ଜନ୍ମଦିନରେ ସଚିନଙ୍କ ସମକକ୍ଷ ହେଲେ କୋହଲି, ରଚିଲେ ‘ବିରାଟ’ କୀର୍ତ୍ତିମାନ

ଇଡେନ ଗାର୍ଡେନ୍ସରେ କ୍ୟାରିଅରର ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ୍ କୋହଲି।

  • ଦିନିକିଆ କ୍ରିକେଟରେ ୪୯ଟି ଶତକ ହାସଲ କରିବାରେ କୋହଲି ଦ୍ୱିତୀୟ
  • ସଚିନ ତେନ୍ଦୁଲକର ପ୍ରଥମ କ୍ରିକେଟର ଭାବେ ଏହି କୀର୍ତ୍ତିମାନ ହାସଲ କରିଥିଲେ
  • ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଶତକ ହାସଲ କରିଥିଲେ କିଙ୍ଗ୍ କୋହଲି

କୋଲକାତା: ଜନ୍ମଦିନରେ ବିରାଟଙ୍କ ‘ବିରାଟ’ କୀର୍ତ୍ତିମାନ। ଦିନିକିଆ କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ବିରାଟ କୋହଲି। ଯେଉଁ ଇଡେନ ଗାର୍ଡେନ୍ସରେ କ୍ୟାରିଅରର ପ୍ରଥମ ଶତକ ହାସଲ କରିଥିଲେ ଆଜି ସେହି ଷ୍ଟାଡିୟମରେ ୪୯ମ ଶତକ କରିଛନ୍ତି ବିରାଟ। ଏହି ସଫଳତା ସହ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଦିନିକିଆ ଶତକ ରେକର୍ଡର ସମକକ୍ଷ ହୋଇ ପାରିଛନ୍ତି ରନ ମେସିନ। 

ଜନ୍ମଦିନ ଅବସରରେ ଆଜି ଏହି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ୍ କୋହଲି। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଯାଇଛନ୍ତି। ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ଏବେ ସଚିନ ଓ ବିରାଟ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି। 

ବିରାଟ ଆଉ ଗୋଟିଏ ଶତକ ହାସଲ କରିବା କ୍ଷଣି ସଚିନଙ୍କୁ ପଛରେ ପକାଇ ଦିନିକିଆ ଇତିହାସରେ ୫୦ତମ ଶତକ ହାସଲ କରିବାର ନୂଆ ତଥା ବିଶାଳ କୀର୍ତ୍ତିମାନର ଅଧିକାରୀ ହେବେ। 

ରେକର୍ଡ ଉପରେ ଯଦି ନଜର ପକାଇବା ବିରାଟ ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ନିଜର ୪୯ତମ ଶତକ ହାସଲ କରିଛନ୍ତି। ସେ ଦିନିକିଆରେ ୪୯ଟି ଶତକ ହାସଲ କରିଥିବା ବେଳେ ଟେଷ୍ଟରେ ୨୯ଟି ଶତକ ହାସଲ କରିଛନ୍ତି। ସେହିପରି ଟି-୨୦ରେ ମଧ୍ୟ ସେ ଗୋଟିଏ ସେଞ୍ଚୁରି ମାରିଛନ୍ତି। ତେବେ ବିରାଟଙ୍କ ଅନ୍ତର୍ଜାତୀୟ ଶତକ ସଂଖ୍ୟା ଆଜି ୭୯ରେ ପହଞ୍ଚି ଯାଇଛି।   

Leave A Reply

Your email address will not be published.