xmas

ସୋଆ କମ୍ୟୁନିଟି ରେଡିଓ ତରଫରୁ ସାଇବର ସୁରକ୍ଷା ଅଭିଯାନ

ଭୁବନେଶ୍ୱର,୧୧/୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ପକ୍ଷରୁ ଅକ୍ଟୋବର ୧୦ ତାରିଖ ମଙ୍ଗଳବାର ଦିନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଇଞ୍ଜିନିୟରିଂର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ରେଡିଓ କ୍ଳବ ଓରିଏଂଟେସନ୍ କାର୍ଯ୍ୟକ୍ରମ ସହିତ ସାଇବର ସୁରକ୍ଷା ଅଭିଯାନ ପ୍ରସଙ୍ଗ ଉପରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ କମିଶନରେଟ ପୋଲିସ ପକ୍ଷରୁ ଏସିପି ଶ୍ରୀମତି ଅଞ୍ଜନା ଟୁଡୁ ଯୋଗଦାନ କରି ଛାତ୍ରଛାତ୍ରୀ ଏବଂ ସଭାରେ ଉପସ୍ଥିତ ଥିବା ପ୍ରତ୍ୟେକଟି ସଦସ୍ୟଙ୍କୁ ସାଇବର ଠକେଇରୁ କିପରି ନିଜକୁ ସୁରକ୍ଷିତ ରଖିହେବ ସେ ବିଷୟରେ ସୂଚାଇଥିଲେ ଓ ଛାତ୍ରଛାତ୍ରୀଙ୍କର ସାଇବର ସମ୍ପର୍କିତ ପ୍ରଶ୍ନର ଉତର ରଖିଥିଲେ ।

ଆଇଆଇସି, ସାଇବର କ୍ରାଇମ ରଶ୍ମିତା ଜେନା, ସବ୍ ଇନ୍ସପେକ୍ଟର ଜ୍ୟୋତିରଂଜନ ପରିଡା, ସବ୍ ଇନ୍ସପେକ୍ଟର କାଂଚନ ମହାଲିକ ମାସ୍କଟ ସାଇରା ଏବଂ ଟିମ୍ ଏହି କାର୍ଯ୍ୟକ୍ରମର ଅଂଶୀଦାର ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇଟିଇଆର କଲେଜର ପ୍ରଫେସର ତଥା ଆଡିସନାଲ ଡିନ୍ (ଷ୍ଟୁଡେଂଟ ୱେଲଫେୟାର୍ସ) ଡକ୍ଟର ରେଣୁ ଶର୍ମା, ଆସିଷ୍ଟାଂଟ ପ୍ରଫେସର ସ୍ମୃତି ରଂଜନ ରାଉତ, ଆସିଷ୍ଟାଂଟ ପ୍ରଫେସର ବେନାଜୀର ବେଗମ୍‌, ଆସିଷ୍ଟାଂଟ ପ୍ରଫେସର ଜୀବନ ମହାକୁଡ, ଆସିଷ୍ଟାଂଟ ପ୍ରଫେସର ଡକ୍ଟର ସତୀଶ କୁମାର ସାମଲଙ୍କ ସହ ଏକାଧିକ କର୍ମଚାରୀ ଉପସ୍ଥିତ ଥିଲେ ।

ଏହି ପରିପ୍ରେକ୍ଷୀରେ ସାଇବର ସୁରକ୍ଷା ବିଷୟବସ୍ତୁକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଆଇଟିଇଆର କଲେଜର ତିନିଜଣ ଛାତ୍ରଛାତ୍ରୀ ବର୍ଷାରାଣୀ ସାହୁ, ରିଜିତ କୁମାର ସାହୁ, ଆକୃତି ସିଂହ ଆଗାମୀ ଦିନରେ କଲେଜ ପ୍ରାଙ୍ଗଣରେ ସାଇବର ଅପରାଧ କିଭଳି ରୋକି ହେବ ସେ ସମ୍ପର୍କରେ ସାଇବର କ୍ରାଇମ ଟିମ୍ ସାଙ୍ଗରେ “ସାଇବର ମିତ୍ର” ଭାବେ କାମ କରିବାକୁ ମନୋନୀତ ହୋଇଥିଲେ ଓ ଏସିପି ଅଞ୍ଜନା ଟୁଡୁଙ୍କ ଦ୍ୱାରା ତାଙ୍କୁ ବ୍ୟାଚ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେଡିଓ କ୍ଳବର ସଦସ୍ୟମାନେ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହିତ ସେମାନଙ୍କ ଜୀବନରେ ୯୦.୪ ସୋଆ କୁମ୍ୟନିଟି ରେଡିଓର ଭୂମିକା ବିଷୟରେ ଅବଗତ କରାଇଥିଲେ ।

ରେଡିଓ କ୍ଳବର ସଦସ୍ୟଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଥିଲା । ଏଥିରେ ୯୦.୪ ସୋଆ କମ୍ୟୁନିଟି ରେଡିଓର ନିର୍ଦ୍ଦେଶିକା ଶ୍ରୀମତି ହନି ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୯୦.୪ ସୋଆ କମ୍ୟୁନିଟି ରେଡିଓ ଏହାର ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସୁସ୍ଥ ଓ ଉତମ ସମାଜ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ସେ କହିଥିଲେ ।

Leave A Reply

Your email address will not be published.