କିଏ ଏହି ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ ? ଯିଏ କରାଇବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଦିନ ପାଇଁ କେବଳ ଉତ୍ତର ପ୍ରଦେଶ ନୁହେଁ ସମଗ୍ର ଦେଶ ବହୁତ ଉତ୍ସାହିତ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଗର୍ଭଗୃହରେ ଉପସ୍ଥିତ ରହୁଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ। ରାମ ମନ୍ଦିରର ମୁଖ୍ୟ ପୂଜାରୀ ଭାବେ ତାଙ୍କର ଚୟନ ହୋଇଛି। ଆୟୋଜନରେ ବୈଦିକ ମନ୍ତ୍ରୋପଚାର ସମୟରେ ମୋଟ୍ ୧୨୧ ପୂଜାରୀ ଉପସ୍ଥିତ ରହିବେ, ମାତ୍ର ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଇବାର ସୌଭାଗ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କୁ ମିଳିବ। ଲକ୍ଷ୍ମୀକାନ୍ତଙ୍କ ବଂଶଜ ପ୍ରସିଦ୍ଧ ପଣ୍ଡିତ ଗାଗା ଭଟ୍ଟ ଯିଏ ୧୭ମ ଶତାବ୍ଦୀରେ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକ କରାଇଥିଲେ।

ଅଯୋଧ୍ୟା ରାମ ମନ୍ଦିରରେ ପ୍ରଧାନ ଅର୍ଚକ ଭାବେ ପ୍ରାଣ ପ୍ରତିଷ୍ଠାର ସୌଭାଗ୍ୟ ପାଇଥିବା ପଣ୍ଡିତ ଲକ୍ଷ୍ମୀକାନ୍ତଙ୍କ ପରିବାର ଅନେକ ପିଢି ଧରି କାଶୀରେ ବସବାସ କରି ଆସୁଛନ୍ତି। ଡେକନ ହେରାଲ୍ଡଙ୍କ ରିପୋର୍ଟ ଅନୁସାରେ, ତାଙ୍କ ପୁଅ ସୁନିଲ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ କହିବା କଥା ପୂର୍ବେ ଆମର ବଂଶଜ ମହାରାଷ୍ଟ୍ରରେ ରହୁଥିଲେ। ଆମର ବଂଶଜ ନାଗପୁର ଓ ନାସିକରେ ଅନେକ ଧାର୍ମିକ ଅନୁଷ୍ଠାନ ନିର୍ମାଣ କରିଛନ୍ତି।

ଲକ୍ଷ୍ମୀକାନ୍ତ ଦୀକ୍ଷିତ ଅଯୋଧ୍ୟା ରାମ ମନ୍ଦିରରେ ଭଗବାନଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଧାନ ପୂଜାରୀ। ସେ ଜାନୁଆରୀ ୧୬ରୁ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରୁ ଆସିଥିବା ବେଦର ସମସ୍ତ ଶାଖାର ୧୨୧ ପଣ୍ଡିତଙ୍କ ଦଳର ନେତୃତ୍ଵ ନେବେ। ପଣ୍ଡିତଙ୍କ ଏହି ଦଳରେ କାଶୀର ୪୦ରୁ ଅଧିକ ବିଦ୍ଵାନ ମଧ୍ୟ ସାମିଲ୍।

ବେଦର ବିଶେଷଜ୍ଞ

ଲକ୍ଷ୍ମୀକାନ୍ତ ବାରାଣସୀର ମୀରଘାଟ ସ୍ଥିତ ସାଙ୍ଗବେଦ ମହା ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅଟନ୍ତି। ଏହି ମହା ବିଦ୍ୟାଳୟର ସ୍ଥାପନା କାଶୀ ନରେଶଙ୍କ ସାହାଯ୍ୟରେ କରାଯାଇଥିଲା। ଲକ୍ଷ୍ମୀକାନ୍ତ ପୂରା କାଶୀରେ ବେଦର ବିଶେଷଜ୍ଞଙ୍କ ମଧ୍ୟରୁ ଅନ୍ୟତମ। ଯଦୁର୍ବେଦର ଶ୍ରେଷ୍ଠ ବିଦ୍ଵାନ ଭାବେ ଲକ୍ଷ୍ମୀକାନ୍ତ ଦୀକ୍ଷିତ ବେଶ ଖ୍ୟାତି ଅର୍ଜନ କରିଛନ୍ତି। କେବଳ ଏତିକି ନୁହେଁ ପୂଜା ପଦ୍ଧତିରେ ମଧ୍ୟ ଲକ୍ଷ୍ମୀକାନ୍ତ ମାହିର। ସେ ବେଦ ଓ ଅନୁଷ୍ଠାନର ଦୀକ୍ଷା ନିଜ କକା ଗଣେଶ ଦୀକ୍ଷିତ ଭଟ୍ଟଙ୍କଠୁ ନେଇଥିଲେ।

Leave A Reply

Your email address will not be published.