xmas

ନବମ ଶ୍ରେଣୀ ଛାତ୍ର ପଶୁପ୍ରେମୀ ଲକ୍ଷ୍ମଣ: ମାଗଣାରେ ୩୦୦ ପଶୁକୁ ଚିକିତ୍ସା ଯୋଗାଇଲେଣି

ମାଲକାନଗିରି: ବୟସ ମାତ୍ର ୧୪ ବର୍ଷ। ଫୋନ ଆସିଲେ ଘଟଣାସ୍ଥଳରେ ପହଞ୍ଚିଯାଆନ୍ତି। ଦିନ ହେଉ ବା ରାତି ସବୁବେଳେ ପଶୁମାନଙ୍କୁ ଅସୁବିଧାରେ ସେବା ଯୋଗାଇଥାନ୍ତି। ଆହତ ପଶୁମାନଙ୍କ ପାଇଁ ସେ ମସିହା ସାଜିଛନ୍ତି। କ୍ଷତାତ ଅବସ୍ଥାରେ ଥିବା ପଶୁମାନଙ୍କ ଚିକିତ୍ସା କରି ସେମାନଙ୍କୁ ଆଶ୍ରୟସ୍ଥଳୀକୁ ଆଣି ସେବା କରନ୍ତି। ଆହତ ଗୋମାତାଙ୍କ ଜୀବନ ବଞ୍ଚାଇବା ପାଇଁ ଆପ୍ରଣେ ଉଦ୍ୟମ କରିଥାନ୍ତି ଲକ୍ଷ୍ମଣ ଛତ୍ରୀ। ମାଲକାନଗିରି ସହରରେ ଥିବା ଆହତ ଗାଈଗୋରୁ କିମ୍ବା ଅନ୍ୟ ପଶୁମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଉଛନ୍ତି। ଏଥିସହ ଗୋଟିଏ ଗାଡିରେ ଗାଈଗୋରୁକୁ ଘରେ କରିଥିବା ଆଶ୍ରୟସ୍ଥଳୀରେ ରଖି ଚିକିତ୍ସା କରିଥାନ୍ତି।

ମାଲକାନଗିରି ସହରର ଜଗନ୍ନାଥ ମନ୍ଦିର ସାହିରେ ଲକ୍ଷ୍ମଣଙ୍କ ଘର। ବିମଲ କୁମାର ଛତ୍ରୀ ଓ ନିଶା ଛତ୍ରୀଙ୍କ ଏକମାତ୍ର ସନ୍ତାନ ହେଉଛନ୍ତି ଲକ୍ଷ୍ମଣ। ନବମ ଶ୍ରେଣୀର ଛାତ୍ର ଲକ୍ଷ୍ମଣ ପିଲାଟି ଦିନରୁ ଗୃହପାଳିତ ପଶୁପ୍ରତି ଆଗ୍ରହ ରହିଥିଲା। ଗାଈକୁ ଦେଖିଲେ ତାହାକୁ ଆଦର କରିଥାନ୍ତି। ଲକ୍ଷ୍ମଣଙ୍କ କହିବାନୁଯାୟୀ, ଗତବର୍ଷ ସେ ସ୍ଥାନୀୟ ରିକ୍ଲାମେସନ କଲୋନୀକୁ ଯାଉଥିବା ବେଳେ ସେଠାରେ ଗୋଟିଏ ଷଣ୍ଢ ଆହତ ହୋଇ ପଡିଥିବାର ଦେଖିଥିଲେ। ଗୋଡରୁ ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ଷଣ୍ଢଟି କଷ୍ଟପାଉଥିଲା। ସେ ଚିକିତ୍ସା କରିବା ପାଇଁ ପ୍ରାଣୀ ଚିକିତ୍ସାଳୟରେ ସୂଚନା ଦେଇଥିଲେ। ଡାକ୍ତର ସେଠାରେ ପହଞ୍ଚି ଷଣ୍ଢର ଚିକିତ୍ସା କରିଥିବା ବେଳେ ଲକ୍ଷ୍ମଣ ତାହାକୁ ଦେଖିଥିଲେ। ଷଣ୍ଢର ଚିକିତ୍ସା ଆହୁରି ଆବଶ୍ୟକତା ଥିବା ବେଳେ ଲକ୍ଷ୍ମଣ ତାକୁ ପିକଅପ୍ ଗାଡିରେ ଘରକୁ ନେଇ ଆସିଥିଲେ। ଘରେ ରଖି ଷଣ୍ଢକୁ ଏକ ମାସ ଧରି ନିୟମିତ ଭାବେରେ ସେବା କରିଥିଲେ। ଡାକ୍ତର ସବୁ ସମୟରେ ଆସିପାରୁନଥିବା ବେଳେ ଲକ୍ଷ୍ମଣ ଷଣ୍ଢର ଚିକିତ୍ସା କରିଥିଲେ। ଏଭଳି ଭାବରେ ପ୍ରାଥମିକ ଚିକିତ୍ସା ବିଷୟରେ ସେ ଅବଗତ ହୋଇଥିଲେ। ଏହାପରେ ସେ ଯେଉଁଠି ଗାଡି ଧକ୍କାରେ ଆହତ ହୋଇ ପଡିଥିବା ଗାଈଗୋରୁକୁ ଦେଖିଥାନ୍ତି ତାହାର ଚିକିତ୍ସା କରିଥାନ୍ତି। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଗାଈଗୋରରୁ ସେବା କରିବା ପରେ ସେ ଗୋଟିଏ ଆସ୍‌ ଗ୍ରୁପ (ଅଲ୍ ଏନିମଲ୍ ସେଭର) ତିଆରି କରିଲେ। ସେଥିରେ ବାପାଙ୍କ ଦୋକାନରେ ଥିବା କର୍ମଚାରୀଙ୍କୁ ସାମିଲ କରିଥିଲେ। ଏଥିସହ ମୋବାଇଲ ନମ୍ବରକୁ ବିଭିନ୍ନ ଲୋକଙ୍କୁ ପ୍ରଦାନ କରିଥିଲେ। କୌଣସି ସ୍ଥାନରେ ଗାଈଗୋରୁ ଆହତ ହୋଇ ପଡିଥିଲେ ଯୋଗାଯୋଗ କରିବା ପାଇଁ ସୋସିଆଲମିଡିଆର ସହଯୋଗ ନେଇଥିଲେ। ଏଭଳି ବହୁ ସ୍ଥାନରେ ଗାଈଗୋରୁକୁ କୌଣସି ଗାଡି ଧକ୍କା ଦେଇ ଚାଲିଯାଇଥିବାର ଦେଖି ଲୋକେ ଲକ୍ଷ୍ମଣଙ୍କୁ ଫୋନ କରୁଛନ୍ତି। ଲକ୍ଷ୍ମଣ ସେଠାରେ ନିଜର ଟିମକୁ ନେଇ ସେଠାରେ ପହଞ୍ଚି ଚିକିତ୍ସା କରୁଛନ୍ତି।

ଗାଈଗୋରୁର ଶରୀରରୁ ରକ୍ତ ବାହାରୁଥିବା କିମ୍ବା ସେଠାରେ ପୋକ ଲାଗିଥିବା ଦେଖି ସେ ସହ୍ୟ କରିପାରନ୍ତି ନାହିଁ। ନିଜେ ହାତରେ ଗ୍ଲୋଭସ୍ ଲଗାଇ ତାହାକୁ ସଫା କରି ଦିଅନ୍ତି। ବେଟାଡାଇନ୍ ଲଗାଇ ତାହାକୁ ସଫା କରିବା ସହ ସେଠାରେ ମଲମ ଲଗାନ୍ତି ଓ ବ୍ୟାଣ୍ଡେଜ କରିବା ସହ ହଳଦୀ ଲେପ ମଧ୍ୟ ଦେଇଥାନ୍ତି। ଆବଶ୍ୟକସ୍ଥଳେ ଡାକ୍ତରଙ୍କୁ ଫୋନରେ ପଚାରି ମଧ୍ୟ ଚିକିତ୍ସା କରିଥାନ୍ତି। ଘରେ ଥିବା ପିକଅପ୍ ଭ୍ୟାନକୁ ଆମ୍ବୁଲାନ୍ସ କରିଦେଇଥିବା ବେଳେ ସେଥିରେ ଆହତ ଗାଈଗୋରୁକୁ ଆଣି ଘର ପଛପଟେ ରଖିଥିବା ଆଶ୍ରୟସ୍ଥଳୀରେ ରଖିଥାନ୍ତି। ନଚେତ ପ୍ରଧାନୀଗୁଡାରେ କରିଥିବା ଆଶ୍ରୟସ୍ଥଳୀରେ ରଖି ତାହାର ସେବା କରିଥାନ୍ତି। ପ୍ରତ୍ୟେକ ଦିନ ସେମାନକୁ ଖାଇବାକୁ ଦେବା ସହ ସୁସ୍ଥ ହେବା ପର୍ଯ୍ୟନ୍ତ ଯତ୍ନ ନିଅନ୍ତି। ଅଧିକ ଦୁର୍ଘଟଣା ରାତିରେ ଘଟୁଥିବା ବେଳେ ବିଳମ୍ବିତ ରାତିରେ ମଧ୍ୟ ପହଞ୍ଚି ଚିକିତ୍ସା କରିଥାନ୍ତି। ଚିକିତ୍ସା ପାଇଁ ଆବଶ୍ୟକୀୟ ପଡୁଥିବା ଔଷଧ ଓ ଖାଦ୍ୟ ପାଇଁ ବାପା ବିମଲ ଟଙ୍କା ପ୍ରଦାନ କରିଥିବା ନେଇ ସେ ପ୍ରକାଶ କରିଛନ୍ତି। ଏକ ବର୍ଷ ମଧ୍ୟରେ ସେ ପ୍ରାୟ ୩୦୦ରୁ ଅଧିକ ଆହତ ଗାଈଗୋରୁ, ଷଣ୍ଢ, କୁକୁର ଓ ବିଲେଇକୁ ଚିକିତ୍ସା ଯୋଗାଇ ସାରିଛନ୍ତି। ଆଗାମୀ ଦିନରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ପାଠ ପଢ଼ି ଆହତ ପଶୁକୁ ଅଧିକ ଚିକିତ୍ସା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.