xmas

ବିଜେଡିରୁ ଇସ୍ତଫା ଦେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

ବିଜେଡି ଛାଡ଼ିଲେ ଦଳର ବରିଷ୍ଠ ନେତା ତଥା ୬ ଥରର ବିଧାୟକ ଅରବିନ୍ଦ ଢାଲି ।

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇ ଯାଇଛି ଦଳ ଡିଆଁ କାର୍ଯ୍ୟକ୍ରମ । ବିଜେଡି ଛାଡ଼ିଲେ ଦଳର ବରିଷ୍ଠ ନେତା ତଥା ୬ ଥରର ବିଧାୟକ ଅରବିନ୍ଦ ଢାଲି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଲେ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅରବିନ୍ଦ ।

ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇ-ମେଲ୍‌ ଯୋଗେ ସେ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ସେ ବିଜେପିରେ ଯୋଗଦେବେ।

ଦଳ ଛାଡ଼ିବା ନେଇ କୌଣସି ନିର୍ଦ୍ଦିଷ୍ଟ କାରଣ ନ କହି ଅରବିନ୍ଦ ଢାଲି କହିଛନ୍ତି, ମୁଁ ଜଣେ ଅନୁଶାସିତ କାର୍ଯ୍ୟକର୍ତ୍ତା। ୩୫ ବର୍ଷ ହେଲାଣି ରାଜନୀତିରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ସମସ୍ତଙ୍କର ଆଶା ଅଛି। କିନ୍ତୁ ଏହା କେତେ ଦୂର ସମ୍ପୂର୍ଣ୍ଣ ହେବ ତାହା ସମୟ କହିବ । ତେଣୁ ମନ ହେଲା ଦଳ ଛାଡ଼ିଦେଲି। ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍‌ କରି ଇସ୍ତଫାପତ୍ର ଦେଇ ଦେଇଛି। ସନ୍ତୁଷ୍ଟ ନାହିଁ ବୋଲି ଦଳ ଛାଡ଼ିଛି।  ଆସନ୍ତାକାଲି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେବି । ସେଠାରେ ହିଁ ଛାଡ଼ିବାର କାରଣ କହିବି। 

ବିଜେପି ହେଉଛି ଢାଲିଙ୍କର ପୁରୁଣା ଘର। ସେ ସେହି ଦଳରୁ ମାଲକାନାଗିରରୁ ଜିତି ମନ୍ତ୍ରୀ ହୋଇଥିଲେ। ସେ ସେଠାରୁ ୧୯୯୨ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ବିଧାୟକ ଥିଲେ। ବର୍ତ୍ତମାନ ଜୟଦେବ ନିର୍ବାଚନ ମଣ୍ଡଳୀରୁ ସେ ଦୁଇଥର ବିଧାୟକ ହୋଇସାରିଲେଣି।

ସେ ବିଜେପି, ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ଶେଷରେ ବିଜେଡିରେ ସାମିଲ ହୋଇଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ଅରବିନ୍ଦ ପୁଣିଥରେ ବିଜେଡି ଛାଡି ବିଜେପି କ୍ୟାମ୍ପକୁ ଫେରିବେ ବୋଲି ଘୋଷଣା କରି ସାରିଲେଣି । ତେଣୁ ଏଥର ନିର୍ବାଚନରେ ସେ ଏକ ନୂଆ ରୂପରେ ଆର୍ବିଭାବ ହେବେ ବୋଲି ସ୍ପଷ୍ଟ ହେଲାଣି।

ନିଜ ଇସ୍ତଫା ଦେବା ପଛରେ ସେଭଳି କୌଣସି ସ୍ପଷ୍ଟ କାରଣ ଦର୍ଶାଇ ନାହାନ୍ତି ଅରବିନ୍ଦ ଢାଲି । ଏ ସମ୍ପର୍କରେ ଆସନ୍ତା କାଲି ବିଜେପିରେ ଯୋଗ ଦେବା ଅବସରରେ ମୁହଁ ଖୋଲି କହିବେ ବୋଲି କହିଛନ୍ତି ଏହି ବରିଷ୍ଠ ନେତା।  

Leave A Reply

Your email address will not be published.