xmas

ଓଡ଼ିଶାର ସଂକଳ୍ପ ସ୍ପଷ୍ଟ, ‘ଅବ୍ କି ବାର୍ ୪୦୦ ପାର୍’: ପ୍ରଧାନମନ୍ତ୍ରୀ

ଚଣ୍ଡିଖୋଲ: ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡିଖୋଲରେ ଏକ ବିଶାଳ ଜନସଭାକୁ ସମ୍ୱୋଧିତ କରିଛନ୍ତି । ଜନସଭାରେ କେନ୍ଦ୍ର ସରକାରଙ୍କ ୧୦ ବର୍ଷର ଉପଲବ୍ଧିକୁ ଲୋକଙ୍କ ପାଖରେ ରଖିଛନ୍ତି । ମୋଦୀ ଗ୍ୟାରେଣ୍ଟି ସମାବେଶରେ ଜୟ ଜଗନ୍ନାଥ, ଜୟ ମାଆ ବିରଜା ଏବଂ ଜୟ ଶ୍ରୀରାମ କହି ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି । ଏହାପରେ ଓଡ଼ିଆରେ ସମସ୍ତଙ୍କୁ ଅଭିବାଦନ ଜଣାଇଛନ୍ତି । ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଛନ୍ତି । ନିଜ ସମ୍ୱୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶାଳ ସଂଖ୍ୟାରେ ଲୋକଙ୍କ ଉପସ୍ଥିତି ସ୍ପଷ୍ଟ ସନ୍ଦେଶ ଦେଉଛି । ଓଡ଼ିଶାବାସୀଙ୍କ ସଂକଳ୍ପ ସ୍ପଷ୍ଟ, ଅବ୍ କି ବାର୍ ୪୦୦ ପାର୍ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘୪୦୦ ପାର୍ ସଂକଳ୍ପ ଦେଶରେ ଏକ ମଜଭୁତ ଏବଂ ବଡ଼ ବଡ଼ ନିଷ୍ପତ୍ତି ନେବାର ସରକାର ଗଠନ ପାଇଁ । ୪୦୦ ପାର୍ ସଂକଳ୍ପ ଚାଷୀ, ଯୁଗବର୍ଗ, ନାରି ଶକ୍ତି ଏବଂ ଗରିବଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ । ଏଥିରେ ପୂର୍ବ ଭାରତ ଏବଂ ଓଡ଼ିଶାର ବଡ଼ ଯୋଗଦାନ ରହିବାକୁ ଯାଉଛି । ଗତ ଦଶ ବର୍ଷରେ ବିଜେପି ସରକାର ଓଡ଼ିଶାରେ ଅଭୂତପୂର୍ବ ନିବେଶ କରିଛି । ଆମ ଉଦ୍ୟମ ଓଡିଶା ବିକଶିତ ଭାରତର ଗେଟ୍ ୱେ ହେଉ । ଓଡ଼ିଶା ବିକଶିତ ଭାରତରୁ ଉର୍ଜା ଦେଉଛି । ଏଠାରୁ ଗ୍ୟାସ୍ ପାଇପ୍ ଲାଇନ ପୂର୍ବ ଭାରତର ଅନେକ ରାଜ୍ୟରେ ପହଞ୍ଚୁଛି । ଓଡ଼ିଶା ପୋଲିଷ୍ଟରର ଏକ ବଡ଼ କେନ୍ଦ୍ର ପାଲଟୁଛି । ଟେକ୍ସଟାଇଲ୍ ପାର୍କ ପାଇଁ କଞ୍ଚା ମାଲ୍ ଏଠାରେ ପ୍ରସ୍ତୁତ ହେଉଛି । ଗତ ୧୦ ବର୍ଷରେ ଓଡ଼ିଶାର ପେଟ୍ରୋକେମିକାଲ ସେକ୍ଟରରେ ୨ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି । ଅଧିକ ନିବେଶ ଅର୍ଥାତ୍ ଅଧିକ ନିଯୁକ୍ତି ସୁଯୋଗ । ଏହି ବିକାଶ କାର୍ଯ୍ୟ ଓଡ଼ିଶାର ଯୁବବର୍ଗଙ୍କ ଭାଗ୍ୟ ପରିବର୍ତ୍ତନ କରିବ ।’

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ୨୦୧୪ ପୂର୍ବରୁ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳ କେବଳ ନିଜ ସମ୍ପତ୍ତି ବଢାଉଥିଲେ । ଯେଉଁ କଂଗ୍ରେସ ସରକାର କୋଇଲା ଲୁଟି ଖାଇଯାଏ, ସିଏ ଗରିବଙ୍କୁ କିପରି ଖାଇବାକୁ ହେବ । ଯେଉଁ କଂଗ୍ରେସ ସରକାର ୟୁରିଆରେ ଦୁର୍ନୀତି କରିଛି, ସିଏ ଚାଷୀଙ୍କୁ ଶସ୍ତାରେ ୟୁରିଆ କିପରି ଦେଇଥାନ୍ତା । ସ୍ୱାଧୀନତା ପରଠୁ ହିଁ କଂଗ୍ରେସ ଦେଶରେ ଏପରି ସବୁ ବ୍ୟବସ୍ଥା କରିଥିଲା ଯେଉଁଥିରେ ଗରିବ, ଆଦିବାସୀ, ଯୁବବର୍ଗଙ୍କ ଅବିଶ୍ୱାସ ସୃଷ୍ଟି ହେବ । ଗରିବ ସାହାଯ୍ୟ ମାଗିବାକୁ ଗଲେ କଂଗ୍ରେସ ସରକାର ଗ୍ୟାରେଣ୍ଟି ମାଗୁଥିଲା । ବ୍ୟାଙ୍କରେ ଖାତା ଖୋଲିବା ବେଳେ କଂଗ୍ରେସ କହୁଥିଲା ଗ୍ୟାରେଣ୍ଟି ଦିଏ, ନିଯୁକ୍ତି ପାଇଁ ଅଫିସରଙ୍କ ଗ୍ୟାରେଣ୍ଟି ମାଗୁଥିଲା । କିନ୍ତୁ ୨୦୧୪ ପରେ ଗୋଟିଏ ଗରିବ ପୁଅ କେନ୍ଦ୍ର ସରକାରକୁ ଆସିଲା । ଗରିବର ପୁଅ ପ୍ରଧାନମନ୍ତ୍ରୀ ହେବା ପରେ ସେ କହିଥିଲା ଯେ ଗରିବର ଗ୍ୟାରେଣ୍ଟି ମୋଦୀ ହେବ । ଯେଉଁ ଗରିବ ପାଖରେ ଗ୍ୟାରେଣ୍ଟି ପାଇଁ କିଛି ନଥିଲା ମୋଦୀ ତାର ଗ୍ୟାରେଣ୍ଟି ହେଲା । ଯାହାଙ୍କୁ କେବେ କେହି ପଚାରୁ ନଥିଲେ, ତାଙ୍କୁ ମୋଦୀ ପଚାରିଲା । ଓଡ଼ିଶାର ଥିବା ଅନେକ ଜନଜାତଙ୍କ କଥା କେହି ବୁଝି ନଥିଲେ । ମୋଦୀ ଏହି ଆଦିବାସୀ ଲୋକଙ୍କ ପାଇଁ ପିଏମ୍ ଜନମନ ଯୋଜନା ଆରମ୍ଭ କଲା । ଏଥି ପାଇଁ ମୁଁ ସବୁବେଳେ କହୁଛି, ମେରା ଭାରତ ମେରା ପରିବାର ଅର୍ଥାତ ମୋର ଭାରତ ହେଉଛି ମୋର ପରିବାର।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆମ କାମ ଦେଖି ଲୋକ କହୁଛନ୍ତି, ଯେଉଁଠି ଅନ୍ୟମାନଙ୍କଠାରୁ ଆଶା ଶେଷ ହୋଇଯାଏ, ସେଠାରୁ ମୋଦୀଙ୍କ ଗ୍ୟାରେଣ୍ଟି ଆରମ୍ଭ ହେଉଛି’। ପ୍ରଧାନମନ୍ତ୍ରୀ ମୋଦୀ ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଏହାସହ ଅନ୍ନାଦାତାଙ୍କୁ ଉର୍ଜାଦାତା କରାଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗରିବର ପୁଅ ହେଉଛି ନରେନ୍ଦ୍ର ମୋଦୀ। ଗରିବଙ୍କ ସବୁଠାରୁ ବଡ଼ ଗ୍ୟାରେଣ୍ଟି ମୋଦୀ ହେବ। ଓଡ଼ିଶାରେ ଅନେକ ଅନୁସୂଚିତ ଜନଜାତି ଅଛନ୍ତି, ଯାହାଙ୍କୁ ମୋଦୀ ପିଏମ୍‌ ଜନମନ ଯୋଜନା ମାଧ୍ୟମରେ ରୋଜଗାର ଦେଇଛି। ଏକଦା ଗରିବଙ୍କ ପାଇଁ ଯାହ ସ୍ବପ୍ନ ଥିଲା, ଏବେ ତାହା ଅଧିକାର ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆପଣଙ୍କର ଉତ୍ସାହ ମୋତେ କାମ କରିବାକୁ ଅଧିକ ବଳ ଯୋଗାଇବ। ଓଡ଼ିଶା ଭଗବାନ ସୂର୍ଯ୍ୟଦେବଙ୍କ ଭୂମି। ସୂର୍ଯ୍ୟଦେବଙ୍କ ପ୍ରେରଣାରେ ମୋଦୀ ଏକ ଗ୍ୟାରେଣ୍ଟି ଦେଉଛି। ମାଗଣାରେ ବିଦ୍ୟୁତ‌ ଦେବା ପାଇଁ ଯୋଜନା ଆରମ୍ଭ କରିଛି। ବିଜେପି ସରକାର ପିଏମ୍‌ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ଆରମ୍ଭ କରିଛି। ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ୩୦୦ ୟୁନିଟ୍‌ ଉତ୍ପାଦନ କରିପାରିବେ। ଚାଷୀମାନେ ଚାଷଜମିରେ ସୋଲାର ପ୍ୟାନେଲ ମାଧ୍ୟମରେ ବିଦ୍ୟୁତ୍‌ ଉତ୍ପାଦନ କରିପାରିବେ। ଭଗବାନଙ୍କ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବିନା କୌଣସି ମନୁଷ୍ୟକୁ ଆଗକୁ ବଢ଼ିବାରେ ସୁଯୋଗ ମିଳିପାରିବ ନାହିଁ। ମାଗଣାରେ ରାସନରେ ମିଳୁଛି କି ନାହିଁ ସମାରୋହରେ ଉପସ୍ଥିତ ଥିବା ଦର୍ଶକଙ୍କୁ ପଚାରିଥିଲେ। ଗରିବଙ୍କୁ ରାସନ ଆଗାମୀ ୫ ବର୍ଷ ଯାଏଁ ମିଳିବ। ପ୍ରତି ଘରକୁ ପାଣି ପହଞ୍ଚାଇବା ପାଇଁ ଆମେ କାମ କରୁଛୁ। ଦେଶରେ ମହିଳା ସଶକ୍ତୀକରଣ ପାଇଁ ଗୁରୁତ୍ବ ଦିଆଯାଉଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡି ମେଣ୍ଟ ଉପରେ ବର୍ଷିଥିଲେ । ପିଏମ କହିଛନ୍ତି, ‘ଇଣ୍ଡି ମେଣ୍ଟ ନିଜ ପୁଅ, ପୁତୁରା, ଭାଇ ସମ୍ପର୍କୀୟଙ୍କ ପାଇଁ ଚିନ୍ତା କରୁଛନ୍ତି, କିନ୍ତୁ ମୋଦୀ ଦେଶର କୋଟି କୋଟି ଯୁବକ-ଯୁବତୀଙ୍କ ପାଇଁ କାମ କରୁଛି । ଇଣ୍ଡି ମେଣ୍ଟର ପରିବାରବାଦୀ କହୁଛନ୍ତି ସେମାନଙ୍କ ଲକ୍ଷ୍ୟ ମୋଦୀକୁ ହଟାଇବା, କିନ୍ତୁ ମୋଦୀର ଲକ୍ଷ୍ୟ ତୃତୀୟ ବୃହତ ଅର୍ଥନୀତି କରିବା । ସେମାନେ ନିଜ ପିଲାଙ୍କ ପାଇଁ ହିଁ କୋଠା ନିର୍ମାଣ କରିଛନ୍ତି, କିନ୍ତୁ ମୋଦୀ ଗରିବ ଘରର ପିଲାଙ୍କ ପାଇଁ ପକ୍କା ଘର ନିର୍ମାଣ କରିଛି । ମୋଦୀ କାଳରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତ ହୋଇଛନ୍ତି । ଏଥିପାଇଁ ମୁଁ କହୁଛି ‘ମେରା ଭାରତ, ମେରା ପରିବାର’ । ମୋର ଏହି କଥା ପରିବାଦବାଦୀଙ୍କୁ ବାଧୁଛି ।’ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଚଣ୍ଡିଖୋଲରେ ୧୯ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ ।

ଓଡ଼ିଆରେ ଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ବିଜୁବାବୁଙ୍କ ଆଜି ଜୟନ୍ତୀ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଆଜି ଓଡ଼ିଶା ମାଟିରେ ସୁଯୋଗ ମିଳିଛି। ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବେଶ୍ବର ଟୁଡୁ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.