xmas

କଂଗ୍ରେସର ୨୩ରୁ ପ୍ରଶିକ୍ଷଣ ଶିବିର: ବିଧାନସଭା ଦାୟିତ୍ୱରେ ୧୪୭ ସଂଯୋଜକ, ପଂଚାନନ ହେଲେ ୱାର ରୁମ୍ ଅଧ୍ୟକ୍ଷ

ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ରାଜ୍ୟରେ ନିଜର ବଳ ଗୋଟାଇବାରେ ଲାଗିଛି । ଏହାସହିତ ଦଳ ସୁଚିନ୍ତିତ ରଣନୀତି ମାଧ୍ୟମରେ ଆଗାମୀ ନିର୍ବାଚନରେ ରାଜ୍ୟରେ ଭଲ ପ୍ରଦର୍ଶନ କରିବାକୁ ଯୋଜନା କରିଛି।

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ରାଜ୍ୟରେ ନିଜର ବଳ ଗୋଟାଇବାରେ ଲାଗିଛି । ଏହାସହିତ ଦଳ ସୁଚିନ୍ତିତ ରଣନୀତି ମାଧ୍ୟମରେ ଆଗାମୀ ନିର୍ବାଚନରେ ରାଜ୍ୟରେ ଭଲ ପ୍ରଦର୍ଶନ କରିବାକୁ ଯୋଜନା କରିଛି । ପୂର୍ବରୁ ଲୋକସଭା ଦାୟିତ୍ୱରେ ୨୧ ସଂଯୋଜକଙ୍କୁ ନିଯୁକ୍ତି ଦେଇଥିବା କଂଗ୍ରେସ ଗତକାଲି  ବିଧାନସଭା ମଣ୍ଡଳୀ ଦାୟିତ୍ୱରେ ନିଜର ୧୪୭ଜଣ ନେତାଙ୍କୁ ଅବସ୍ଥାପିତ କରିଛି । ଏହାସହିତ ଆଜି ନିର୍ବାଚନୀ ୱାରରୁମ୍ ଅଧ୍ୟକ୍ଷ ଭାବେ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛି । ନିର୍ବାଚନ ପାଇଁ ଦଳ ଆସନ୍ତା ୨୩ରୁ ୨ଦିନିଆ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଛି । ଦଳର ନବନିଯୁକ୍ତ ପିସିସି ପ୍ରଭାରୀ ଅଜୟ କୁମାର ୨୨ରୁ ୨୮ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶରେ ଆଜି ପଂଚାନନ କାନୁନଗୋଙ୍କୁ ପ୍ରଦେଶ କଂଗ୍ରେସର ୱାରରୁମ୍ ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ ହୋଇଛି । ଏହି ୱାରରୁମ୍ କମିଟିର ଅନ୍ୟ ସଦସ୍ୟ ଭାବେ ବିସ୍ମୟ ମହାପାତ୍ର, ଜିନେଶ ଦାସ, ପ୍ରକାଶ ମିଶ୍ର, ସଞ୍ଜୟ ତ୍ରିପାଠୀ ଅଛନ୍ତି । ତରୁଣକାନ୍ତ ମିଶ୍ରଙ୍କୁ କମିଟିର ସଂଯୋଜକ ଭାବେ ନିଯୁକ୍ତି ମିଳିଛି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗତକାଲି ରାଜ୍ୟର ୧୪୭ ବିଧାନସଭା ମଣ୍ଡଳୀ ପାଇଁ ୧୪୭ଜଣ ନେତାଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦେଇଛନ୍ତି । ନିର୍ବାଚନ ଶେଷ ପର୍ଯ୍ୟନ୍ତ ସେମାନେ ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ରହି ସଂଗଠନକୁ ସୁଦୃଢ଼ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ।

ସେହିପରି ଆସନ୍ତା ୨୩ ଓ ୨୫ତାରିଖରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି । ଏଥିରେ ୨୧ ସଂସଦୀୟ କ୍ଷେତ୍ର ପାଇଁ ନିଯୁକ୍ତ ୨୧ଜଣ ସଂଯୋଜକ ଓ ୧୪୭ ବିଧାନସଭା ମଣ୍ଡଳୀ ଦାୟିତ୍ୱରେ ଥିବା ୧୪୭ଜଣ ସଂଯୋଜକଙ୍କୁ ପ୍ରଶିକ୍ଷଣ ଦିଆଯିବ । ସେମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ନିର୍ବାଚନ ପରିଚାଳନା କରିବେ । ଏଆଇସିସିର ସ୍ୱତନ୍ତ୍ର ନିର୍ବାଚନ ପ୍ରଶିକ୍ଷଣ ଅଧିକାରୀମାନେ ଭୁବନେଶ୍ୱର ଆସି ଏହି ପ୍ରଶିକ୍ଷଣ ପ୍ରଦାନ କରିବେ ।

ଜାନୁୟାରୀ ୨୩ ତାରିଖରେ ୧୦ଟି ଲୋକସଭା ମଣ୍ଡଳୀ ଯଥା – ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ମୟୁରଭଞ୍ଜ ଓ କେନ୍ଦୁଝର ଅନ୍ତର୍ଗତ ମୋଟ ୭୦ଟି ବିଧାନସଭା କ୍ଷେତ୍ରର ଉଭୟ ସଂଯୋଜକମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ନେବେ । ସେହିପରି ୨୫ ତାରିଖରେ ବାକି ୧୧ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଯଥା- ଢ଼େଙ୍କାନାଳ, କଟକ, ଭୁବନେଶ୍ୱର, ପୁରୀ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଆସ୍କା ଓ ବ୍ରହ୍ମପୁର ଏବଂ ଏହି ଲୋକସଭା ମଣ୍ଡଳୀର ୭୭ଟି ବିଧାନସଭା କ୍ଷେତ୍ରର ସଂଯୋଜକମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ ।

ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ପିସିସି ପ୍ରଭାରୀ ଅଜୟ କୁମାର ନିର୍ବାଚନୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ସଂଯୋଜକମାନଙ୍କୁ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

Leave A Reply

Your email address will not be published.