xmas

ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ “ସୁରଭି” ଓ ଓଡ଼ିଶା ମିଲେଟସ ପ୍ରତିଯୋଗିତା ଅନୁଷ୍ଠିତ

ମାଲକାନଗିରି: ତା ୦୪/୧୧/୨୦୨୩ ରିଖ ଦିନ ସ୍ଥାନୀୟ ବୁଟିଗୁଡ଼ାସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ସୁରଭି ଓ ଓଡ଼ିଶା ମିଲେଟସ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୩୫୦ ଜଣ ଛାତ୍ର ଛାତ୍ରୀ, ଗାଇଡ୍ ଶିକ୍ଷକ ଓ ଅଭିଭାବକ ମାନେ ଯୋଗ ଦେଇଥିଲେ । ପିଲାମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା, ଶ୍ରୁତଲିଖନ, ଚିତ୍ରାଙ୍କନ, ହସ୍ତକଳା, ସଙ୍ଗୀତ ଓ କୁଇଜ୍ ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ବିଚାରକ ରୂପେ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ଟାଙ୍ଗୁଲୁ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଦବର ପ୍ରଧାନ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ ଭୂଜବଳ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମାନସ କୁମାର ଜେନା ଏହି ସଭାରେ ସଭାପତିତ୍ୱ କରିଥିଲେ । ସମସ୍ତ ଅତିଥି ପିଲାମାନଙ୍କର ଅର୍ନ୍ତନିହିତ ଗୁଣର ପରିପ୍ରକାଶ କରାଇବା ପାଇଁ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମାନସ କୁମାର ଜେନା ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରତ୍ନାକର ସାହୁ ମୁଖ୍ୟ ଅତିଥି ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପିଲାମାନଙ୍କୁ ଉପଦେଶ ଦେବା ସହ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ବଣ୍ଟନ କରିଥିଲେ । ଜିଲ୍ଲାସ୍ତରୀୟ ଓଡ଼ିଶା ମିଲେଟସ୍ ପ୍ରତିଯୋଗିତାରେ ଯେଉଁ ଛାତ୍ର ଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ଏହି ମାସ ୯ ଓ ୧୦ ତାରିଖରେ ରାଜ୍ୟସ୍ତରୀୟ ଅନ୍ତରାଷ୍ଟ୍ରୀୟ ମିଲେଟସ୍ ସମ୍ମିଳନୀ ଓ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ସେହିଭଳି ଜିଲ୍ଲାସ୍ତରୀୟ ସୁରଭି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀମାନେ ଚଳିତ ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରେ ଯୋଗଦାନ କରିବେ । ଏମାନଙ୍କ ସହିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗାଇଡ୍ ଶିକ୍ଷକ ଏଭଳି ସର୍ବମୋଟ ପ୍ରାୟ ୭୦ ଜଣ ରାଜ୍ୟସ୍ତରୀୟ ଉତ୍ସବରେ ଅଂଶଗ୍ରହଣ କରିବେ । ଏହି ଅବସରରେ ମଞ୍ଚ ନିକଟରେ ମିଲେଟସରୁ ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟର ଏକ ଷ୍ଟଲ୍ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ କେ.ଜି.ବି.ଭି, ସିନ୍ଧ୍ରିମାଳର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏମ୍.ଭି–୧୮, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୁଟିଗୁଡ଼ା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏମ୍.ପି.ଭି-୬୯ ଓ ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟ, ଏମ୍.ଭି-୭ ର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସମଗ୍ର ଶିକ୍ଷା, ମାଲକାନଗିରି ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିବା ବେଳେ ଭାରପ୍ରାପ୍ତ ଶୈକ୍ଷିକ ସଂଯୋଜକ ଶ୍ରୀ ଶେଷ ଶଙ୍କର ମହାଳିକ ଓ ଶ୍ରୀ ସୀତାରାମ ଗୌଡ଼ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ସେନାପତି ସ୍ୱାଗତ କାର୍ଯ୍ୟକ୍ରମ ଓ ଧନ୍ୟବାଦ ଅର୍ପଣ କରିବା ସହ ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.