ଅରୁଣ ଷଡ଼ଙ୍ଗୀଙ୍କୁ ଡିଜିପି ଦାୟିତ୍ୱ

୧୯୯୦ ବ୍ୟାଚ୍‌ର ଆଇପିଏସ ଅଫିସର ଅରୁଣ ଷଡ଼ଙ୍ଗୀ ଏବେ BPSPAର ନିର୍ଦ୍ଦେଶକ ରହିଛନ୍ତି। ତେଣୁ ବିପିଏସପିଏ ନିର୍ଦ୍ଦେଶ ସହ ସେ ପୁଲିସ୍‌ ବିଭାଗର ମୁଖ୍ୟ ଭାବେ କାମ କରିବେ। 

ଭୁବନେଶ୍ୱର: ଓଡ଼ିଶାର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ପାଇଛନ୍ତି ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ। ଆଜି ତାଙ୍କୁ ରାଜ୍ୟ ସରକାର ପୁଲିସ୍‌ ମହାନିର୍ଦ୍ଦେଶ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଏହି ପଦର ଅତିରିକ୍ତ ଦାୟିତ୍ୱରେ ରହିବେ। ନୂଆ ଡିଜିପି ନିଯୁକ୍ତ ହେବା ଯାଏ ସେ ଏହି ପଦର ଦାୟିତ୍ୱରେ ରହିବେ ବୋଲି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। 

୧୯୯୦ ବ୍ୟାଚ୍‌ର ଆଇପିଏସ ଅଫିସର ଅରୁଣ ଷଡ଼ଙ୍ଗୀ ଏବେ BPSPAର ନିର୍ଦ୍ଦେଶକ ରହିଛନ୍ତି। ତେଣୁ ବିପିଏସପିଏ ନିର୍ଦ୍ଦେଶ ସହ ସେ ପୁଲିସ୍‌ ବିଭାଗର ମୁଖ୍ୟ ଭାବେ କାମ କରିବେ। 

ଆସନ୍ତା ଡିସେମ୍ବର ୩୧ତାରିଖରେ ବର୍ତ୍ତମାନର ପୁଲିସ ଡିଜି ସୁନୀଲ କୁମାର ବଂଶଲ ଚାକିରିରୁ ଅବସର ନେବେ। ତେଣୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଡିଜିପି ଭାବେ ଅରୁଣ ଷଡ଼ଙ୍ଗୀ ଶପଥ ନେବେ। 

ପରବର୍ତ୍ତୀ ପୁଲିସ ଡିଜି ପଦବୀ ନିମନ୍ତେ ରାଜ୍ୟ ସରକାର ମୋଟ ୭ଜଣ ଆଇପିଏସ ଅଫିସରଙ୍କ ତାଲିକା ୟୁପିଏସସିଙ୍କୁ ସୁପାରିସ୍ କରିଛନ୍ତି । ୧୯୮୮ରୁ ୧୯୯୦ ବ୍ୟାଚ୍ ମଧ୍ୟରେ ଥିବା ମୋଟ ୮ଜଣ ଆଇପିଏସ ଅଫିସରଙ୍କ ମଧ୍ୟରୁ ୧୯୮୯ ବ୍ୟାଚର ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ୭ଜଣଙ୍କ ନାମ ୟୁପିଏସସିକୁ ପଠାଯାଇଛି ।

୧୯୮୮ ବ୍ୟାଚର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ଏ.ଏମ୍‌.ପ୍ରସାଦ, ବି ରାଧିକା, ଏସଏମ୍ ନରୱଣେ ଏବଂ ୧୯୯୦ ବ୍ୟାଚର ୱାଇବି ଖୁରାନିଆ, ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀଙ୍କ ନାଁ ରହିଛି। ଏହି ଅଫିସରଙ୍କ ତାଲିକା ପଠାଯାଇଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ ଅଧିକାଂଶ ୟୁପିଏସସିଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ତ୍ତାବଳୀ ପୂରଣ କରୁନଥିବା ଜଣାପଡ଼ିଥିଲା। 

ବି ରାଧିକା ରାଜ୍ୟର ଡିଜିପି ହେବେ ବୋଲି ମଧ୍ୟ କୁହାଯାଉଥିଲା। ଏପରି ହୋଇଥିଲେ ରାଜ୍ୟକୁ ପ୍ରଥମ ମହିଳା ପୁଲିସ ମୁଖ୍ୟ ମିଳିଥାଆନ୍ତେ। କିନ୍ତୁ ଆଜି ଗୃହ ବିଭାଗ ଅରୁଣ ଷଡ଼ଙ୍ଗୀ ଡିଜିପି ଦାୟିତ୍ୱ ଦେଇଛି। 

ସଂକ୍ଷେପରେ ଅରୁଣ କୁମାର ଷଡ଼ଙ୍ଗୀ

ଆଇପିଏସ୍‌ ଅଧିକାରୀ ଅରୁଣ କୁମାର ଷଡ଼ଙ୍ଗୀ ଅନୁଗୁଳ ଜିଲ୍ଲା ତାଳଚେର ଏସ୍‌ଡିପିଓ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ରାୟଗଡ଼ା, ବ୍ରହ୍ମପୁର, ଜଗତସିଂହପୁର, ଭୁବନେଶ୍ବର, ରାଉରକେଲାରେ ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ । ପରେ କ୍ରାଇମ୍‌ବ୍ରାଞ୍ଚର ସିଆଇଡି ପ୍ରଭାଗର ଏସପି ଭାବେ ମଧ୍ୟ ଅବସ୍ଥାପିତ ହୋଇଥିଲେ । ପଦୋନ୍ନତି ପାଇ ଡିଆଇଜି ହେବା ପରେ ନର୍ଦ୍ଦର୍ଣ୍ଣ-ସେଣ୍ଟ୍ରାଲ ରେଞ୍ଜ, ତାଳଚେର ଓ ଭୁବନେଶ୍ବରରେ କାମ କରିଥିଲେ। ସେହିପରି ଆଇଜି ଭାବେ ପଦୋନ୍ନତି ପାଇବା ପରେ ସେ ଆଇନ ଶୃଙ୍ଖଳା ଦାୟିତ୍ବରେ ରହିଥିଲେ । ଶ୍ରୀ ଷଡ଼ଙ୍ଗୀ ତାଙ୍କର କର୍ମମୟ ଜୀବନରେ ଅନେକଗୁଡ଼ିଏ ପୁରସ୍କାର ପାଇଛନ୍ତି। ଏଥିରେ ୨୦୦୪ରେ ରାଜ୍ୟପାଳ ପଦକ, ୨୦୦୭ରେ ପୁଲିସ ପଦକ ମଧ୍ୟ ସାମିଲ ରହିଛି।

Leave A Reply

Your email address will not be published.