xmas

ଅଚାନକ ଛୁଟିରେ ପଳାଇଗଲେ ବିଏମସି କମିଶନର, ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ୱ

ସାଧାରଣ ନିର୍ବାଚନ ପୂର୍ବରୁ ଅଚାନକ ଛୁଟିରେ ପଳାଇଗଲେ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ । ତାଙ୍କ ବଦଳରେ ନୂଆ କମିଶନର ଭାବେ ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି ।

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଅଚାନକ ଛୁଟିରେ ପଳାଇଗଲେ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ । ତାଙ୍କ ବଦଳରେ ନୂଆ କମିଶନର ଭାବେ ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି ।

୨୦୧୩ ବ୍ୟାଚ୍ ଆଇଏଏସ୍ ଶ୍ରୀ କୁଲାଙ୍ଗେ ଗତକାଲି ଅର୍ଥାତ୍ ୨୩ତାରିଖରେ ବିଏମସି ମାସିକ ବୈଠକରେ ଉପସ୍ଥିତ ରହିଥିଲେ । ସବୁକିଛି ଠିକଠାକ୍ ଥିବାବେଳେ ଅଚାନକ ଛୁଟିରେ ପଳାଇବାକୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି । ସରକାରଙ୍କ ବିନା ଅନୁମତିରେ ମେୟର ଓ କର୍ପୋରେଟରଙ୍କ ଭତ୍ତା(ସିଟିଂ ଆଲାଉନ୍ସ) ବୃଦ୍ଧି ପାଇଁ ବିଏମସି ବୈଠକରେ ନିଷ୍ପତ୍ତି ନିଆଯିବା ଶ୍ରୀ କୁଲାଙ୍ଗେଙ୍କୁ ମହଙ୍ଗା ପଡ଼ିଛି ବୋଲି ଜଣାପଡ଼ିଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ ସମବାୟ ବିଭାଗର ସଚିବ ଏବଂ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ତୁଲାଇବେ । ୨୦୦୫ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର ଅନେକ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାମ କରିଆସିଛନ୍ତି । ଖାସ୍‌ କରି କୋରାପୁଟ, କନ୍ଧମାଳ, ମୟୁରଭଞ୍ଜ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିସାରିଛନ୍ତି ।

ସେହିପରି ୨୦୧୩ ବ୍ୟାଚ୍ ଆଇଏଏସ୍ ଶ୍ରୀ କୁଲାଙ୍ଗେଙ୍କୁ ରାଜ୍ୟ ସରକାର ଏକମାସ ପାଇଁ ଛୁଟିରେ ଯିବା ନିମନ୍ତେ ଅନୁମତି ଦେଇଥିବା ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ତେବେ ଗତକାଲି ଭୁବନେଶ୍ୱର ମହାନଗର ନିଗମର ମାସିକ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ହିଁ ଶ୍ରୀ କୁଲାଙ୍ଗେଙ୍କୁ ମହଙ୍ଗା ପଡ଼ିଛି । ତୃତୀୟ ମହଲାରୁ କଡ଼ା ତାଗିଦ୍ ଓ ବିରକ୍ତି ଯୋଗୁ ଶ୍ରୀ କୁଲାଙ୍ଗେ ନିଜକୁ ଅସମ୍ମାନିତ ମନେ କରି ଏକ ମାସ ଛୁଟିରେ ପଳାଇଥିବା ଚର୍ଚ୍ଚା ହେଉଛି ।

ଗତକାଲି ବିଏମସି ମାସିକ ବୈଠକରେ ମେୟର, ଡେପୁଟି ମେୟର ଓ କର୍ପୋରେଟରମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଶ୍ରୀ କୁଲାଙ୍ଗେ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ମେୟରଙ୍କୁ ସିଟିଂ ଆଲାଉନ୍ସ ୫୦ହଜାର ଟଙ୍କା, ଡେପୁଟି ମେୟରଙ୍କ ୨୫ହଜାର ଟଙ୍କା ଓ କର୍ପୋରେଟରମାନଙ୍କର ସିଟିଂ ଆଲାଉନ୍ସ ୧୦ହଜାର ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି ସମସ୍ତ ଅର୍ଥ ବିଏମସି ପାଣ୍ଠିରୁ ଭରଣା କରାଯିବ ବୋଲି ଶ୍ରୀ କୁଲାଙ୍ଗେ ଗଣମାଧ୍ୟମକୁ କହିଥିଲେ ।

ମାତ୍ର ସନ୍ଧ୍ୟାରେ ଏହି ନିଷ୍ପତ୍ତିକୁ ରଦ୍ଦ କରାଯିବା ସହ ଏଥିପାଇଁ ସରକାରଙ୍କ ଅନୁମତି ଜରୁରୀ ବୋଲି ଶ୍ରୀ କୁଲାଙ୍ଗେ ଗଣମାଧ୍ୟମକୁ ସଫେଇ ଦେଇଥିଲେ । ଏହାସହିତ ଗତକାଲି ସନ୍ଧ୍ୟାରେ ହିଁ ଶ୍ରୀ କୁଲାଙ୍ଗେଙ୍କୁ ଏକମାସ ଛୁଟିରେ ଯିବା ପାଇଁ ସରକାର ଅନୁମତି ଦେଇ ତାଙ୍କ ସ୍ଥାନରେ ଶ୍ରୀ ପାଟିଲଙ୍କୁ ବିଏମସି କମିଶନର ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ବିଜୟ ଅମୃତ କୁଲାଙ୍ଗେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ବେଶ ଜଣାଶୁଣା । ପୂର୍ବରୁ ଗଞ୍ଜାମରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଥିଲେ । ତେବେ ଗଞ୍ଜାମରେ ଜିଲ୍ଲାପାଳ ଥିବା ବେଳେ ତାଙ୍କ ଅନେକ ଲୋକଭିମୁଖୀ କାର୍ଯ୍ୟକୁ ଲୋକେ ପ୍ରଶଂସା କରିଥିଲେ । ଆଉ ୨୦୨୨ରେ ବିଜୟ ଅମୃତ କୁଲାଙ୍ଗେଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ବିଏମ୍‌ସିର ନୂଆ କମିଶନର ଭାବେ ଯୋଗ ଦେବା ପରେ ଅନେକ କାର୍ଯ୍ୟ ଭାରରେ ସୁଧାର ଆଣିଥିଲେ ବିଜୟ ଅମୃତ କୁଲାଙ୍ଗେ ।

Leave A Reply

Your email address will not be published.