xmas

ମାଲ୍ୟବନ୍ତ ମହୋତ୍ସବ-୨୦୨୩ ପୋଷ୍ଟର ଓ ସଂଗୀତ ଉନ୍ମୋଚନ

ମାଲକାନଗିରି, ୨୪/୧୧/୨୩: ମାଲ୍ୟବନ୍ତ ମହୋତ୍ସବ-୨୦୨୩ର ପୋଷ୍ଟର ଓ ସଂଗୀତ ସ୍ଥାନୀୟ ସଂସ୍କୃତି ଭବନଠାରେ ଉନ୍ମୋଚନ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ବିଶାଲ ସିଂ, ବିଧାୟକ ଚିତ୍ରକୋଣ୍ଡା, ପୂର୍ଣ୍ଣଚନ୍ଦ୍ର ବାକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ପତିତ ପାବନ ବୈଦ୍ୟ, ବନଖଣ୍ଡ ଅଧିକାରୀ, ପ୍ରତାପ କଟାପଲ୍ଲୀ, ଜିଲ୍ଲା ପରିଷଦ ସ୍ୱତନ୍ତ୍ର ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ତପନ କୁମାର ରଥ ଓ ଉପ ଜିଲ୍ଲାପାଳ ତଥା ମାଲ୍ୟବନ୍ତ ମହୋତ୍ସବ ସଂସ୍କୃତି କମିଟିର ଅଧ୍ୟକ୍ଷ ଡ଼ଃ ଅକ୍ଷୟ ଖେମୁଣ୍ଡୁଙ୍କ ଉପସ୍ଥିତିରେ ଏହା ଉନ୍ମୋଚନ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଚଳିତ ବର୍ଷର ମାଲ୍ୟବନ୍ତ ମହୋତ୍ସବକୁ ଆଡମ୍ୱର ଓ ଶାନ୍ତି ଶୃଙ୍ଖଳା ସହକାରେ ପାଳନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମହୋତ୍ସବ ମାଧ୍ୟମରେ ସ୍ଥାନୀୟ ଲୋକ କଳା, ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ସହ ସ୍ଥାନୀୟ କଳାକାର ଙ୍କୁ ସୁଯୋଗ ଦେବା ପାଇଁ ପ୍ରୟାସ କରାଯାଉଅଛି ବୋଲି ଜିଲ୍ଲାପାଳ କହିଥିଲେ । ସେହିପରି ଜିଲ୍ଲା ପ୍ରଶାସନର ସୁନ୍ଦର ପ୍ରଚେଷ୍ଟା ପାଇଁ ବିଧାୟକ ଶ୍ରୀ ବାକା ପ୍ରଶଂସା କରିଥିଲେ। ସୂଚନା ଥାଉ କି ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ-୨୩ ଡିସେମ୍ବର ୧୫ରୁ ୧୭ ଓ ପଲ୍ଲୀଶ୍ରୀ ମେଳା ୧୫ରୁ ୧୯ ପର୍ଯ୍ୟନ୍ତ କ୍ରୀଡା ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ। ନଭେମ୍ୱର ୨୮ ରେ ପଦ୍ମଗିରି ସ୍ଥିତ ଜଦୁଗୁଡ଼ା ଶୈବ ପୀଠରୁ ଉତ୍ସବ ଶୁଭାରମ୍ଭ ହେବ । ଚଳିତ ଥର ମଧ୍ୟ ରାଜ୍ୟ ବାହାରୁ, ବିଭିନ୍ନ ଜିଲ୍ଲାରୁ ଓ ପ୍ରସିଦ୍ଧ କଳାକାରଙ୍କୁ ଆମନ୍ତ୍ରଣ କରାଯାଇଛି। ଏହି ଅବସରରେ ଉପ ଜିଲ୍ଲାପାଳ ଡଃ ଖେମୁଣ୍ଡୁ ଲୋକ କଳା ସଂସ୍କୃତିକୁ ସର୍ବୋଚ୍ଚ ଶିଖରରେ ପହଞ୍ଚାଇବା ପାଇଁ ଆମେ ସମସ୍ତେ ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିବା ବେଳେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ମନସ୍ଵି ସେଠୀ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ, ଶଶାଙ୍କ ଶେଖର ମିଶ୍ର, ରଞ୍ଜନ ମହାନ୍ତି ଓ ବିନାଶ ମିଶ୍ର ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ / ଅଧ୍ୟକ୍ଷା, ଜିଲ୍ଲାସ୍ତରୀୟ ଅଧିକାରୀ, ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଧ୍ୟକ୍ଷା ଛାତ୍ରଛାତ୍ରୀ ଓ କଳାକାର ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.