ମା ଦୂର୍ଗାଙ୍କ ପୂଜା ମଣ୍ଡପରୁ ଲୋକଙ୍କୁ ଶୁଭେଛା ଜଣାଇବା ସହ ବିକାଶରେ ସହଯୋଗୀ ହେବାକୁ ଉତ୍ସାହିତ କଲେ ବିଡିଓ

ମାଲକାନଗିରି: ସରିଛି ଦୁର୍ଗାପୂଜାର ଦଶମୀ ପର୍ବ । ପାଖେଇ ଆସୁଛି ମାଙ୍କୁ ବିଦାୟ ଦେବାର ବେଳ । ତେବେ ଆଜି ମଧ୍ୟ ସମସ୍ତ ପୂଜା ମଣ୍ଡପରେ ଜଗତଜନନୀଙ୍କ ଚାଲିଛି ପୂଜାର୍ଚନା । ଏହିକ୍ରମେ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ପଦ୍ମଗିରି ଦୁର୍ଗା ପୂଜାରେ ଯୋଗ ଦେଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝଡିଆ । ଯୁବ ଗୋଷ୍ଠୀ ବି.ଡି.ଓ ଏବଂ ସ୍ଥାନୀୟ ମହିଳା ବର୍ଗକୁ ଶକ୍ତି ରୁପେଣୀ ବୋଲି ସମ୍ବୋଧନ କରି ପୂଜା ମଞ୍ଚରେ ସ୍ୱାଗତ କରିଥିଲେ । ତେବେ ପ୍ରଥମ ଥର ଜଣେ ସରକାରୀ ଅଧିକାରୀ ଜନସାଧାରଣଙ୍କୁ ନେଇ ପୂଜାର୍ଚନା କରି ସମସ୍ତଙ୍କ ପାଇଁ ମାଙ୍କ ଠାରେ ମଙ୍ଗଳ କାମନା କରିଥିବାରୁ ସ୍ଥାନୀୟ ଲୋକମାନେ ବହୁତ ଆନନ୍ଦିତ ବୋଲି ମତ ପ୍ରକାଶ କରିଛନ୍ତି । ସୁଶ୍ରୀ ଝଡିଆ ପୂଜା ମଞ୍ଚରୁ ମହିଳା ବର୍ଗ, ଯୁବ ଗୋଷ୍ଠୀ, ପୂଜା କମିଟିଙ୍କ ସହ ସମସ୍ତ ଜନ ପ୍ରତିନିଧି ଓ ପଞ୍ଚାୟତବାସୀଙ୍କୁ ଅଭିନନ୍ଦନ ଜଣାଇ ପଦ୍ମଗିରି ପଞ୍ଚାୟତ ଏବଂ ମାଲକାନଗିରି ବ୍ଲକର ବିକାଶ ପାଇଁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ । ଏହାସହ ଯେ କୌଣସି କ୍ଷେତ୍ରରେ ବିକାଶର ଛବି ଅଙ୍କିବାକୁ ଗଲେ ସ୍ଥାନୀୟ ଜନସାଧାରଣ, ପ୍ରଶାସନୀକ ଅଧିକାରୀ ଏବଂ ରାଜନେତା ଗୋଟିଏ ମଞ୍ଚରୁ ମିଳିମିଶି ଚେଷ୍ଟା କରିବାକୁ ପଡିବ ବୋଲି ସୁଶ୍ରୀ ଝଡିଆ ମତ ପ୍ରକାଶ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସୁନାଧର ମାଡକାମି, ଜିଲ୍ଲା ପରିଷଦ ସଭ୍ୟା କୁନି ଭୂମିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.