xmas

ଚୋରି ମାମଲାରେ ୪ ଜଣ ଅଭିଯୁକ୍ତ ଗିରଫ

ମାଲକାନଗିରି: ମାଲକାନଗିରି ଆଦର୍ଶ ଥାନା ଅଞ୍ଚଳରେ ହୋଇଥିବା ୨ଟି ଚୋରି ମାମଲାରେ ପୁଲିସକୁ ସଫଳତା ମଳିଛି। ଏଥିରେ ମୋଟ ୪ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ଚୋରି ସାମଗ୍ରୀକୁ ଜବତ କରିଛି। ଗୋଟିଏ ମାମଲାର ଅଭିଯୁକ୍ତ ହେଲେ ସ୍ଥାନୀୟ ନୂଆଗୁଡାର ହରି କଚିମ (୨୭), ସମୀର ନାଗ (୨୩), ସାହିଲ ଗଣ୍ଡ (୧୮) ଓ ଅନ୍ୟ ଏକ ମାମଲାର ଅଭିଯୁକ୍ତ ସତୀଗୁଡା ଜଳଭଣ୍ଡର ଅଞ୍ଚଳର ନାରାୟଣ ପାଙ୍ଗୀ (୨୯)।

ସୂଚନା ଅନୁଯାୟୀ, ମାଲାକନଗିରି ଜିଲ୍ଲା ପାଠଗାର ଠାରେ ଚାଲିଥିବା ଲକ୍ଷ୍ୟ କେନ୍ଦ୍ରରେ ପାଣି ଉଠାଇବା ପାଇଁ ପମ୍ପ ଲଗାଯାଇଥିଲା। ଗତ ୧ ତାରିଖ ବିଳମ୍ବିତ ରାତିରେ ୩ ଜଣ ଅଭିଯୁକ୍ତ ପାଣି ପମ୍ପକୁ ବାହାର କରିବା ସହ ସେଠାରେ ଥିବା ୨ଟି କଟର ମେସିନକୁ ମଧ୍ୟ ଚୋରି କରି ଦେଇଥିଲେ। ପମ୍ପ ଓ କଟର ମେସିନ ନଥିବାର ଦେଖି ଲକ୍ଷ୍ୟ କେନ୍ଦ୍ରର ଆଲୋକ ରଞ୍ଜନ ମହାନ୍ତି ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ପୁଲିସ କେସ ନଂ ୬୯୨/୨୩ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲେ। ଅଭିଯୁକ୍ତ ହରିର ଘରୁ ପମ୍ପ ଓ କଟର ମେସିନ ମିଳିଥିବା ବେଳେ ୩ ଜଣ ଅଭିଯୁକ୍ତକୁ ଗିରଫ କରିଥିଲେ। ଆଜି ହରି, ସୀମର ଓ ସାହିଲକୁ କୋର୍ଟ ଚାଲାଣ କରାଯାଇଛି।

ସେହିପରି ବନ୍ଧଗୁଡା ଗ୍ରାମ ନିକଟରେ ବିଦ୍ୟୁତ ତାର ବିଛାଇବା ପାଇଁ ନୂଆଁ ଜିଆଇ ଖୁଣ୍ଟ ପେତାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ନାରାୟଣ ପାଙ୍ଗୀ ଓ ତାର ୪ ଜଣ ସହଯୋଗୀ ସେଠାକୁ ପିକଅପ୍ ଭ୍ୟାନ ଓ ବାଇକରେ ଆସିଥିଲେ। ପୋତା ଯାଇଥିବା ବିଦ୍ୟୁତ ଖୁଣ୍ଟକୁ ଖଣ୍ଡ ଖଣ୍ଡ କରି ପିକଅପରେ ନେଇ ବିକ୍ରି କରିବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ଦୁଇଟି ବିଦ୍ୟୁତ ଖୁଣ୍ଟକୁ ଖଣ୍ଡ ଖଣ୍ଡ କରିଥିବା ବେଳେ ଏତିକି ମଧ୍ୟରେ ଖବର ପାଇଁ ମାଲକାନଗିରି ଆଦର୍ଶ ଥାନାର ଏସଆଇ ପ୍ରଭାତ କୁମାର ଗୌଡ ଓ ତାଙ୍କ ଟିମ ସେଠାରେ ପହଞ୍ଚି ଚଢ଼ଉ କରିଥିଲେ। ପୁଲିସକୁ ଦେଖି ସେଠାରୁ ୪ ଜଣ ଅଭିଯୁକ୍ତ ଚମ୍ପଟ ମାରିଥିବା ବେଳେ ନାରାୟଣ ପୁଲିସ ହାବୁଡରେ ପଡିଯାଇଥିଲେ। ପୁଲିସ ଘଟଣାସ୍ଥଳରୁ ଖଣ୍ଡ ଖଣ୍ଡ ହୋଇଥିବା ବିଦ୍ୟୁତ ଖୁଣ୍ଟ ଜବତ କରିଥିଲା ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ। ଏଥିସହ ପିକଅପ୍ ଭ୍ୟାନ, ଗୋଟିଏ ବାଇକ, ଅକ୍ସିଜେନ ସିଲିଣ୍ଡର ଓ ଗ୍ୟାସ କଟର ମଧ୍ୟ ଜବତ କରିଥିଲା। ଆଜି ନାରାୟଣକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.