ସଜେଇ ହୋଇଛି ରାଇରଙ୍ଗପୁର, ଆଜି ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ହେବା ପରେ ଆଜି ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ।

ଭୁବନେଶ୍ବର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ଆଜି ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ।

ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବା ସହ ରାଇରଙ୍ଗପୁରରୁ ୩ଟି ନୂଆ ଟ୍ରେନର ସେ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ମାଟିର ଝିଅକୁ ସ୍ୱାଗତ କରିବା ପାଇଁ ସାଧବ ବୋହୁ ପରି ସଜେଇ ହୋଇଛି ବାରିପଦା ଓ ରାଇରଙ୍ଗପୁର।

ଆଜି ନୂଆଦିଲ୍ଲୀରୁ ବାହାରି ପ୍ରଥମେ ପଶ୍ଚିମବଙ୍ଗ କଲେଇକୁଣ୍ଡା ବାୟୁସେନା ବିମାନଘାଟିରେ ଅବତରଣ କରିବ ମ୍ୟାଡମ ପ୍ରେସିଡେଣ୍ଟଙ୍କ ବିମାନ। ସେଠୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଦିନ ୧୧ଟାରେ ବାରିପଦାରେ ଓହ୍ଲାଇବେ ଦେଶର ପ୍ରଥମ ନାଗରିକ। ସେଠାରୁ ସିଧା ଯିବେ ସହିଦ ସ୍ମୃତି ଭବନ। ସେଠି ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ।

କିଛି ସମୟ ବାରିପଦା ସର୍କିଟ୍ ହାଉସରେ ବିଶ୍ରାମ ନେବା ପରେ ଅପରାହ୍ନ ୨ଟା୩୫ରେ କୁଳିଅଣାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲୋକର୍ପଣ କରିବେ। ସେଠୁ ରାଇରଙ୍ଗପୁର ଯିବେ। ଆସନ୍ତାକାଲି ରାଇରଙ୍ଗପୁରରୁ ରାଷ୍ଟ୍ରପତି ୩ଟି ନୂଆ ଟ୍ରେନ୍‌ର ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି।

ନଭେମ୍ବର ୨୧ତାରିଖ (ମଙ୍ଗଳବାର) ରାଷ୍ଟ୍ରପତିଙ୍କୁ ମୟୂରଭଞ୍ଜର ପାହାଡପୁର ଗ୍ରାମବାସୀ ପୂର୍ବାହ୍‌ଣ ୮ଟା ୧୫ରୁ ୯ଟା ୧୫ ମଧ୍ୟରେ ସ୍ବାଗତ କରିବେ। ସେଠାରେ ରାଷ୍ଟ୍ରପତି ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ। ପରେ ସେ ପ୍ରୟାସ ଟ୍ରଷ୍ଟ ଦ୍ବାରା ନିର୍ମିତ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟନ କରିବେ। ସକାଳ ୮ଟା ୫୦ରୁ ୯ଟା ୧୫ ମଧ୍ୟରେ ଏସ୍‌ଏଲଏସ୍‌ ମେମୋରିଆଲ ଆବାସିକ ସ୍କୁଲ ପରିସରରେ ସମାଧୀ ସ୍ଥଳକୁ ଯିବେ। ସେଠାରେ ଏସ୍‌ଏଲଏସ୍‌ ଟ୍ରଷ୍ଟ ସ୍କୁଲର ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ସଂପର୍କୀୟଙ୍କୁ ସମ୍ବୋଧିତ କରିବେ। ଏହା ପରେ ବିଦ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ମହାମହିମ ଏହି ଦିନ ସକାଳ ୯ଟା ୧୫ରୁ ୧୦ଟା ୪୫ ଭିତରେ ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବେ। ଏହି ଟ୍ରେନ୍‌ଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ;  ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ; ଏବଂ ବାଦାମପାହାଡ଼ – ଶାଲିମାର ସାପ୍ତାହିକ ଏକ୍ସପ୍ରେସ। ରାଷ୍ଟ୍ରପତିଙ୍କ ଦ୍ବାରା ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦ୍‌ଘାଟନ କରାଯିବ। ସେ ମଧ୍ୟ ରାଇରଙ୍ଗପୁର ଡାକ ଡିଭିଜନର ଏକ ସ୍ମାରକୀ ଲଫାପା ଜାରି କରିବେ। ଏଥିସହିତ ବାଦାମପାହାଡ଼ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିବେ। ସେ ପୂର୍ବାହ୍ନ ୧୦ଟା ୪୫ରୁ ୧୧ଟା ୨୫ ଭିତରେ ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସରେ ବାଦାମପାହାଡ଼ ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବେ। ମଙ୍ଗଳବାର ଅପରାହ୍‌ଣ ୪ଟା ୩୦ରୁ ୫ଟା ୩୦ ମଧ୍ୟରେ ରାଷ୍ଟ୍ରପତି ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ବବିଦ୍ୟାଳୟର ୧୫ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ।  ଏହା ପୂର୍ବରୁ ସେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ। ସନ୍ଧ୍ୟା ୫ଟା ୪୫ରେ ସେ ମା’ ସମଲେଶ୍ବରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ।

ଆସନ୍ତା ୨୨ ତାରିଖ ପୂର୍ବାହ୍‌ଣ ୧୦ଟା ୨୦ରୁ ୧୧ଟା ୨୦ ମଧ୍ୟରେ ରାଷ୍ଟ୍ରପତି ସମ୍ବଲପୁରଠାରେ ବ୍ରହ୍ମକୁମାରୀ ସଂସ୍ଥାଦ୍ବାରା ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ- ନୂଆ ଭାରତ ପାଇଁ ନୂଆ ଶିକ୍ଷାକୁ ଶୁଭାରମ୍ଭ କରିବେ। ଏହାପରେ ରାଷ୍ଟ୍ରପତି ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତି ଗସ୍ତ କରିବେ, ଯେଉଁଠାରେ ସେ ଶ୍ରୀ ସତ୍ୟ ସାଇ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ୪୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

ରାଷ୍ଟ୍ରପତି ହେବା ପରେ ଦ୍ୱିତୀୟ ଥର ପାଇଁ ରାଇରଙ୍ଗପୁର ଯାଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଠି ବି କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବେ ଓ ନିଜ ମହୁଲଡିହା ବାସଭବନରେ ରାତ୍ରୀଯାପନ କରିବେ।

ମଙ୍ଗଳବାର ଶାଶୁଘର ପାହାଡ଼ପୁରରେ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କରିବାପରେ ସ୍ୱାମୀ ଏବଂ ଦୁଇ ପୁଅଙ୍କ ସ୍ମୃତିରେ ଚାଲିଥିବା ଆବାସିକ ସ୍କୁଲରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେହିପରି ରାଇରଙ୍ଗପୁରରେ ପୋଷ୍ଟାଲ ଡିଭିଜନକୁ ଉଦଘାଟନ କରିବେ ରାଷ୍ଟ୍ରପତି। ଯାହାଦ୍ୱାରା ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ଟି ବ୍ଲକର ଲକ୍ଷ ଲକ୍ଷ ଲୋକଙ୍କୁ ଆଉ ୧୦୦ କିଲୋମିଟର ଅତିକ୍ରମ କରି ବାରିପଦା ଆସିବାକୁ ପଡିବନି। ତେଣୁ ସମଗ୍ର ମୟୂରଭଞ୍ଜ ଜିଲ୍ଲାବାସୀ ମହାମହିମଙ୍କୁ ଆସିବା ବାଟକୁ ଉତ୍କଣ୍ଠାରେ ଅପେକ୍ଷା କରିଛନ୍ତି।

ରାଷ୍ଟ୍ରପତିଙ୍କ ଗସ୍ତସୂଚୀ:
ଆଜିର କାର୍ଯ୍ୟକ୍ରମ
ଦିନ ୧୧ଟା ୨୫ମିନିଟ୍ରେ ବାରିପଦାରେ ପହଂଚିବେ
ଦିନ ୧୧.୨୫- ୧୨.୨୫ ମିନିଟ– ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ
ବାରିପଦାରେ ମଧ୍ୟାନ୍ନ ଭୋଜନ କରିବେ
ଦିନ ୨ଟା ୩୫ରୁ ୩ଟା ୧୫ ମିନିଟ – କୁଳିଅଣା ବ୍ଲକରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବେ
ଅପରାହ୍ଣ ୩ଟା ୧୫ ମିନିଟ୍ – ରାଇରଙ୍ଗପୁର ଅଭିମୂଖେ ବାହାରିବେ ମହାମହିମ
ରାଇରଙ୍ଗପୁରରେ ରାତ୍ରୀ ଯାପନ କରିବେ

ଆସନ୍ତାକାଲିିର କାର୍ଯ୍ୟକ୍ରମ :
ସକାଳ ୮ଟା ୧୫ମିନିଟ – ପାହାଡପୁର ଗାଁରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ
ସକାଳ ୮ଟା ୧୭ ମିନିଟରୁ ୮ଟା ୧୯ ମିନିଟ – ପାହାଡପୁର ମୁର୍ମୁ ଛକରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
ସକାଳ ୮ଟା ୨୧ରୁ ୮ଟା ୪୫ ମିନିଟ – ପ୍ରୟାସ ଟ୍ରଷ୍ଟର ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ
ସକାଳ ୮ଟା ୫୦ ମିନିଟରୁ ୯ଟା ୧୫ – ଏସଏଲଏସ ମୋମେରିଆ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ
ଏସଏଲଏସ ମୋମେରିଆ ଆବାସିକ ବିଦ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ
ସକାଳ ୯ଟା ୩୫ରୁ ଦିନ ୧୦ଟା ୪୫ ବାଦାମପାହାଡ ରେଳ ଷ୍ଟେସନରେ ୩ଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ
ଟାଟାନଗର-ବାଦାମପାହାଡ-ମେମୁ ଟ୍ରେନ
ବାଦାମପାହାଡ-ରାଉରକେଲା ଏକ୍ସପ୍ରେସ ଟ୍ରେନ
ଶାଲିମାର-ବାଦାମପାହାଡ ଏକ୍ସପ୍ରେସର ଶୁଭାରମ୍ଭ କରିବେ ରାଷ୍ଟ୍ରପତି
ବାଦାମପାହାଡ ରେଳ ଷ୍ଟେସନ ଉନ୍ନତିକରଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ
ଦିନ ୧୦ଟା ୪୫ରୁ ଦିନ ୧୧ଟା ୧୫ବାଦାମ ପାହାଡ ରେଳ ଷ୍ଟେସନରୁ ରାଇରଙ୍ଗପୁରକୁ ଟ୍ରେନ ଯାତ୍ରା
ଦିନ ୧୧ଟା ୪୦ରୁ ଦିନ ୧୧ଟା ୪୫- ରାଇରଙ୍ଗପୁର ପୋଷ୍ଟାଲ ଡିଭିଜନ ପରିଦର୍ଶନ
ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଇରଙ୍ଗପୁରରୁ ସମ୍ବଲପୁର ଯିବେ
ଅପରାହ୍ନ ୪ଟା – ସମ୍ବଲପୁରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଅପରାହ୍ନ ୪ଟା ୧୦- ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୫ଟା ୩୦ – ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ
ସନ୍ଧ୍ୟା ୫ଟା ୩୦ – ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Leave A Reply

Your email address will not be published.