ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ପ୍ରଫେସର ଡ. ଯଦୁନାଥ ପ୍ରସାଦ ଦାସଙ୍କ ଦେହାନ୍ତ

ଭୁବନେଶ୍ବର: ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ପ୍ରଫେସର ଡ. ଯଦୁନାଥ ପ୍ରସାଦ ଦାସଙ୍କ ରବିବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଆପଲୋ ହସ୍‌ପିଟାଲରେ ଶ୍ରୀ ଦାସଙ୍କ ୯୧ ବର୍ଷ ବୟସରେ ଦେହନ୍ତ ହୋଇଥିବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ପ୍ରଫେସର ଡ. ଯଦୁନାଥ ପ୍ରସାଦ ଦାସ ୧୯୩୩ ମସିହା ଅଗଷ୍ଟ ୫ ତାରିଖରେ ଖୋର୍ଦ୍ଧାରେ ଜନ୍ମ ଗ୍ରହଣ କରିଥିଲେ। ବିଶ୍ବନାଥ ଦାସ ଓ ନୀଳମଣି ଦେବୀ ତାଙ୍କର ପିତା-ମାତା ଥିଲେ। ସେ ଜେପି ଦାସ ନାମରେ ଅଧିକ ଲୋକପ୍ରିୟ ଥିଲେ। ବାଲ୍ୟଶିକ୍ଷା ଠାରୁ ଡାକ୍ତରୀ ସ୍ନାତକ ପାଠ୍ୟକ୍ରମ ଏମ.ବି.ବି.ଏସ ପର୍ଯ୍ୟନ୍ତ ସେ କଟକ ସହରରେ ପଢ଼ିଥିଲେ। ବିଦେଶରେ ସ୍ନାତକୋତ୍ତର ସ୍ତରୀୟ ଡିଗ୍ରି ହାସଲ ପରେ ଭେଲୋରସ୍ଥିତ ଖ୍ରୀଷ୍ଟିୟାନ୍‌ ମେଡିକାଲ କଲେଜରୁ ହୃଦ୍‌ରୋଗ ଉପରେ ଡକ୍ଟରେଟ୍‌ ଅଫ୍‌ ମେଡ଼ିସିନ୍‌ ଅଥବା ଡି.ଏମ (କାର୍ଡିଓଲୋଜି) ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ଷାଠିଏ ଦଶକ ଶେଷସୁଦ୍ଧା ସମଗ୍ର ପୂର୍ବଭାରତର ସେ ଥିଲେ ଏକମାତ୍ର ଡିଏମ୍‌ ଡିଗ୍ରିଧାରୀ କାର୍ଜିଓଲୋଜିଷ୍ଟ । ପ୍ରଫେସର ଜେପି ଜଣେ ଉଚ୍ଚମାନର ହୃଦରୋଗ ବିଶେଷଜ୍ଞ ହୋଇଥିଲେ ହେଁ ଜଣେ ସ୍ୱନାମଧନ୍ୟ ଚିତ୍ରଶଳ୍ପୀ ଓ ସୌଖୀନ କାବ୍ୟଶିଳ୍ପୀ ଭାବରେ ତାଙ୍କର ପରିଚିତି ସର୍ବଜନବିଦିତ। ତାଙ୍କର ଜୀବନଦର୍ଶନ ସେବା, ତ୍ୟାଗ ଓ ପ୍ରେମ ଉପରେ ଆଧାରିତ ଏହି କ୍ରମରେ ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ବ ସମୟ ଧରି ଜଣେ ରୋଟାରିଆନ୍‌ ଭାବରେ ତାଙ୍କର ସମାଜସେବା ଅବିସ୍ମରଣୀୟ।

ଉଭୟ ମାଟ୍ରିକ ଓ ଆଇ.ଏସ୍‌.ସି ପରୀକ୍ଷାରେ ସମଗ୍ର ଓଡ଼ିଶାରୁ ସର୍ବୋକୃଷ୍ଟ ପ୍ରଥମ ଦଶଜଣ କୃତୀଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜେପି ଥିଲେ ଅନ୍ୟତମ। ଏଥି ସହିତ ସେ ବହୁବିଧ ବୈଷିଷ୍ଟ୍ୟର ଅଧିକାରୀ ଥିଲେ। ଇଂଲଣ୍ଡର ଏଡିନ୍‌ବର୍ଗରୁ ଫେଲୋ ଅଫ୍‌ ଦ ରୟାଲ କଲେଜ୍‌ ଅଫ୍‌ ଫିଜିସିଆନ୍‌, ଫେଲୋ ଅଫ୍‌ ଦ ଆମେରିକାନ୍‌ କଲେଜ୍‌ ଅଫ୍‌ କାର୍ଡିଓଲୋଜି, ଫେଲୋ ଅଫ୍‌ ଦ ନ୍ୟାସ୍‌ନାଲ ଏକାଡେମୀ ଅଫ୍‌ ମେଡିକାଲ ସାଇନ୍ସସେସ୍‌, ଫାଉଣ୍ଡର ଫେଲୋ ଅଫ୍‌ ଇଣ୍ଡିଆନ୍‌ କଲେଜ୍‌ ଅଫ୍‌ କାର୍ଡିଓଲୋଜି, ଫେଲୋ, କାର୍ଡିଓଲୋଜିକାଲ ସୋସାଇଟି ଅଫ୍‌ ଇଣ୍ଡିଆରେ ସମ୍ମାନିତ ହୋଇଥିଲେ।

ହୃଦରୋଗ ଚିକିତ୍ସା କ୍ଷେତ୍ରରେ ଜେପି ଦାସଙ୍କ ବିଶେଷ ଅବଦାନ ଥିଲା। ଓଡ଼ିଶାରେ ହୃଦରୋଗ ଚିକିତ୍ସାର ପିତାମହ ରୂପେ ପରିଚିତ ଡ. ଜେପି ଦାସ ୧୯୭୦ ମସିହାରେ ଶ୍ରୀରାମଚନ୍ଦ୍ର ଭଂଜ ମେଡ଼ିକାଲ କଲେଜରେ ହୃଦରୋଗ ବିଭାଗ ପ୍ରତିଷ୍ଠା କରିବା ସହ ସେଠାରେ ପ୍ରଥମ ପ୍ରଫେସର ରୂପେ କାର୍ଯ୍ୟନିର୍ବାହ କରିଥିଲେ। ତାଙ୍କ କାର୍ଯ୍ୟକାଳ ଭିତରେ ଶ୍ରୀରାମଚନ୍ଦ୍ର ଭଂଜ ମେଡ଼ିକାଲ କଲେଜରେ ପ୍ରଥମ ଆଇସିୟୁ ପ୍ରତିଷ୍ଠା ହେବା ସହ ଶରୀରରେ ପେସମେକର୍‌ ଖଞ୍ଜିବା କାମ ଆରମ୍ଭ ହୋଇଥିଲା। ତାଙ୍କରି କାର୍ଯ୍ୟକାଳ ସମୟରେ ହିଁ ପ୍ରଥମ କରି ଶ୍ରୀରାମଚନ୍ଦ୍ର ଭଂଜ ମେଡ଼ିକାଲ କଲେଜରେ ଡିଏମ (କାର୍ଡିଓଲୋଜି) ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଥିଲା । ଏହାଛଡ଼ା କଲର୍‌ ଡପଲର୍‌ ଋମଷକ୍ଟ-୨ଊ ଓ ‘କାଥ୍‌ଲାବ୍‌’ ପ୍ରତିଷ୍ଠା ମଧ୍ୟ ତାଙ୍କର କୃତିତ୍ୱ । ଏହାଦ୍ୱାରାପରବର୍ତ୍ତୀ ସମୟରେ ଶ୍ରୀରାମଚନ୍ଦ୍ର ଭଂଜ ମେଡ଼ିକାଲ କଲେଜ ଭାରତରେ ଏକ ସ୍ୱୟଂସମ୍ପୂର୍ଣ୍ଣ ଓ ଗୁରୁତ୍ତ୍ୱପୂର୍ଣ୍ଣ ହୃଦରୋଗ ଚିକିତ୍ସା କେନ୍ଦ୍ର ରୂପେ ପରିଗଣିତ ହୋଇ ପାରିଥିଲା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ଭାବେ ଜେପି ଦାସ ବିଦେଶ ଯାତ୍ରା କରିଥିଲେ। ସତୁରି ଦଶକର ଶେଷଭାଗରେ ହୃଦରୋଗର ଚିକିତ୍ସା ପାଇଁ ସାରାବିଶ୍ୱରେ ଚାଲିଥିଲା ନାନା ପରୀକ୍ଷା ନିରୀକ୍ଷା, ଗବେଷଣା ଓ ଅତ୍ୟାଧୁନିକ ଯନ୍ତ୍ରପାତିର ପ୍ରୟୋଗ । ଏହାରି ଭିତରେ ୧୯୭୭ମସିହାରେ ପ୍ରଫେସର ଜେପି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ମନୋନୀତ ହୋଇ ପୃଥିବୀର ପାଞ୍ଚଟି ପ୍ରମୁଖ ହୃଦରୋଗ ଚିକିତ୍ସା ପ୍ରତିଷ୍ଠାନକୁ ଯାଇଥିଲେ ତାଲିମ, ଅଧ୍ୟୟନ ଓ ଉଚ୍ଚତର ଗବେଷଣା କ୍ଷେତ୍ରରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବାକୁ। ସେଗୁଡ଼ିକ ଭିତରେ ଥିଲା:
ନ୍ୟାସନାଲ ହାର୍ଟ ହସପିଟାଲ, ଲଣ୍ଡନ
-ଥୋରାକ୍ସ ସେଣ୍ଟମ ରୋଡାରଡ୍ୟାମ୍‌, ହଲାଣ୍ଡ
-ରିଗସ୍‌ ହସ୍ପିଟାଲ /ରୟାଲ ହସ୍ପିଟାଲ କୋପେନହେଗେନ, ଡେନମାର୍କ
-ଆଲମାନା ହସ୍‌ପିଟାଲ, ମାଲମୋ, ସ୍ୱିଡେନ
-ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି, ମସ୍କୋ

ଏହାଛଡ଼ା ଏକାଧିକବାର ଆମେରିକା, କାନାଡ଼ା ସମେତ ଜେପି ମଧ୍ୟ ଭ୍ରମଣ କରିଛନ୍ତି ଭିଏନା, ବାର୍ସିଲୋନା (ସ୍ପେନ୍‌), ବ୍ୟାଙ୍କକ୍‌ (ଥାଇଲ୍ୟାଣ୍ଡ), ବାଲି (ଇଣ୍ଡୋନେସିଆ), କାମ୍ବୋଡିଆ, ତାସକେଣ୍ଟ, କାଇରୋ (ଇଜିପ୍ଟ) ପରି ବିଶ୍ୱର ଅନେକ ରାଷ୍ଟ୍ର। ଜେପିଙ୍କ କର୍ମମୟ ଜୀବନ, ହୃଦରୋଗ ଚିକିତ୍ସାବିଜ୍ଞାନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ତଥା ତାଙ୍କର ଚିତ୍ରକଳାଗୁଡିକର ମାନବୀୟ ଆବେଦନ ଓ ବୈଶିଷ୍ଟ୍ୟ ପାଇଁ ଜେପି କେବଳ ଆମ ରାଜ୍ୟ ବା ଦେଶ ମଧ୍ୟରେ ନୁହେଁ, ବିଦେଶରେ ମଧ୍ୟ ସ୍ୱୀକୃତ ଓ ଏକ ସମ୍ମାନୀୟ ବ୍ୟକ୍ତିତ୍ୱ। ସମଗ୍ର ଭାରତରେ ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ଷଷ୍ଠ କାର୍ଡିଓଲୋଜିଷ୍ଟ ସମଗ୍ର ଭାରତରେ ଅନ୍ୟତମ ଶ୍ରେଷ୍ଠ ମେଡିକାଲ ଶିକ୍ଷକ ରୂପେ ବିଦିତ। ବିଭିନ୍ନ ପ୍ରକାରର ହୃଦରୋଗ ଉପରେ ଏକାଧିକ ବିଜ୍ଞାନଭିତ୍ତିକ ଓ ଗବେଷଣା ସମ୍ବଳିତ ରଚନା ସମୂହର ଲେଖକ ଦେଶବିଦେଶର ଅନେକ ପ୍ରମୁଖ ମେଡିକାଲ ଜର୍ଣ୍ଣାଲ ଗୁଡ଼ିକର ସମ୍ପାଦନାମଣ୍ଡଳୀର ସମ୍ମାନ୍ନିତ ସଦସ୍ୟ ଇଣ୍ଡିଆନ୍‌ କଲେଜ୍‌ ଅଫ୍‌ କାର୍ଡିଓଲୋଜିର ବାର୍ଷିକ ସମ୍ମିଳନୀରେ ଜେପି ଦାସଙ୍କ ନାମରେ ନାମିତ ଓରେସନ୍‌ ‘ଜେପି ଦାସ ଓରାଟେସନ ଅନ ହାର୍ଟ ଫେଲିଓର’ର ପ୍ରଚଳନ ସ୍ୱତନ୍ତ୍ର ସମ୍ମାନିତ ଚିତ୍ରକର ଭାବେ ସାରା ଦେଶରେ ପ୍ରସିଦ୍ଧ । ନିଜର ଏକକ ଚିତ୍ରକଳା ପ୍ରଦର୍ଶନୀ କୋଲକାତା, ବେଙ୍ଗାଲୁରୁ, ଭୁବନେଶ୍ୱର, ରାଉରକେଲା ଓ ତାଳଚେରରେ ପ୍ରଦର୍ଶିତ ବିଦେଶୀ ରାଷ୍ଟ୍ର ମାଲେସିଆର କୁଆଲାଲାମ୍ପୁରଠାରେ ସୂତ୍ର ଗ୍ୟାଲେରିରେ ନିଜର ଚିତ୍ରକଳା ପ୍ରଦର୍ଶିତ ଓ ପ୍ରଶଂସିତ ହୋଇପାରିଛି।

Leave A Reply

Your email address will not be published.