ଭୁବନେଶ୍ୱର: ସାମ୍ପ୍ରତିକ ସମାଜରେ ବିବାହ ଏକ ମହତ୍ୱପୂର୍ଣ୍ଣ ଘଟଣା । ପରିବାରର ଅସହମତି, ଯୌତୁକ ଅସଙ୍ଗତି, ଅନାବଶ୍ୟକୀୟ ସାମାଜିକ ପ୍ରଥା, ବୈବାହିକ ଉତରଦାୟିତ୍ୱ ସମ୍ପର୍କରେ ଅନଭିଜ୍ଞତା, ଝିଅମାନଙ୍କୁ ସାମଗ୍ରୀ କରିବାର ଅଭିପ୍ରାୟ ଓ ମନସ୍ତାତ୍ୱିକ ତାଳମେଳର ଅଭାବ ଯୋଗୁଁ ବିବାହ ହୋଇପାରୁନାହିଁ କିମ୍ବା ହେଲେ ଚିରସ୍ଥାୟୀ ହୋଇପାରୁନାହିଁ । ଏଣୁ ପ୍ରତିକାର ସ୍ୱରୂପ ନବବଧୂକୁ ସଚେତନ କରାଇବା, ଆର୍ଥିକ ଅନଗ୍ରସରମାନଙ୍କୁ ପ୍ରଧାନ୍ୟ ଦେବା, ଯୌତୁକ ବିରୋଧରେ ସଚେତନତା ଶିକ୍ଷିତ ବାତାବରଣ ସୃଷ୍ଟି କରିବା ଓ ବିବାହକୁ ରେଜିଷ୍ଟ୍ରିଭୁକ୍ତ କରିବାର ଅଙ୍ଗିକାରବଦ୍ଧତାକୁ ଆପଣାଇ ଏକ ସୁସ୍ଥ, ଚିରସ୍ଥାୟୀ ଓ ବୁଝାମଣାପୂର୍ଣ୍ଣ ବୈବାହିକ ଜୀବନର ଲକ୍ଷ୍ୟ ହାସଲ କରିବାର ‘ପ୍ରୟାସ’ର ଧ୍ୟେୟ । ପ୍ରୟାସ ଦୀର୍ଘ ୯ ବର୍ଷ ମଧ୍ୟରେ ୨୨୫ ଗୋଟି ସାମୁହିକ ବିବାହ ସଫଳତାର ସହ ଆୟୋଜନ କରିସାରିଛି ଏବଂ ଆଗକୁ ଆହୁରି ପ୍ରୟାସ ଜାରୀ ରଖିବ ।
ସମାଜର ସବୁ ବର୍ଗ, ଗୋଷ୍ଠୀ, ଜାତି ତଥା ବିଧବା, ଅକର୍ମଣ୍ୟ, ଅବହେଳିତଙ୍କୁ ଏକାଠି କରି ‘ସାମୂହିକ ବିବାହ’କୁ ଏକ ‘ସାମାଜିକ ମହୋତ୍ସବ’ର ମାନ୍ୟତା ଦେବାକୁ ‘ପ୍ରୟାସ’ ଏକ ପ୍ରୟାସ କରିଛି । ୧୭ ଫେବୃଆରି ୨୦୨୪ ଶନିବାର ସନ୍ଧ୍ୟାରେ ମଙ୍ଗନି, ମେହେନ୍ଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ଓ ୧୮ ଫେବୃଆରି, ୨୦୨୪ ଦିନ ସ୍ଥାନୀୟ ୟୁନିଟ୍-୩ ସ୍ଥିତ ଶ୍ରୀ ଶ୍ରୀରାମ ମନ୍ଦିର ପରିସରରେ ଏହି ‘ସାମୂହିକ ବିବାହ ମହୋତ୍ସବ’ ଅନୁଷ୍ଠିତ ହେବାକୁ ଯାଉଅଛି । ଆବେଦନ କରିଥିବା ବରବଧୂ, ସେମାନଙ୍କ ପରିବାରର ଉପସ୍ଥିତିରେ ବିବାହ ସମ୍ପନ୍ନ ହେବା ସହ ଆଇନ ଅନୁଯାୟୀ ରେଜିଷ୍ଟ୍ରିଭୁକ୍ତ ହେବେ । ପାରମ୍ପରିକ ବିବାହ ପ୍ରଥାକୁ ସାମୂହିକ, ଅର୍ଥ ପ୍ରାବଲ୍ୟହୀନ ଓ ନିରାଡାମ୍ବର କରି ଏକ ନୂତନ ସାମାଜିକ ଚେତନା ଉଦ୍ରେକ ଦ୍ୱାରା ଯୁବଗୋଷ୍ଠୀ ମଧ୍ୟରେ ବିବାହର ଏକ ମର୍ଯ୍ୟାଦାପୂର୍ଣ୍ଣ ଅର୍ଥ ଉପସ୍ଥାପନ କରିବାକୁ ପ୍ରୟାସ ଉଦ୍ୟମ କରିଛି । ୧୦ମ ବିବାହ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଅଭ୍ୟର୍ଥନା କମିଟିର ଆବାହକ ତଥା ଶିକ୍ଷାବିତ୍ ଡଃ. ବଦ୍ରିନାଥ ପଟ୍ଟନାୟକ କହିଛନ୍ତି । ପୂର୍ବାହ୍ନ ୧୧ ଘଟିକାରେ ଇଉନିଟ୍-୨ ଆର୍ଯ୍ୟସଂସ୍କୃତି ମନ୍ଦିର ଠାରୁ ୨୫ ଜଣ ବର ବାହାରି ଇଉନିଟ୍-୩ସ୍ଥିତ ଶ୍ରୀ ଶ୍ରୀରାମ ମନ୍ଦିରକୁ ବରାନୁଗମନ କରିବେ । ଏହି କାର୍ଯ୍ୟକ୍ରମରେ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସୁରେଶ କୁମାର ପତ୍ରୀ, କମଲ ମହାନ୍ତି, ସୂର୍ଯ୍ୟ କୁମାର ପାତ୍ର, ଜୟନ୍ତ ମହାନ୍ତି, ଡ.ସୁରେନ୍ଦ୍ର ମହାପାତ୍ର, ବୃନ୍ଦାବନ ପଢିହାରୀ, ସଂଗ୍ରାମ ମହାରଣା, କୌସ୍ତୁଭ ଦାସ, ପ୍ରେମ ଅଗ୍ରୱାଲ୍, ଦିଲ୍ଲିପ ପଣ୍ଡା, ଜସ୍ମିନ୍ ମହାନ୍ତି, କୌଷିକ ମହାନ୍ତି, ଚନ୍ଦ୍ରଶେଖର ପଣ୍ଡିତରା, ଉମାକାନ୍ତ ତାଣ୍ଡି ଓ ଅନ୍ୟ କାର୍ଯ୍ୟକର୍ତ୍ତା ନିଜର ସହଯୋଗର ହାତ ବଢାଇଛନ୍ତି ବୋଲି ‘ପ୍ରୟାସ’ର ଅଧ୍ୟକ୍ଷ ବନ ମହାନ୍ତି କହିବା ସହ ଜନସାଧାରଣଙ୍କୁ ସହଯୋଗର ହାତ ବଢାଇ ସାମାଜିକ ଉତର ଦାୟିତ୍ୱର ନିର୍ବାହନ କରିବାକୁ ସଶ୍ରଦ୍ଧ ଅନୁରୋଧ କରିଛନ୍ତି ।