xmas

ଏମ ୟୁ ଜେ ଦ୍ଵାରା ଜାତୀୟ ପ୍ରେସ ଦିବସ ପାଳିତ

ମାଲକାନଗିରି: ମାଲକାନଗିରି ସାମ୍ବାଦିକ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ ଦ୍ଵାରା ମାଲକାନଗିରି ସ୍ଥିତ କାର୍ଯ୍ୟାଳୟ ପରିସରରେ, ମହା ସମାରୋହରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି। ଉକ୍ତ ସମାରୋହରେ ମାଲକାନଗିରି ଜିଲ୍ଲାର ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ମୁଖ୍ୟ ଅତିଥି ଭାବରେ, ବିଖ୍ୟାତ ଇଂରାଜୀ ସମ୍ବାଦପତ୍ର ‘ଦି ଏସିଆନ ଏଜ’ ଏବଂ ‘ଡେକାନ କର୍ନିକାଲ’ ର ସହକାରୀ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଅକ୍ଷୟ କୁମାର ସାହୁ ମୁଖ୍ୟ ବକ୍ତା ଭାବରେ, ଅଧ୍ୟାପକ ଡ଼ଃ କିଶୋର କୁମାର ଦାସ ମଡାରେଟର ଭାବରେ ଯୋଗଦାନ କରିଥିଲେ ଏବଂ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝଡ଼ିଆ, ଏସ.ଡି.ପି.ଓ ଶ୍ରୀ ଶଚୀନ ପଟେଲ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

ଏହି ସମାବେଶରେ “ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ହିଁ ,ଉନ୍ନୟନ ର ଚାବିକାଠି।”ଏହି ବିଷୟରେ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳର ଉନ୍ନତିରେ ଗୁରୁପ୍ରିୟା ସେତୁ ଏବଂ ଟେଲି ଯୋଗାଯୋଗ ବ୍ୟବସ୍ଥାର ଭୂମିକା ବିଷୟରେ ବକ୍ତା ତଥା ଅତିଥି ମାନେ ସେମାନଙ୍କର ଅଭିଜ୍ଞତା ବର୍ଣନା କରିଥିଲେ। (“Development Communication – The Key Growth” Swabhiman Anchal – A Role Model.” ) ମୁଖ୍ୟ ବକ୍ତା ଶ୍ରୀ ଖେମୁଣ୍ଡୁ ମହୋଦୟ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଫଳରେ କିପରି ଭାବରେ ସ୍ବାଭିମାନ ଅଞ୍ଚଳର ଲୋକେ ଭୋଟ ଦେଇ ପାରୁଛନ୍ତି ଏବଂ ସଠିକ ସମୟରେ ନିର୍ବାଚନ କରାଯାଇ ପାରୁଛି, ସେ ବିଷୟରେ ବିସ୍ତାରିତ ଭାବରେ ବର୍ଣନା କରିଥିଲେ। ଏତଦ୍ ବ୍ୟତୀତ ଓଡ଼ିଶା ସରକାରଙ୍କ ଲକ୍ଷ୍ମୀ ବସ ପରି ସେବା ଦ୍ଵାରା ସ୍ବାଭିମାନ ଅଞ୍ଚଳର ଲୋକେ, ଅନାୟାସରେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାତାୟାତ କରି ପାରୁଛନ୍ତି ଏବଂ ଉପକୃତ ହୋଇଛନ୍ତି ତାହା ବର୍ଣ୍ଣନା କରିଥିଲେ। ମଡରେଟର ଡଃ କିଶୋର କୁମାର ଦାସ ସ୍ବାଭିମାନ ଅଞ୍ଚଳର ଉନ୍ନତିରେ ଗୁରୁପ୍ରିୟାର ଭୂମିକା ଏବଂ ସେତୁ ନିର୍ମାଣରେ ସାମ୍ବାଦିକ ଭାଇମାନଙ୍କର ଅବଦାନ ବିଷୟରେ ବର୍ଣନା କରିଥିଲେ। ସେ ଏଥିପାଇଁ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବିଭାଗର ଭୂୟସୀ ପ୍ରଶଂସା କରିଥିଲେ। ସହକାରୀ ସମ୍ପାଦକ ଶ୍ରୀ ଅକ୍ଷୟ ସାହୁ କିପରି ଭାବରେ ସମ୍ବାଦ ପରିବେଷଣ କଲେ ଦେଶ ତଥା ସମାଜର କଲ୍ୟାଣ ହୁଏ ସେ ବିଷୟରେ କଳାହାଣ୍ଡି, ନଗଡ଼ା, ଦାନ ମାଝୀ ଇତ୍ୟାଦି ଉଦାହରଣ ସହିତ ବିସ୍ତାରିତ ଭାବରେ ଆଲୋଚନା କରିଥିଲେ। ଶ୍ରୀ ସଚୀନ ପଟେଲ ସ୍ବାଭିମାନ ଅଞ୍ଚଳକୁ ନକ୍ସଲ ସମସ୍ୟାରୁ ମୁକ୍ତ କରିବା ପାଇଁ ପୁଲିସ ବିଭାଗର ଭୂମିକା ବିଷୟରେ ବର୍ଣନା କରିଥିଲେ।

ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝଡ଼ିଆ ମହୋଦୟା ମାଲକାନଗିରି ବ୍ଲକ ଏବଂ ମାଲକାନଗିରି ସହରର ବିକାଶ ପାଇଁ ପ୍ରଚେଷ୍ଟା ଜାରି ରଖିବେ ଏବଂ ଏଥି ନିମନ୍ତେ ସାମ୍ବାଦିକ ଭାଇମାନେ ତାଙ୍କୁ ସହଯୋଗ କରନ୍ତୁ ବୋଲି ଆଶା ପ୍ରକାଶ କରିଥଲେ। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ ମହୋଦୟା ମଧ୍ୟ ଗଣତାନ୍ତ୍ରିର ଚତୁର୍ଥ ସ୍ତମ୍ଭ ସମ୍ବାଦ ମାଧ୍ୟମ ଏବଂ ସାମ୍ବାଦିକ ମାନେ ଦେଶର ଉନ୍ନୟନ ଏବଂ ଗଣତନ୍ତ୍ରର ସୁରକ୍ଷାପାଇଁ କିପରି ଭାବରେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟରତ ସେ ବିଷୟରେ ବିସ୍ତାରିତ ଭାବରେ ବର୍ଣନା କରିଥିଲେ। ସଭା ଶେଷରେ ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବହୁ ସଂଖ୍ୟାରେ ଦର୍ଶକ ଓଡ଼ିଶି, ସମ୍ବଲପୁରୀ, କୋରାପୁଟିଆ ସହିତ ବିଭିନ୍ନ ନୃତ୍ୟକୁ ଆଗ୍ରହ ର ସହିତ ଉପଭୋଗ କରିଥିଲେ।

Leave A Reply

Your email address will not be published.