xmas

ନିରବିଗଲା ସ୍ୱରୂପଙ୍କ ସ୍ୱର: ଆରପାରିରେ ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ

ଦୀର୍ଘ ଦିନ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ।

ଭୁବନେଶ୍ୱର: ନିରବିଯାଇଛି ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ସ୍ୱର । ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ ତଥା ଅଭିନେତା ସ୍ବରୂପ ନାୟକ ଆଉ ନାହାନ୍ତି।  ୭୦ରୁ ଅଧିକ ଓଡ଼ିଆ ଫିଲ୍ମରେ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ୮୦ରୁ ଅଧିକ ଓଡ଼ିଆ ଚଳଚିତ୍ରରେ ଗୀତ ରଚନା କରିଥିବା ସ୍ୱରୂପ ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡିତ ଥିଲେ । ଆଉ ଆଜି ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଓଡ଼ିଆ ଆଧୁନିକ ସଙ୍ଗୀତର ଜଗତର ଅନ୍ୟତମ ସ୍ରଷ୍ଟା ଭାବେ ବେଶ ପରିଚିତ ସ୍ୱରୂପ ଓଡ଼ିଆ, ବଙ୍ଗଳା, ହିନ୍ଦୀ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। 

୧୯୪୭ ମସିହା ଫେବ୍ରୁଆରୀ ୮ ତାରିଖରେ ଜନ୍ମ ହୋଇଥିବା ସ୍ୱରୂପ ଏକାଧାରରେ ଜଣେ ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ।

୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ। ସେ ୩୦ଟି ଫିଲ୍ମ ପାଇଁ ଗୀତ ଲେଖିଥିଲେ। ୬ଟି ଫିଲ୍ମରେ ସେ ଅଭିନୟ କରିଥିଲେ। ସେହିପରି ୬ଟି ଫିଲ୍ମରେ ଗୀତ ଗାଇ ଥିଲେ। 

୧୯୬୨ ମସିହାରେ ରିଲିଜ ହୋଇଥିବା ‘ଜୟଦେବ’ ଚଳଚ୍ଚିତ୍ରରେ ସ୍ୱରୂପ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ବଡ଼ ହେବା ପରେ ସ୍ୱରୂପ ସତୀ ଅନସୂୟା, ସୁନା ସଂସାର, କଳାମାଣିକ, କଣ୍ଢେଇ ଆଖିରେ ଲୁହ, ଯଶୋଦା ଆଦି ସମେତ ବେଶ୍‌ କେତୋଟି ଓଡ଼ିଆ ଛବିରେ ଅଭିନେତା ଭାବେ ନଜର ଆସିଥିଲେ । ୧୯୮୪ ମସିହାର ଓଡ଼ିଆ ଚଳଚ୍ଚିତ୍ର ‘ହୀରାଲୀଳା’ରେ ସେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ସଙ୍ଗୀତ ନିର୍ଦ୍ଦେଶିତ କେତେକ ଉଲ୍ଲେଖନୀୟ ଛବି ମଧ୍ୟରେ ରହିଛି- ଲାଲପାନ ବିବି, ବଗଲା ବଗୁଲୀ, ଲକ୍ଷେ ଶିବ ପୂଜି ପାଇଚି ପୁଅ, ଯଶୋଦା, କୃଷ୍ଣା କାବେରୀ, କିଏ ହେବ ଶୁଆ ପୋଷିଲେ, ଶୁଭଦ୍ରା, ସକଳ ତୀର୍ଥ ତୋ’ ଚରଣେ, ଉଦଣ୍ଡୀ ସୀତା, ପଞ୍ଜୁରି ଭିତରେ ଶାରୀ, ମୋ’ କୋଳ ତୋ’ ଝୁଲଣା, ଏ ଯୁଗର କୃଷ୍ଣ ସୁଦାମା, ଆଇ ଲଭ ୟୁ, ଅର୍ଜୁନ, ପ୍ରେମୀ ନମ୍ବର ଓ୍ଵାନ, ଶାଶୁ ଘର ଚାଲିଯିବି, ପ୍ରେମ ଋତୁ ଆସିଲାରେ, ପ୍ରଥମ ପ୍ରେମ, ମୁଁ ତତେ ଲଭ୍‌ କରୁଚି, ରୋମିଓ ଦ ଲଭରବୟ ଏବଂ ଅପ୍‌ନା ହାତ୍‌ ଜଗନ୍ନାଥ ଆଦି । ସେ ଷାଠିଏରୁ ଅଧିକ ଓଡ଼ିଆ ଛବିରେ ମଧ୍ୟ ଗୀତର ରଚନା କରିଛନ୍ତି ।

Leave A Reply

Your email address will not be published.