କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ

ମରଣୋତ୍ତର ଭାବେ ତାଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ।

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ପ୍ରଦାନ କରାଯିବ ‘ଭାରତ ରତ୍ନ’ ସମ୍ମାନ। ମରଣୋତ୍ତର ଭାବେ ତାଙ୍କୁ ମିଳିବ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ। ମୃତ୍ୟୁର ୩୫ ବର୍ଷ ପରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ଆସନ୍ତାକାଲି କର୍ପୂରୀ ଠାକୁରଙ୍କ ଜୟନ୍ତୀ ଥିବା ବେଳେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ କରାଯାଇଛି ଏହି ଘୋଷଣା।

୧୯୨୪ ମସିହା ଜାନୁଆରୀ ୨୪ ତାରିଖରେ ବିହାରର ପିତୌଞ୍ଜିଆ ଗାଁରେ ଜନ୍ମ ହୋଇଥିଲେ। ଏହି ଗାଁଟି ଏବେ କର୍ପୂରୀ ଗ୍ରାମ ଭାବେ ଜଣାଶୁଣା। ୧୯୮୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା କର୍ପୂରୀ ଠାକୁର ‘ଜନ ନାୟକ’ ଭାବେ ଜଣାଶୁଣା ଥିଲେ। ସେ ପଛୁଆ ବର୍ଗ ଲୋକଙ୍କ ଉନ୍ନତି ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ।  

୧୯୭୦ରୁ ୧୯୭୧ ଓ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ କର୍ପୂରୀ ଠାକୁର। ସେ ଥିଲେ ବିହାରର ପ୍ରଥମ ଅଣ କଂଗ୍ରେସ ମୁଖ୍ୟମନ୍ତ୍ରୀ। ୧୯୬୭ ମାର୍ଚ୍ଚ ୫ରୁ ୧୯୬୮ ଜାନୁଆରୀ ୩୧ ପର୍ଯ୍ୟନ୍ତ ସେ ବିହାରର ଉପ-ମୁଖ୍ୟମନ୍ତ୍ରୀ ଥିଲେ। ଏହି ସମୟରେ ରାଜ୍ୟର ଶିକ୍ଷା ବିଭାଗ ତାଙ୍କ ହାତରେ ଥିଲା। 

୧୯୭୦ରେ ସେ ଯେତେବେଳେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହେଲେ ସେତେବେଳେ ସେ ସୋସିଆଲିଷ୍ଟ ପାର୍ଟିରେ ଥିଲେ। ୧୯୭୭ରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ବେଳେ ସେ ଜନତା ପାର୍ଟିରେ ଥିଲେ। ଦେଶ ସ୍ୱାଧୀନ ହେବା ପରେ ଗାଁ ସ୍କୁଲ୍‌ରେ ଶିକ୍ଷକତା କରୁଥିବା କର୍ପୂରୀ ଠାକୁର ୧୯୫୨ ମସିହାରେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସୋସିଆଲିଷ୍ଟ ପାର୍ଟି ଟିକେଟ୍‌ରେ ସେ ତାଜପୁର ଆସନରୁ ବିଜୟୀ ହୋଇଥିଲେ।  

Leave A Reply

Your email address will not be published.