xmas

ଓଇଆରସି ଅଧ୍ୟକ୍ଷ ପଦ ଛାଡ଼ି ସୁରେଶ ମହାପାତ୍ର ହେଲେ ସିଏମଓ ମୁଖ୍ୟ ଉପଦେଷ୍ଟା

ଅବସରପ୍ରାପ୍ତ ଆଇଏଏସ ଅସିତ୍ ତ୍ରିପାଠୀଙ୍କୁ ପ୍ରମୁଖ ଉପଦେଷ୍ଟା ଭାବେ ସମସ୍ତ ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ସେ କେବଳ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ।

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅଧ୍ୟକ୍ଷ ପଦରୁ ଅବସରପ୍ରାପ୍ତ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ଇସ୍ତଫା ଦେଇଛନ୍ତି । ଓଇଆରସି ଅଧ୍ୟକ୍ଷ ପଦ ଛାଡ଼ିବା ପାଇଁ ତାଙ୍କର ଅନୁରୋଧକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଏହାସହିତ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂଆ ମୁଖ୍ୟ ଉପଦେଷ୍ଟା ଭାବେ ଆଜି ନିଯୁକ୍ତି ମିଳିଛି । ଶ୍ରୀ ମହାପାତ୍ରଙ୍କୁ ବିଜେଡି ଆଗାମୀ ନିର୍ବାଚନରେ ପୁରୀରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଚଳିତବର୍ଷ ମାର୍ଚ୍ଚ ୧ତାରିଖରେ ଓଇଆରସି ଅଧ୍ୟକ୍ଷ ପଦ ସମ୍ଭାଳିଥିବା ଶ୍ରୀ ମହାପାତ୍ରଙ୍କ ଇସ୍ତଫାକୁ ଆଜି ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଅଧ୍ୟକ୍ଷ ପଦ ଛାଡ଼ିବାର ମାତ୍ର କିଛିଘଣ୍ଟା ମଧ୍ୟରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଅବସରପ୍ରାପ୍ତ ଆଇଏଏସ୍ ଆର ବାଲକ୍ରିଷ୍ଣନ ପୂର୍ବଭଳି ମୁଖ୍ୟ ସଚିବ ପାହ୍ୟାରେ ମୁଖ୍ୟ ଉପଦେଷ୍ଟା(ସ୍ପେଶାଲ ଇନସିଏଟିଭସ) ଭାବେ କାର୍ଯ୍ୟ କରିବେ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ପଦରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି ।

ସେହିପରି ଅବସରପ୍ରାପ୍ତ ଆଇଏଏସ ଅସିତ୍ ତ୍ରିପାଠୀଙ୍କୁ ପ୍ରମୁଖ ଉପଦେଷ୍ଟା ଭାବେ ସମସ୍ତ ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ସେ କେବଳ ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ।

ସୂଚନା ଅନୁସାରେ, ଗତ ମାର୍ଚ୍ଚ ୧ତାରିଖରେ ଓଇଆରସି ଅଧ୍ୟକ୍ଷ ପଦ ଦାୟିତ୍ୱ ସମ୍ଭାଳିଥିବା ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ୨୦୨୭ରେ ଶେଷ ହୋଇଥାନ୍ତା । ମାତ୍ର ଅପ୍ରତ୍ୟାଶିତ ଘଟଣାକ୍ରମରେ ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଓଇଆରସି ଅଧ୍ୟକ୍ଷ ପଦରୁ ଓହରି ଯାଇଛନ୍ତି । ତାଙ୍କର ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି । ସରକାର ପୂର୍ବରୁ ଶ୍ରୀ ମହାପାତ୍ରଙ୍କର ମୁଖ୍ୟ ସଚିବ ଭାବେ କାର୍ଯ୍ୟକାଳକୁ ଦୁଇଥରରେ ଏକବର୍ଷ ବୃଦ୍ଧି କରିଥିଲେ । ଏହାସହିତ ତାଙ୍କୁ ଦୃଷ୍ଟିରେ ରଖି ଓଇଆରସି ଅଧ୍ୟକ୍ଷ ପଦ ମଧ୍ୟ ପ୍ରାୟ ଏକବର୍ଷ ଧରି ଖାଲି ରଖିଥିଲେ । ସେ ମାତ୍ର ୮ମାସ ଓଇଆରସି ଅଧ୍ୟକ୍ଷ ପଦରେ କାର୍ଯ୍ୟ କରି ଇସ୍ତଫା ଦେଇଛନ୍ତି । ଆଗକୁ ବିଦ୍ୟୁତ ଟାରିଫ ନିର୍ଦ୍ଧାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଓଇଆରସି ଅଧ୍ୟକ୍ଷ ପଦରୁ ଶ୍ରୀ ମହାପାତ୍ରଙ୍କ ଇସ୍ତଫାକୁ ଅନୁମୋଦନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛାଇ ନାହାନ୍ତି । ତାଙ୍କୁ ପୁରସ୍କାର ସ୍ୱରୂପ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି ।

ଚର୍ଚ୍ଚା ହେଉଛି, ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର ପୁଣିଥରେ ପ୍ରାର୍ଥୀ ହେବାକୁ ଅନିଚ୍ଛୁକ ଥିବାରୁ ଶ୍ରୀ ମହାପାତ୍ରଙ୍କୁ ପୁରୀ ଆସନରୁ ବିଜେଡି ପ୍ରାର୍ଥୀ କରିବ । ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଓଇଆରସି ଅଧ୍ୟକ୍ଷ ପଦରୁ ଓହରିବା ନିମନ୍ତେ ସବୁଜ ସଙ୍କେତ ଦିଆଯାଇଛି ।

Leave A Reply

Your email address will not be published.