xmas

ମୟୂରଭଂଜକୁ ଆସୁଛନ୍ତି ମହାମହିମ: ରାତାରାତି ବଦଳୁଛି ରାସ୍ତାଘାଟ ଓ ରେଳ ଷ୍ଟେସନର ଚିତ୍ର

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନ ତତ୍ପର

ରାଇରଙ୍ଗପୁର: ଆସୁଛନ୍ତି ମହାମହିମ ରାଷ୍ଟ୍ରପତି। ସେଥିପାଇଁ ରାତାରାତି ବଦଳୁଛି ରାସ୍ତାଘାଟ ଓ ରେଳ ଷ୍ଟେସନର ଚିତ୍ର। ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି। ପ୍ରସ୍ତୁତି କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ। ସମୟ ଯେତିକି ପାଖେଇ ଆସୁଛି, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢିବାରେ ଲାଗିଛି। ନଭେମ୍ବର ମାସ ୨୦ ତାରିଖ (ସୋମବାର) ମୟୂରଭଂଜ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ସୋମବାର ଦିନ ବାୟୁସେନାର ସତନ୍ତ୍ର ହେଲିକେପ୍ଟର ଯୋଗେ ବାରିପଦା ପହଂଚି ସହିଦ ସ୍ମୃତି ଭବନଠାରେ ହେବାକୁ ଥିବା ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଏବଂ ଅପରାହ୍ନ ୪ ଟା ୨୫ ମିନିଟ୍‌ରେ ବାୟୁସେନାର ସତନ୍ତ୍ର ହେଲିକେପ୍ଟର ଯୋଗେ ବାରିପଦାରୁ ରାଇରଙ୍ଗପୁରସ୍ଥିତ ଦାଣ୍ଡବୋଷ ଏୟାଷ୍ଟ୍ରିପ୍‌ର ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଜୋରସୋରରେ ଚାଲିଛି ହେଲିପ୍ୟାଡ୍ ନିର୍ମାଣର କାର୍ଯ୍ୟା।

ତେବେ ରାଜ୍ୟପାଳ ରଘୁବର ଦାସ ମଧ୍ୟ ପ୍ରଥମଥର ପାଇଁ ରାଇରଙ୍ଗପୁର ଗସ୍ତରେ ଆସୁଥିବାରୁ ତାଙ୍କ ନିମନ୍ତେ ମଧ୍ୟ ମହୁଲଡିହାସ୍ଥିତ ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ କରାଯାଇଛି। ପୂର୍ତ୍ତ ବିଭାଗର ମହୁଲଡିହା ଡାକବଙ୍ଗଳାରେ ରାଷ୍ଟ୍ରପତି ଭବନରୁ ଅନୁମତି ପାଇଥିବା ବ୍ୟକ୍ତି ଓ ସଂଗଠନ ରାଷ୍ଟ୍ରପତିଙ୍କୁୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବାରୁ ଡାକବଙ୍ଗଳା ମଧ୍ୟ ଚକାଚକ୍ ହୋଇ ସାରିଛି। ପରେ ରାଇରଙ୍ଗପୁରସ୍ଥ ନିଜ ବାସଭବନରେ ଭୋଜନ ସହିତ ରାତ୍ରିଯାପନ କରିବେ। ସେଥିପାଇଁ ବିଦ୍ୟୁତ ବିଭାଗର ଅଧୀକାରୀମାନେ ନିଜେ ଉପସ୍ଥିତ ରହି ସମସ୍ତ ବିଦ୍ୟୁତ କାର୍ଯ୍ୟର ତଦାରଖ କରୁଛନ୍ତି। ରାଷ୍ଟ୍ରପତିଙ୍କ ପ୍ରଥମ ମୟୂରଭଂଜ ଗସ୍ତ ଅବସରରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ତାଙ୍କ ଅଭିଭାଷଣ ସମୟରେ ବିଦ୍ୟୁତ୍‌ ବିଭ୍ରାଟ୍ ଦେଖାଦେଇଥିଲା। ତେବେ ଆଗାମୀ ଗସ୍ତ ସମୟରେ କାର୍ଯ୍ୟକ୍ରମ ସ୍ଥଳ ଓ ବାସ ଭବନରେ ଯେପରି ବିଦ୍ୟୁତ୍‌ ବିଭ୍ରାଟ ନହେଉ ସେ ନେଇ ବିଦ୍ୟୁତ୍‌ ବିଭାଗ ପୁରା ସଜାଗ ରହିଛି। ସେହିପରି ପାହାଡପୁରସ୍ଥିତ ଏସଏଲଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟରେ ଥିବା ଦ୍ରୌପଦୀ ମୁର୍ମୁଙ୍କ ସ୍ୱାମୀ ଏବଂ ଦୁଇ ପୁଅ ଲକ୍ଷ୍ମଣ ଓ ସିପୁନର ପ୍ରତିମୂର୍ତ୍ତିକୁ ନୂତନ ରୂପ ଦିଆଯାଇଛି । ଏସ୍ଏଲ୍ଏସ୍ ସ୍କୁଲକୁ ମଧ୍ୟ ନୂଆ ଭଳି ସଜା ଯାଉଛି।

ରାଷ୍ଟ୍ରପତି ମଙ୍ଗଳବାର ଦିନ ସକାଳ ୮ ଟା ୫ରେ ମହୁଲଡିହାସ୍ଥିତ ନିଜ ବାସଭବନରୁ ବାହାରି ସୁରକ୍ଷା ବଳୟ ମଧ୍ୟରେ ସତନ୍ତ୍ର କାରକେଡ୍ ଯୋଗେ ରାଜରାସ୍ତା ଦେଇ ରାଇରଙ୍ଗପୁରରୁ ପାହାଡ଼ପୁର ଅଭିମୁଖେ ଯାତ୍ରା କରିବେ। ପାହାଡ଼ପୁର ପହଞ୍ଚିବା ପରେ ସେଠାରେ ଏଲ୍‌ଆଣ୍ଡଟି ପକ୍ଷରୁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହୋଇଥିବା ଦକ୍ଷତା ବିକାଶ କେନ୍ଦ୍ରର ଶୁଭ ଉଦଘାଟନ କରିବେ। ରାଷ୍ଟ୍ରପତି ଶୁଭ ଦେବାକୁ ଆସୁଥିବାରୁ ବେଶ୍ ଉତ୍ସାହିତ ହୋଇଛନ୍ତି ସେଠାକାର ଅଧିକାରୀ ଓ ଅଂଚଳର ମେଧାବୀ ଛାତ୍ରଛାତ୍ରୀ। ପରେ ମହାମହିମ ନିଜ ସ୍କୁଲ ଏସ୍ଏଲ୍ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟ ଯାଇ ସେଠାରେ ଥିବା କାର୍ଯ୍ୟକ୍ରମରେ ଯୋଗଦେଇ ସ୍କୁଲ ଓ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ତାସହିତ ସ୍କୁଲ୍ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ସହିତ ମିଶିବେ।

ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାରୁ ବାହାରି ବାଦାମପାହାଡ ରେଳଷ୍ଟେସନ ଅଭିମୁଖେ ଯାତ୍ରା କରିବେ। ବାଦାମପାହାଡ଼ ରେଳ ଷ୍ଟେସନରେ ପହଞ୍ଚି ସେଠାରେ ୩ଟି ନୂତନ ଟ୍ରେନ୍ ଯଥା ଟାଟାନଗର-ବାଦାମପାହାଡ଼ ମେମୁ ଟ୍ରେନ୍, ବାଦାମପାହାଡ-ରାଉରକେଲା ଏକ୍ସପ୍ରେସ୍ ଓ ସାଲିମାର-ବାଦାମପାହାଡ଼ ଏକ୍ସପ୍ରେସ୍ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିବେ। ଏଥି ସହ ଭିସି ମାଧ୍ୟମରେ ରାଇରଙ୍ଗପୁର ଡିଭିଜନ୍ ପୋଷ୍ଟ ଅଫିସର ଓ କୁଳିଅଣାସ୍ଥିତ ଏକଲବ୍ୟ ବିଦ୍ୟାଳୟର ଶୁଭ ଉଦଘାଟନ ସହିତ ବାଦାମପାହାଡ଼ର ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଉହିଛି।

ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ଟ୍ରେନର ଶୁଭାରମ୍ଭ କରିବା ସହ ନିଜେ ବାଦାମପାହାଡ଼ ଷ୍ଟେସନରୁ ଟ୍ରେନରେ ବସି ରାଇରଙ୍ଗପୁର ଷ୍ଟେସନରକୁ ଯାତ୍ରା କରିବେ। ପରେ ରାଇରଙ୍ଗପୁରସ୍ଥ ଗୋ-ଶାଳାରେ ମଧ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସେଥିପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି। ସେପଟରେ ରାଷ୍ଟ୍ରପତିଙ୍କ ଟ୍ରେନ୍‌ ଯାତ୍ରାରେ କୌଣସି ତ୍ରୁଟି ନହେଉ ସେଥିପାଇଁ ରେଳ ଇଂଜିନିୟରଙ୍କ ସହ ଜିଏମ୍ ଓ ଡିଆରଏମ୍ ମଧ୍ୟ ରେଳ ଲାଇନ୍ ଓ ରେଳ ଷ୍ଟେସନର କାର୍ଯ୍ୟ ତଦାରଖ କରୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ରେଲବାଇ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ରେଳ ସେବା ଶୁଭାରମ୍ଭ ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ଓ କେନ୍ଦ୍ର ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେବେ ବୋଲି ସୂଚନା ମିଳିଛି। ଶାନ୍ତିଶୃଙ୍ଖଳା ରକ୍ଷା ଓ ସୁରକ୍ଷା ପାଇଁ ୧୫ ଶହରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.