xmas

ଜଗନ୍ନାଥ ପ୍ରେମରେ ଝୁମିବେ ଗାଁ ଲୋକ, ଖର୍ଚ୍ଚ ହେବ ୩୬୦କୋଟି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୩ଟି ପ୍ରସ୍ତାବ ପାରିତ ହୋଇଛି ।

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଏବେ ରାଜକୋଷ ଅର୍ଥରେ ସୁଚିନ୍ତିତ ଢଙ୍ଗରେ ନିଜର କ୍ୟାମ୍ପେନ ଆରମ୍ଭ କରିଦେଇଛି । ଗାଁ ଗହଳିରେ ଶ୍ରୀଜଗନ୍ନାଥ ରଥ ବୁଲାଇବା ସହ ଲୋକଙ୍କୁ ଭଜନ-କୀର୍ତ୍ତନରେ ମତୁଆଲା କରି ଘରକୁ ଘର ଯାଇ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବା ଏବଂ ନାଚଗୀତ-ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଝୁମାଇ ରଖି ବିଭିନ୍ନ ସରକାରୀ ଯୋଜନାର ପ୍ରଚାର କରାଇବା ନିମନ୍ତେ ମୋଟ ପ୍ରାୟ ୩୬୦କୋଟି ଟଙ୍କା ବ୍ୟୟ କରିବେ । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଏହି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେବା ସହ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଅର୍ଥରାଶି ପରିମାଣକୁ ମଧ୍ୟ ଆଉ ୨୦୦କୋଟି ଟଙ୍କା ବଢ଼ାଇ ୪୨୦୦କୋଟି ଟଙ୍କା କରିଛନ୍ତି । ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠାକୁ ନେଇ ବିଜେପିର ଲୋକପ୍ରିୟତାକୁ ଦେଖି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଏବେ ଭୟଭୀତ ହୋଇପଡ଼ିଛି । ଆଉ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଆଳରେ ସରକାରୀ ଖର୍ଚ୍ଚରେ ଗାଁ ଗହଳିରେ ଲୋକଙ୍କୁ ଧାର୍ମିକ ଭାବନା ସହ ବାନ୍ଧି ରଖି ନିଜ ଭୋଟ୍ ବ୍ୟାଙ୍କକୁ ସୁଦୃଢ଼ କରିବା ନିମନ୍ତେ ଆଖିବୁଜା ଅର୍ଥ ଖର୍ଚ୍ଚ କରୁଥିବା ଚର୍ଚ୍ଚା ହେଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୩ଟି ପ୍ରସ୍ତାବ ପାରିତ ହୋଇଛି । ଏଥିରେ ୬ଟି ପ୍ରସ୍ତାବ ସରକାରୀ ନିଯୁକ୍ତି ଓ ସେବା ନିୟମାବଳୀରେ ସଂଶୋଧନ ସଂକ୍ରାନ୍ତ ସାମିଲ ଅଛି । ତେବେ ଆସନ୍ତା ଜାନୁୟାରୀ ୧୭ରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ ଥିବାରୁ କ୍ଷମତାସୀନ ବିଜେଡି ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ଗାଁ ଗହଳିରେ ଲୋକଙ୍କୁ ବାନ୍ଧି ରଖିବାକୁ ପ୍ରାୟ ୩୬୦କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ପଂଚାୟତକୁ ୫୦ଲକ୍ଷ ଟଙ୍କା ଦେଇଥିବା ରାଜ୍ୟ ସରକାର ଏବେ କେବଳ ଶ୍ରୀଜଗନ୍ନାଥଙ୍କ ପ୍ରଚାର ରଥ ବୁଲିବା, ଘରକୁ ଘର ଯାଇ ଗୁଆ-ଚାଉଳ ସଂଗ୍ରହ, ଭଜନ-କୀର୍ତ୍ତନ ଆଦି ପାଇଁ ମୋଟ ୧୩୫.୮୮ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାସହିତ ପ୍ରତ୍ୟେକ ପଂଚାୟତରୁ ଲୋକଙ୍କୁ ପୁରୀ ଆଣି ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବରେ ସାମିଲ କରାଇବା ନିମନ୍ତେ ଅତିରିକ୍ତ ୨୦କୋଟି ଟଙ୍କା ବ୍ୟୟ କରାଯିବ । ଜାନୁୟାରୀ ୫ରୁ ପ୍ରତ୍ୟେକ ପଂଚାୟତସ୍ତରରେ ଭଜନକୀର୍ତ୍ତନ ଓ ପ୍ରଚାର ରଥ ବୁଲାଇ ଘରକୁ ଘର ଗୁଆ-ଚାଉଳ ସଂଗ୍ରହ କରାଯାଇ ତାକୁ ପ୍ରଥମେ ପଂଚାୟତର କୌଣସି ଏକ ମନ୍ଦିରରେ ରଖାଯିବ । ପରେ ବ୍ଲକ ମୁଖ୍ୟାଳୟ ମନ୍ଦିରରେ ରଖାଯାଇ ଜାନୁୟାରୀ ୧୭ରେ ଏହି ଗୁଆ-ଚାଉଳକୁ ପୁରୀ ଅଣାଯିବ । କେବଳ ସେତିକି ନୁହେଁ ଗାଁ ଗହଳିରେ ଏଲଇଡି ବ୍ୟବସ୍ଥା କରି ବଡ଼ ସ୍କ୍ରିନରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବର ସିଧାସଳଖ ପ୍ରସାରଣ ଦେଖିବା ପାଇଁ ମଧ୍ୟ ବ୍ୟବସ୍ଥା ହେବ । ଗାଁ ଲୋକେ ସେହି ଲୋକାର୍ପଣ ଉତ୍ସବ ଦେଖିବା ସହ ସେଠାରେ ଭୋଜିଭାତ ଓ କୀର୍ତ୍ତନ ଆଦି କରିବାର ସୁଯୋଗ ପାଇବେ । ଏସବୁ କାର୍ଯ୍ୟ ପଂଚାୟତର ତଦାରଖରେ ହେବ ।

କେବଳ ସେତିକି ନୁହେଁ ନିର୍ବାଚନୀ ବର୍ଷ ହୋଇଥିବାରୁ ପଂଚାୟତସ୍ତରରେ ସଚେତନତା ଶିବିର ଆୟୋଜନ ପାଇଁ ମଧ୍ୟ ୨୦୩.୮୨ କୋଟି ଟଙ୍କା ବ୍ୟୟ କରାଯିବ । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ସମସ୍ତ ୬୭୯୪ଟି ପଂଚାୟତରେ ଜାନୁୟାରୀ ୧୫ରୁ ଫେବୃୟାରୀ ପ୍ରଥମ ସପ୍ତାହ ମଧ୍ୟରେ ଏହି ସଚେତନତା ଶିବିର ଆୟୋଜନ ହେବ । ସାଧାରଣ ଲୋକ, ଏସଏଚଜି, ପଂଚାୟତ ଜନପ୍ରତିନିଧି, ଓ ସ୍ଥାନୀୟ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ଆଲୋଚନା କରାଯାଇ ଗାଁର ଆବଶ୍ୟକତା ଅନୁଯାୟୀ ପ୍ରସ୍ତାବ ପ୍ରସ୍ତୁତ କରାଯିବ । ପଂଚାୟତସ୍ତରରେ ପ୍ରାଥମିକ ଶିକ୍ଷା, ସାଂସ୍କୃତିକ ଭିତ୍ତିଭୂମି ଓ ବିଭିନ୍ନ ଗୋଷ୍ଠୀଭିତ୍ତିକ ପ୍ରକଳ୍ପର ଆବଶ୍ୟକତା ଓ ବିକାଶ ନିମନ୍ତେ ‘ପଂଚାୟତ ବିକାଶ ଯୋଜନା’ ପ୍ରସ୍ତୁତ ହେବ । ଏହି ଯୋଜନାକୁ ପଂଚାୟତସ୍ତରୀୟ ବୈଠକରେ ଅନୁମୋଦନ କରାଯାଇ ପଂଚାୟତରାଜ ବିଭାଗକୁ ପଠାଯିିବ । ଏହି ଶିବିରରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର କାର୍ଯ୍ୟାଦେଶ ବଂଟନ ମଧ୍ୟ କରାଯିବ । ଏହାସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂକଳିତ ଥିବା ପ୍ରଚାରପତ୍ର ବଂଟନ ସହ ଭିଡିଓ ସନ୍ଦେଶ ଓ ଦସ୍ତାବିଜ ଆଦି ବଂଟନ ସହ ସାଂସ୍କୃତି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି ।

ତେବେ ଧର୍ମନିରପେକ୍ଷ ରହିବା ପାଇଁ ଶପଥ ନେଇଥିବା ଗୋଟିଏ ନିର୍ବାଚିତ ସରକାର ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କିଭଳି ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାରପ୍ରସାରକୁ ଆଳ କରୁଛି ତାହା ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟିଛି । ଦୀର୍ଘ ୨୪ବର୍ଷ ଧରି କ୍ଷମତାରେ ରହି ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର କରିବାରେ ବିଫଳ ହୋଇଥିବା ବିଜେଡି ସରକାର ଏବେ ଖୋଲାଖୋଲି ଭାବେ ସରକାରୀ ଖର୍ଚ୍ଚରେ ‘ହିନ୍ଦୁ କାର୍ଡ’ ଖେଳିଛନ୍ତି । ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ଯୋଗୁ କାଳେ ହିନ୍ଦୁ ଭୋଟ୍ ବିଜେପି ଆଡ଼କୁ ପଳାଇବ ସେହି ଭୟ ଏବେ ବିଜେଡିକୁ ଘାରିଛି । ଯେଉଁଥିପାଇଁ ରାଜ୍ୟରେ ଶାସକ ବିଜେଡି ଏବେ ‘ଧାର୍ମିକ କାର୍ଡ’ ଖେଳିଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.