ନିର୍ବାଚନର ଠିକ ପୂର୍ବରୁ ହ୍ରାସ ପାଇଛି ତୈଳ ଦର।
ନୂଆଦିଲ୍ଲୀ: ଆଉ ମାତ୍ର କିଛି ସପ୍ତାହ ପରେ ଦେଶରେ ଲୋକସଭା ନିର୍ବାଚନ ହେବ। ଏହାର ଠିକ ପୂର୍ବରୁ ହ୍ରାସ ପାଇଛି ତୈଳ ଦର। ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ ଟଙ୍କା ଲେଖାଏ ହ୍ରାସ ପାଇଛି। ଦର ହ୍ରାସ ସମ୍ପର୍କ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏକ୍ସ ଯୋଗେ ସୂଚନା ଦେଇଛନ୍ତି। ଦରବୃଦ୍ଧି ଯୋଗୁ ଆଉଟ ପାଉଟ ହେଉଥିବା ଲୋକଙ୍କୁ ଏପରି ପଦକ୍ଷେପ କିଛି ମାତ୍ରାରେ ଆଶ୍ୱସ୍ତି ଦେବ।
ସୂଚନା ଅନୁସାରେ, ପରିବର୍ତ୍ତିତ ଦର ଆସନ୍ତାକାଲି ଅର୍ଥାତ ୧୫ ମାର୍ଚ୍ଚ ୬ଟାରୁ ଲାଗୁ ହେବ। ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଯୋଗୁ ଖାଉଟିଙ୍କ ଖର୍ଚ୍ଚକୁ ହ୍ରାସ କରିବ। ସେହିପରି ଡିଜେଲରେ ଚାଲୁଥିବା ୫୮ ଲକ୍ଷ ପରିବହନ ଗାଡ଼ିର ଭଡ଼ା ଦାମ କମିବ। ୬ କୋଟି କାର ଓ ୨୭ କୋଟି ବାଇକ ଚାଳକଙ୍କୁ ଏହା ସହାୟତା ଦେବ।
ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ଏଣିକି ଲୋକମାନେ ପେଟ୍ରୋଲ ଲିଟର ପିଛା ୯୪.୭୨ ଟଙ୍କାରେ କିଣିବେ। ପୂର୍ବରୁ ସେମାନଙ୍କୁ ୯୬.୭୨ ଟଙ୍କା ଦେବାକୁ ପଡ଼ୁଥିଲା। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୦୬.୩୧ ଟଙ୍କାରୁ ଖସି ୧୦୪.୨୧ ଟଙ୍କା, କୋଲକାତାରେ ୧୦୬.୦୩ ଟଙ୍କାରୁ ୧୦୩.୯୪ ଟଙ୍କା ଓ ଚେନ୍ନାଇବାସୀ ୧୦୨.୬୩ ଟଙ୍କା ବଦଳରେ ୧୦୦.୭୨ ଟଙ୍କା ଦେଇ କାଲି ସକାଳ ୬ଟାରୁ ପେଟ୍ରୋଲ ପାଇବେ।