xmas

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବଢ଼ିଲା

୨୦୨୪ ଜୁନ୍‌ ୩୦ ପର୍ଯ୍ୟନ୍ତ ପ୍ରଦୀପ ଜେନା ଏହି ପଦବୀରେ କାର୍ଯ୍ୟ କରିପାରିବେ।  

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବଢ଼ାଇ ଦେଇଛନ୍ତି। ତାଙ୍କ କାର୍ଯ୍ୟକାଳକୁ ସରକାର ୬ ମାସ ବଢ଼ାଇ ଦେଇଛନ୍ତି। ଫଳରେ ୨୦୨୪ ଜୁନ୍‌ ୩୦ ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିପାରିବେ। ସୂଚନାଯୋଗ୍ୟ, ଆସନ୍ତା ୩୧ ତାରିଖରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବାର ଥିଲା।  

ସୂଚନାଯୋଗ୍ୟ, ୧୯୮୯ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଶ୍ରୀ ଜେନାଙ୍କୁ ରାଜ୍ୟର ୪୫ତମ ମୁଖ୍ୟ ଶାସନ ସଚିବ ଭାବେ ମାର୍ଚ୍ଚ ୧ ତାରିଖରେ ଦାୟିତ୍ବ ଗ୍ରହଣ କରିଥିଲେ। ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ଜେନା ଜଣେ ଦକ୍ଷ ପ୍ରଶାସକ ଭାବେ ବେଶ୍ ଜଣାଶୁଣା। ୧୯୬୪ ମସିହା ଜାନୁଆରୀ ୧ରେ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିବା ପ୍ରଦୀପ କୁମାର ଜେନା ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶିକ୍ଷଣ ପରେ ୧୯୯୧ ମସିହାରେ ପ୍ରଥମେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପରେ ସେଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିଲେ। ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ତାଙ୍କୁ ବଦଳି କରାଯାଇଥିଲା।

୧୯୯୯ ମସିହାର ମହାବାତ୍ୟା ସମୟରେ ସେ କଟକ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ। ମହାବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ସୁଚାରୁରୂପେ ତୁଲାଇଥିବାରୁ ପ୍ରଦୀପ ଜେନା ରାଜ୍ୟ ଓ ଜାତୀୟ ସ୍ତରରେ ଉଚ୍ଚପ୍ରଶଂସିତ ହୋଇଥିଲେ। ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଓ ଲୋକାଭିମୁଖୀ କାର୍ଯ୍ୟ କରିବାରେ ତାଙ୍କର ବହୁ ସୁନାମ ରହିଛି। କୃଷି ନିର୍ଦ୍ଦେଶକ ପଦରେ ଥାଇ ଚାଷୀମାନଙ୍କ ପାଇଁ ଅନେକ ସୁଦୂର ପ୍ରସାରୀ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ସେହିପରି କୋଭିଡ୍‌ ମହାମାରୀ ସମୟରେ ସାରା ରାଜ୍ୟ ସଂଗ୍ରାମ କରୁଥିବା ବେଳେ ସ୍ବତନ୍ତ୍ର ରିଲିଫ୍‌ କମିଶନର ପଦରେ ରହି ପ୍ରଦୀପ କୁମାର ଜେନା ଗୁରୁ ଦାୟିତ୍ବ ତୁଲାଇଥିଲେ।

ଶ୍ରୀ ଜେନା ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ଜଳସମ୍ପଦ ଓ ଗ୍ରାମ୍ୟ ଉନ୍ନୟନ, ଶକ୍ତି ଓ ଆଇଟି ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ । ମହାବାତ୍ୟା ସମୟରେ କଟକର ଜିଲ୍ଲାପାଳ ଥିବାବେଳେ ସେ ନିଜର ଦକ୍ଷତା ଓ କାର୍ଯ୍ୟ ମାଧ୍ୟମରେ ‘ଲୋକଙ୍କ ଜିଲ୍ଲାପାଳ’ ଭାବେ ପରିଚିତ ହୋଇଥିଲେ । 

୨୦୨୪ ଏପ୍ରିଲ କିମ୍ବା ମେ’ରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏମିତିରେ ମୁଖ୍ୟ ଶାସନ ସଚିବଙ୍କୁ ପରିବର୍ତ୍ତନ କରିନାହାନ୍ତି ସରକାର । ଜାନୁଆରୀ ୧ ନୂଆବର୍ଷ ଦିନ ଭୁବନେଶ୍ବରରେ ମେଟ୍ରୋ ରେଳ ପ୍ରକଳ୍ପର ଭୂମିପୂଜନ ହେବ । ଜାନୁଆରୀ ୧୭ରେ ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏଥିସହ ସମଲେଶ୍ବରୀ ପ୍ରକଳ୍ପ, ଓଡ଼ିଆ ବିଶ୍ବବିଦ୍ୟାଳୟ ଭଳି ଏକାଧିକ ବଡ଼ ପ୍ରକଳ୍ପର ଶୁଭାରମ୍ଭ ହେବ । ନିର୍ବାଚନର ଯଥେଷ୍ଟ ପୂର୍ବରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ଯୁଦ୍ଧ କାଳୀନ ଭିତ୍ତିରେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । କାଳେ ମୁଖ୍ୟ ଶାସନ ସଚିବ ବଦଳିଲେ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ହେବ ତେଣୁ ପୁଣି ଥରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି ସରକାର ।

ପ୍ରଦୀପ ଜେନାଙ୍କ ଅବସର ପରେ ରାଜ୍ୟର କିଏ ହେବ ପରବର୍ତ୍ତି ମୁଖ୍ୟ ଶାସନ ସଚିବ ସେ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିଲା। ଏଥିରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ନାମ ଆଗରେ ଥିଲା। ତେବେ ଆଉ ଚାରି ମାସ ପରେ ରାଜ୍ୟରେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଥିବାରୁ ଏହି ମୁଖ୍ୟ ପଦବୀରେ କିଏ ରହିବ ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା।

Leave A Reply

Your email address will not be published.