ରୀଡ଼ା ଇତିହାସରେ ଏହା ସବୁଠାରୁ ବଡ଼ ଆୟୋଜନ ବୋଲି କୁହାଯାଉଛି । ଏପରିକି ପ୍ରତିଯୋଗିତା ସଂଖ୍ୟା ଓ ଅଂଶଗ୍ରହଣ କରିଥିବା କ୍ରୀଡ଼ାବିତଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ଅଲିମ୍ପିକ୍ସଠାରୁ ବି ବଡ଼ ବୋଲି କୁହାଯାଉଛି ।  କାରଣ ଟୋକିଓ ଅଲମ୍ପିକ୍ସରେ ୧୧ ହଜାର ଆଥଲେଟ୍ ଅଂଶଗ୍ରହଣ କରିଥିବାବେଳେ ହାଙ୍ଗଝୁ ଏସୀୟ କ୍ରୀଡ଼ାରେ ୧୨୫୦୦ ଆଥଲେଟ ଅଂଶଗ୍ରହଣ କରିଥିଲେ । ସେହିପରି ଟୋକିଓ ଅଲମ୍ପିକ୍ସରେ ୩୩ଟି କ୍ରୀଡ଼ା ଥିବାବେଳେ ଏହି ଏସୀୟ କ୍ରୀଡ଼ାରେ ୪୦ଟି କ୍ରୀଡ଼ା ରହିଛି।

ଏହି ଏସୀୟ କ୍ରୀଡ଼ାରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଶନିବାର ୧୪ତମ ଦିନ ଅର୍ଥାତ୍ ଶନିବାର ଭାରତୀୟ ଆଥଲେଟମାନେ ୬ ସ୍ୱର୍ଣ୍ଣ ସହ ମୋଟ ୧୨ଟି ପଦକ ଜିତିଛନ୍ତି। ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ କାଂସ୍ୟ ସହ ଭାରତ ମୋଟ ୧୦୭ ପଦକ ଜିତି  ତାଲିକାର ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଶେଷ ଦିନରେ ଭାରତର ପୁରୁଷ କ୍ରିକେଟ ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କବାଡିରେ ଭାରତୀୟ ପୁରୁଷ ଓ ମହିଳା ଦଳ ଚାମ୍ପିୟନ ହୋଇଥିଲେ। ବ୍ୟାଡ୍ ମିଣ୍ଟନରେ ଭାରତ ପୁରୁଷ ଡବଲ୍ସ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତୀରନ୍ଦାଜିର ପୁରୁଷ ଓ ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ଭାରତୀୟ ତୀରନ୍ଦାଜମାନେ ସ୍ୱର୍ଣ୍ଣ ଲକ୍ଷ୍ୟ ରଖିଛନ୍ତି।

୧୦୭ଟି ପଦକ ମଧ୍ୟରୁ ସର୍ବାଧିକ ପଦକ ଆସିଛି ଆଥଲେଟିକ୍ସରୁ। ଏଥିରେ ୬ଟି ସ୍ୱର୍ଣ୍ଣ ସମେତ ୨୯ଟି ପଦକ ରହିଛି। ଏହା ତଳକୁ ଅଛି ଶୁଟିଂ। ଏଥିରୁ ଆସିଛି ୨୨ଟି ପଦକ। ତା’ ମଧ୍ୟରେ ରହିଛି ୭ଟି ସ୍ୱର୍ଣ୍ଣ। ତୀରାନ୍ଦାଜୀରୁ ୯ଟି ପଦକ ଆସିଥିବା ବେଳେ ତା’ ମଧ୍ୟରେ ରହିଛି ୫ଟି ସ୍ୱର୍ଣ୍ଣ। ଅନେକ କ୍ଷେତ୍ରରେ ଭାରତ ଇତିହାସ ରଚିଛି। ଉଦାହାରଣ ସ୍ୱରୂପ ବ୍ୟାଡମିଣ୍ଟନରେ ଡବଲ୍ସରେ ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଏସିଆନ୍ ଗେମ୍ସ ପ୍ରଥମ ଭାରତୀୟ ମହିଳା ଗଲ୍‌ଫ ଖେଳାଳି ଭାବେ ପଦକ ଜିତିଛନ୍ତି ଅଦିତି ଅଶୋକ। ସେ ରୌପ୍ୟ ପଦକ ଜିତିଛନ୍ତି।

ସେହିପରି ପଦକ ଜିତିବା ସହିତ ଭାରତୀୟ ପୁରୁଷ ହକି ଦଳ (ସ୍ୱର୍ଣ୍ଣ), ବକ୍ସର ନିଖାତ ଜରୀନ (ବ୍ରୋଞ୍ଜ), ପରବୀନ (ବ୍ରୋଞ୍ଜ), ପ୍ରୀତି (ବ୍ରୋଞ୍ଜ) ଓ ଲୋଭଲିନା (ବ୍ରୋଞ୍ଜ) ପ୍ରମୁଖ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଟିକେଟ୍ ପାଇଛନ୍ତି। ଓଡ଼ିଶାର କିଶୋର ଜେନା ଜାଭେଲିନରେ ରୌପ୍ୟ ପଦକ ଜିତିବା ସହିତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଚୀନର ହାଙ୍ଗଝୌରେ ଏହିପରି ଅନେକ ସୁଖଦ ସ୍ମୃତି ସାଉଁଟି ଥିବା ଭାରତ ଆଉ କିଛି କ୍ଷେତ୍ରରେ ନିରାଶ ମଧ୍ୟ ହୋଇଛି। କୁସ୍ତିରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉତ୍ସାହଜନକ ନଥିଲା। ଦୀପକ ପୁନିଆଙ୍କ ବ୍ୟତୀତ ଆଉ କେହି ରୌପ୍ୟ ପଦକ ମଧ୍ୟ ପାଇଲେ ନାହିଁ। ମିଳିଥିବା ୬ଟି ପଦକରୁ ୫ଟି ହେଉଛି ବ୍ରୋଞ୍ଜ। ସବୁଠୁ ଅଧିକ ନିରାଶ କରିଛନ୍ତି ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ। ସେ ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ଲଢ଼େଇରେ ହାରିଯାଇଥିଲେ। ସେହିପରି ବକ୍ସିଂରେ ପରବୀନ, ଲଭଲିନା ପ୍ରମୁଖ ପଦକ ପାଇବା ସହିତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ ହେଁ, ସେମାନଙ୍କଠାରୁ ଅଧିକ ଆଶା କରାଯାଉଥିଲା। କେହି ସ୍ୱର୍ଣ୍ଣ ପଦକ ଜିତିପାରିଲେ ନାହିଁ। କେବଳ ଲଭଲିନା ରୌପ୍ୟ ପଦକ ପାଇଛନ୍ତି।

କେଉଁଥିରେ କେତେ ପଦକ ଆସିଲା

  • ତୀରନ୍ଦାଜୀ- ୯ ପଦକ- ୫ ସ୍ୱର୍ଣ୍ଣ, ୨ ରୌପ୍ୟ, ୨ ବ୍ରୋଞ୍ଜ
  • ଆଥ୍‌ଲେଟିକ୍ସ – ୨୯ ପଦକ- ୬ ସ୍ୱର୍ଣ୍ଣ, ୧୪ ରୌପ୍ୟ, ୯ ବ୍ରୋଞ୍ଜ
  • ବ୍ୟାଡମିଣ୍ଟନ- ୩ ପଦକ- ୧ ସ୍ୱର୍ଣ୍ଣ, ୧ ରୌପ୍ୟ, ୧ ବ୍ରୋଞ୍ଜ
  • ବକ୍ସିଂ- ୫ ପଦକ – ୧ ରୌପ୍ୟ, ୪ ବ୍ରୋଞ୍ଜ
  • ବ୍ରିଜ୍‌- ୧ ପଦକ – ୧ ରୌପ୍ୟ
  • କ୍ୟାନୋ ସ୍ପ୍ରୀଣ୍ଟ- ୧ ପଦକ – ୧ ବ୍ରୋଞ୍ଜ
  • ଚେସ୍‌- ୨ ପଦକ – ୨ ରୌପ୍ୟ
  • କ୍ରିକେଟ-୨ ପଦକ – ୨ ସ୍ୱର୍ଣ୍ଣ
  • ଅଶ୍ୱଚାଳନା- ୨ ପଦକ – ୧ ସ୍ୱର୍ଣ୍ଣ, ୧ ବ୍ରୋଞ୍ଜ
  • ଗଲ୍‌ଫ- ୧ ପଦକ – ୧ ରୌପ୍ୟ
  • ହକି- ୨ ପଦପ – ୧ ସ୍ୱର୍ଣ୍ଣ, ୧ ବ୍ରୋଞ୍ଜ
  • କବାଡ଼ି- ୨ ପଦକ – ୨ ସ୍ୱର୍ଣ୍ଣ
  • ରୋଲର ସ୍କେଟିଂ- ୨ ପଦକ – ୨ ବ୍ରୋଞ୍ଜ
  • ରୋଇଂ (ନୌଚାଳନା) – ୫ ପଦକ – ୨ ରୌପ୍ୟ, ୩ ବ୍ରୋଞ୍ଜ
  • ସେଲିଂ (ପୋତ ଚାଳନା)- ୩ ପଦକ – ୧ ରୌପ୍ୟ, ୨ ବ୍ରୋଞ୍ଜ
  • ସେପକଟାକରେ- ୧ ପଦକ – ୧ ବ୍ରୋଞ୍ଜ
  • ଶୁଟିଂ- ୨୨ ପଦକ – ୭ ସ୍ୱର୍ଣ୍ଣ, ୯ ରୌପ୍ୟ, ୬ ବ୍ରୋଞ୍ଜ
  • ସ୍କ୍ୱାଶ୍‌- ୫ ପଦକ – ୨ ସ୍ୱର୍ଣ୍ଣ, ୧ ରୌପ୍ୟ, ୨ ବ୍ରୋଞ୍ଜ
  • ଟେବୁଲ ଟେନିସ- ୧ ପଦକ – ୧ ବ୍ରୋଞ୍ଜ
  • ଟେନିସ- ୨ ପଦକ – ୧ ସ୍ୱର୍ଣ୍ଣ, ୧ ରୌପ୍ୟ
  • କୁସ୍ତି- ୬ ପଦକ- ୧ ରୌପ୍ୟ, ୫ ବ୍ରୋଞ୍ଜ
  • ଉଶୁ- ୧ ପଦକ – ୧ ରୌପ୍ୟ
  • ଚେସ୍- ୨ ପଦକ – ୨ ରୌପ୍ୟ
Leave A Reply

Your email address will not be published.