xmas

ହସ୍ପିଟାଲ୍ କର୍ତ୍ତୃପକ୍ଷ, ପୁଲିସ ନା’ ପରିବାର.. ସାଂଘାତିକ ତ୍ରୁଟି ପାଇଁ କିଏ ରହିବ ଦାୟୀ?

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲରେ ଘଟିଥିବା ଏସି କଂପ୍ରେସର ବିସ୍ଫୋରଣ ଘଟଣା, ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ମୃତ ଓ ଜୀବିତକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ଭିତରେ ହସ୍ପିଟାଲ ଆଗରେ ଏକାଠି ହୋଇ ଜ୍ୟୋତିରଂଜନଙ୍କୁ ଫେରାଇ ଦେବା ପାଇଁ ଦାବି କରିଛନ୍ତି ତାଙ୍କ ପରିବାର । କାହିଁକି ଏପରି ସୃଷ୍ଟି ହେଲା, କାହିଁକି ଏଭଳି ସ୍ପର୍ଶକାତର ଘଟଣାରେ ଅବହେଳା କରାଗଲା, ଏହାକୁ ନେଇ ଲୋକଙ୍କ ମନରେ ମାଳ ମାଳ ପ୍ରଶ୍ନ ସୃଷ୍ଟି ହୋଇଛି ।

ବିସ୍ଫୋରଣ ପରେ ଯେଉଁମାନେ ଆହତ ହୋଇଥିଲେ, ସେମାନଙ୍କ ଅବସ୍ଥା ସଂପର୍କରେ ସ୍ପଷ୍ଟ ଭାବେ ଜଣାଇନଥିଲେ କର୍ତୃପକ୍ଷ । ପ୍ରଶ୍ନ ଉଠୁଛି, ଯଦି ସେମାନେ ଏତେ ଗୁରୁତର ଥିଲେ, ଅନ୍ୟ ମେଡିକାଲକୁ କାହିଁକି ରେଫର୍ କରାଯାଇନଥିଲା । ଏପଟେ ହସ୍ପିଟାଲ କର୍ତୃପକ୍ଷଙ୍କ ଯୁକ୍ତି ହେଉଛି, ସବୁକିଛି ନିୟମ ଭିତରେ ରହି କରାଯାଇଥିଲା ।

ଜୀବିତ ଲୋକଙ୍କୁ ମୃତ ଘୋଷଣା କରି କେମିତି କରାଗଲା ଶବ ହସ୍ତାନ୍ତର?
ଶବ ହସ୍ତାନ୍ତର ପ୍ରକ୍ରିି୍ରୟାରେ କେଉଁଠି ରହିଲା ତ୍ରୁଟି?
ସ୍ୱାମୀଙ୍କ ମିଛ ମୃତ୍ୟୁ ଖବର ପାଇ ଜୀବନ ହାରିଦେଲେ ଦିଲ୍ଲୀପ ସାମନ୍ତରାୟଙ୍କ ସ୍ତ୍ରୀ । ଏପଟେ ସ୍ୱାମୀ ଅରୋଗ୍ୟ ହୋଇ ଫେରିବେ ବୋଲି ଅପେକ୍ଷା କରି ରହିଥିବା ଜ୍ୟୋତିରଂଜନଙ୍କ ପତ୍ନୀଙ୍କ ମାନସିକ ସ୍ଥିତି ବିଗିଡ଼ି ଯାଇଛି । ଏହା ପଛରେ ରହିଛି ମୃତଦେହକୁ ଠିକ ଭାବେ ଯାଂଚ ନକରି ହସ୍ତାନ୍ତର କରିବା । ହସ୍ପିଟାଲ୍ କର୍ତୃପକ୍ଷ କହିଛନ୍ତି, ମୃତକଙ୍କ ସଂପର୍କରେ ପୁଲିସକୁ ଜଣାଇବା ପରେ ପୁଲିସ ହିଁ ଶବ ହସ୍ତାନ୍ତର କରିଥିଲା । ଏପଟେ କମିସନରେଟ୍ ପୁଲିସ କହିଛି, ପରିବାର ଓ ସଂପର୍କୀୟ ମୃତଦେହ ଚିହ୍ନଟ କରିବା ପରେ ସମସ୍ତ ପ୍ରକ୍ରିୟା ଶେଷ କରାଯାଇ ଶବ ହସ୍ତାନ୍ତର ହୋଇଥିଲା ।

ପରିବାର ଲୋକ କେମିତି ଚିହ୍ନି ପାରିଲେନି ମୃତଦେହ?
ହସ୍ପିଟାଲଠାରୁ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ କାହିଁକି ହେଲା ନାହିଁ ସଂଦେହ?
ଶରୀରର ଅନେକାଂଶ ପୋଡି ଯାଇଥିଲା । ମୁହଁର କିଛି ଭାଗ ମଧ୍ୟ ପ୍ରଭାବିତ ହୋଇଥିଲା । ଅନ୍ୟପଟେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଉଭୟ ଜ୍ୟୋତିରଂଜନ ଓ ଦିଲ୍ଲୀପଙ୍କ ପରିବାର ଲୋକ ହସପିଟାଲରେ ଜଗି ରହିଥିଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ ଦୁହିଁଙ୍କୁ ଠିକ ଭାବେ ଜାଣି ପାରିନଥିଲେ ସଂପର୍କୀୟ । ଅନ୍ତିମ ସଂସ୍କାରର ବିଧି ଭିତରେ ବି କାହାର ସଂଦେହ ହୋଇନଥିଲା । କେଉଁ ଆଧାରରେ ସେମାନେ ମୃତଦେହ ଚିହ୍ନଟ କରିଥିଲେ, ତାହା ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି ।

ଏସି ବିସ୍ଫୋରଣ ଘଟଣାରେ ହସ୍ପିଟାଲ କର୍ତୃପକ୍ଷଙ୍କୁ ଦାୟୀ କରିଛି ଏସି ଟେକ୍ନିସିଆନ ସଂଘ । ସେମାନଙ୍କ ଅଭିଯୋଗ, ଏସି ସଜାଡ଼ିବା ସମୟରେ ହାଇଟେକ୍ ମେଡ଼ିକାଲ କର୍ତୃପକ୍ଷ ନାଇଟ୍ରୋଜେନ ବଦଳରେ ଅକ୍ସିଜେନ ଦେଇଥିଲେ । ତେବେ ଏସଂପର୍କରେ ହାଇଟେକ୍ ହସ୍ପିଟାଲ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ । ହାଇଟେକ୍ ହସ୍ପିଟାଲରେ ଏହାକୁ ନେଇ ଉତେଜନା ସୃଷ୍ଟି ହୋଇଛି । ଏହି ଅବହେଳା ପାଇଁ ହସ୍ପିଟାଲ କର୍ତୃପକ୍ଷକୁ ଦାୟୀ କରିଛନ୍ତି ସଂପର୍କୀୟ ।

Leave A Reply

Your email address will not be published.