xmas

ଆରପାରିରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ ହୋଇଛି। ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏ ନେଇ ସୂଚନା ଦେଇଛନ୍ତି ତାଙ୍କ ସ୍ୱାମୀ ବସନ୍ତ କୁମାର ଛୋଟରାୟ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ଶାନ୍ତିଲତା ବାରିକ ଛୋଟରାୟ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ। ଜୀବନ କାଳ ଭିତରେ ଅନେକ ଲୋକପ୍ରିୟ ଜଗନ୍ନାଥ ଭଜନ ଗାଇଛନ୍ତି। ଅତି ଲୋକପ୍ରିୟ। ରାଜ୍ୟ ଓ ରାଜ୍ୟ ବାହାରେ ତାଙ୍କର ବହୁ ପ୍ରଶଂସକ ଅଛନ୍ତି। ୨୦୧୧ ମସିହାରେ ସେ ଅସୁସ୍ଥ ହୋଇପଡ଼ିଥିଲା। ହେଲ୍‌ଥ୍‌ ଚେକ୍‌ଅପ୍‌ ପରେ କ୍ୟାନ୍‌ସର ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ। ତା’ପରେ ତାଙ୍କୁ ସଙ୍ଗେ ସଙ୍ଗେ ମୁମ୍ୱାଇର ଟାଟା ମେମୋରିଆଲ୍‌ କ୍ୟାନ୍‌ସର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ। କିନ୍ତୁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇନଥିଲେ। ନିୟମିତ ମେଡ଼ିସିନ୍‌ ଖାଉଥିଲେ।

ତେବେ ମହାମାରୀ କୋଭିଡ୍‌ ପରେ ଅର୍ଥାତ ୨୦୨୨ ମସିହାରେ ପୁଣି ଥରେ ଅସୁସ୍ଥ ହୋଇପଡ଼ିଥିଲେ ଶାନ୍ତିଲତା ବାରିକ। ତେଣୁ ପରିବାର ଲୋକେ ତାଙ୍କୁ ପୁଣି ଥରେ ଟାଟା ମେମୋରିଆଲ୍‌ କ୍ୟାନ୍‌ସର ହସ୍ପିଟାଲ୍‌ ନେଇଥିଲେ। ଚିକିତ୍ସା ପରେ ୨୦୨୩ ସେପ୍ଟେମ୍ୱର ମାସରେ ଘରକୁ ଫେରିଥିଲେ। ତା’ପରେ ଓଡ଼ିଶାର ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିଲେ। ନିୟମିତ ମେଡ଼ିସିନ୍‌ ଖାଉଥିଲେ। ତେବେ ଆଜି ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତଦେହକୁ ଭୁବନେଶ୍ୱର କେଦାର ଗୌରୀ ସ୍ଥିତ ବାସଭବନକୁ ନିଆଯାଇଛି। ଆସନ୍ତା କାଲି ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିବ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। 

Leave A Reply

Your email address will not be published.