xmas

ରାଜ୍ୟ ସରକାର ପୂରଣ କଲେ ଦାବି: ସଭାପତିଙ୍କ ଆହ୍ଵାନ ପରେ ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ଵର: ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତକୁ ନେଇ ଲାଗି ରହିଥିବା ଦ୍ଵନ୍ଦ୍ଵ ଦୂର ହୋଇଛି। ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିବାକୁ ଆହ୍ଵାନ କଲେ ରାଜ୍ୟ ଡ୍ରାଇଭର ମହାସସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି। ଏ ନେଇ ଶନିବାର ସନ୍ଧ୍ୟାରେ ସେ ଏକ ଭିଡିଓ ଜାରି କରି ଷ୍ଟିୟରିଂ ଛାଡ଼ ଆନ୍ଦୋଳନରୁ ଓହରିବାକୁ ଆହ୍ଵାନ ଦେଇଛନ୍ତି। ସେ କହିଛନ୍ତି ରାଜ୍ୟ ସରକାର ଆମ ଦାବି ଶୁଣୁଛନ୍ତି। ତେଣୁ ଆନ୍ଦୋଳନରୁ ଓହରିବାକୁ ମୁଁ ଆହ୍ଵାନ କରୁଛି। ତାଙ୍କର ଆହ୍ଵାନ ପରେ ପରେ ଡ୍ରାଇଭର ସଂଘ କୋଷାଧ୍ୟକ୍ଷ ଆଦିତ୍ୟ ବେହେରା ଆନ୍ଦୋଳନ ସ୍ଥଗିତ ନେଇ ସୂଚନା ଦେଇଛନ୍ତି।

ମେଣ୍ଡୁଲି କହିଛନ୍ତି, ସୋମବାର କେନ୍ଦ୍ର ଆଇନ ବିଷୟରେ ଆଲୋଚନା କରାଯିବ। ଅନ୍ୟ ୨୮ ରାଜ୍ୟ ଆନ୍ଦୋଳନରେ ସାମିଲ୍ ନ ଥିବାରୁ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛୁ। ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା। ସମସ୍ତ ୨୮ ରାଜ୍ୟ ବାହାରିଲେ ଆମେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବା। କିନ୍ତୁ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ପାଖରେ ଥିବା ଆମର ଦାବି ପାଖାପାଖି ପୂରଣ ହୋଇଥିବା ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି। ଡ୍ରାଇଭର ସଂଘ କୋଷାଧ୍ୟକ୍ଷ ଆଦିତ୍ୟ ବେହେରା କହିଛନ୍ତି, ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ସଂଘ ଓହରିଛି। ରାଜ୍ୟ ସରକାରଙ୍କ ନିକଟରେ ରହିଥିବା ୨ଟି ଦାବି ପୂରଣ ହୋଇଛି।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ଆଇନକୁ ବିରୋଧ କରିବା ସହ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୂରଣରେ ବିଫଳତାକୁ ଦାୟୀ କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇଥିଲା ଓଡ଼ିଶା ଡ୍ରାଇଭର ମହାସଂଘ । ଟ୍ରକ୍ ଡ୍ରାଇଭରଙ୍କ ସହ ଶନିବାର ଠାରୁ ଆନ୍ଦୋଳନରେ ସାମିଲ ହୋଇଥିଲେ ବସ୍ ଡ୍ରାଇଭର । ଯାହା ପାଇଁ ସାରା ରାଜ୍ୟରେ ବସ୍ ଚଳାଚଳ ପ୍ରଭାବିତ ହୋଇଛି । ଡ୍ରାଇଭର ଗାଡି ଛାଡି ଆନ୍ଦୋଳନରେ ସାମିଲ ହୋଇଥିବାରୁ ପରିବହନ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଛି । ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ହେଉ ଅବା କଞ୍ଚାମାଲ ପରିବହନ ପଛରେ ଟ୍ରକ ପରିବହନର ଗୋଟିଏ ବଡ ଭୂମିକା ରହିଛି । ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁ ମାଲ ପରିବହନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେବା ସହ ଦରଦାମ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Leave A Reply

Your email address will not be published.