xmas

ବିଜେଡିରେ ଯୋଗ ଦେଲେ ଭି.କେ. ପାଣ୍ଡିଆନ

ସେପ୍ଟେମ୍ବର ୨୩ ତାରିଖରେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ।

ଭୁବନେଶ୍ୱର: ରାଜନୀତିରେ ପାଦ ଥାପିଛନ୍ତି ଲୋକପ୍ରିୟ ଆଇଏଏସ ଅଫିସର ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ୫-ଟି ଅଧ୍ୟକ୍ଷ । ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ପୂର୍ବତନ ସଚିବଙ୍କୁ ଦଳରେ ସାମିଲ କରିଛନ୍ତି। ବରିଷ୍ଠ ବିଜେଡି ନେତାମାନଙ୍କ ବୈଠକ ପରେ ଭି.କେ ପାଣ୍ଡିଆନ ସାମିଲ ହୋଇଛନ୍ତି। ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ପାଣ୍ଡିଆନଙ୍କୁ ବିଜେଡିରେ ଗ୍ରହଣ କରାଯାଇଥିଲା । ସେପ୍ଟେମ୍ବର ୨୩ ତାରିଖରେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଅବସର ନେବାର ଗୋଟିଏ ଦିନ ପରେ ଶ୍ରୀ ପାଣ୍ଡିଆନଙ୍କୁ ରାଜ୍ୟ ସରକାରଙ୍କ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା।। ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ଏହା ସହ ଶ୍ରୀ ପାଣ୍ଡିଆନଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଥିଲା।

ରାଜନୀତିରେ ପ୍ରବେଶ ସହ ନିଜ ଘଟଣା ବହୁଳ କ୍ୟାରିୟରର ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୋପାନରେ ପହଞ୍ଚିଛନ୍ତି ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡ଼ିଶା ଓ ରୂପାନ୍ତରଣ ଯୋଜନାର ସଫଳ ରୂପାୟନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ଅବସରପ୍ରାପ୍ତ ଆଇଏଏସ ଅଫିସରଙ୍କ ଉପରେ ଏବେ ରହିବ ଦଳକୁ ଆଗାମୀ ନିର୍ବାଚନ ବୈତରଣୀ ପାର କରିବାର ଗୁରୁ ଦାୟିତ୍ବ ।

ଆଜି ସକାଳେ ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ମନ୍ତ୍ରୀ ପ୍ରତାପ ଦେବ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମୀର ଦାଶ, ସଞ୍ଜୟ ଦାସ ବର୍ମା, ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥତି ଥିଲେ। ସେହିପରି ବିଜେଡିର ଅନ୍ୟ କେତେକ ବରିଷ୍ଠ ନେତା ଓ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିଲେ। ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ରାଜ୍ୟ ରାଜନୀତି ସରଗରମ ରହିଛି। ଆଗକୁ  ଶ୍ରୀ ପାଣ୍ଡିଆନଙ୍କୁ କେଉଁ ବଡ଼ ଦାୟିତ୍ୱ ମିଳୁଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। 

୨୦୦୦ ବ୍ୟାଚ୍ ଶ୍ରୀ ପାଣ୍ଡିଆନ ପଞ୍ଜାବ କ୍ୟାଡ଼ରରେ ନିଯୁକ୍ତି ପାଇଥିଲେ। କିନ୍ତୁ ଓଡ଼ିଶା କ୍ୟାଡ଼ରର ସୁଜାତା ରାଉତଙ୍କୁ ପ୍ରେମ ବିବାହ କରିବା ପରେ ସେ ନିଜର କ୍ୟାଡ଼ର ପରିବର୍ତ୍ତନ କରି ଓଡ଼ିଶା ଆସିଥିଲେ।

ଶ୍ରୀ ପାଣ୍ଡିଆନ୍‌ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ୨୦୦୦ ସେପ୍ଟେମ୍ବର ୭ରୁ ୨୦୨୨ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ତାଲିମ ନେଇଥିଲେ। ଆଇଏଏସ୍‌ ତାଲିମ ଶେଷ ହେଲା ପରେ ସେ ପ୍ରଥମେ କଳାହାଣ୍ଡିର ଧର୍ମଗଡ଼ରେ ଉପଜିଲ୍ଲାପାଳ ପଦବିରେ ନିଯୁକ୍ତ ହୋଇଥିଲେ। ସେ କଳାହାଣ୍ଡିରେ ୨୦୦୨ ଅଗଷ୍ଟ ୧ରୁ ୨୦୦୪ ଫେବ୍ରୁଆରି ୨୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୦୪ ମାର୍ଚ୍ଚ ୧ରୁ ଜୁନ୍‌ ୩୦ ଯାଏ ଓଡ଼ିଶା ନିର୍ବାଚନ ବିଭାଗରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ। ୨୦୦୪ ଜୁଲାଇ ୧ରୁ ୨୦୦୫ ଏପ୍ରିଲ ୩୦ ଯାଏଁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇଥିଲେ।

ସେହିପରି ଶ୍ରୀ ପାଣ୍ଡିଆନଙ୍କୁ ୨୦୦୫ ମେ’ ୧ରୁ ୨୦୦୭ ଏପ୍ରିଲ ୮ ଯାଏଁ ମୟୂରଭଂଜ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ସେ ଗଂଜାମ ଜିଲ୍ଲାପାଳ ଭାବେ ୨୦୦୯ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ କାମ କରିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିବା ପରେ ୨୦୧୧ ମେ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ। ଏହି ପଦବିରେ ଥିବା ସମୟରେ ତାଙ୍କର କ୍ଷମତା କ୍ରମଶଃ ବୃଦ୍ଧି ହୋଇଥିଲା ଓ କାର୍ଯ୍ୟ ପରିସର ବ୍ୟାପକ ହୋଇଥିଲା। ଏହାପରେ ୨୦୧୯ ମସିହାରେ ‌ତାଙ୍କୁ ୫-ଟି ସଚିବ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲେ। ଏହାପରେ ସେ ଆହୁରି ଅଧିକ କ୍ଷମତାଶାଳୀ ହୋଇଉଠିଲେ। ଏଥିସହ ସେ ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଗଣିତ ହେଲେ।

Leave A Reply

Your email address will not be published.