xmas

ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କରି ଉଦାହରଣ ସୃଷ୍ଟି କଲେ ସବ୍ୟସାଚୀ

ଭୁବନେଶ୍ବର: ତା ୦୩.୦୪.୨୪: ରାସ୍ତା ଦୁର୍ଘଟଣାରେ ଆହତ ହୋଇ ଚେତାଶୂନ୍ୟ ଭାବେ ରାସ୍ତାରେ ପଡିଥିବା ଅଶୋକ ରଥ ଓ ତାଙ୍କ ବାପାଙ୍କୁ ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ଏଥିପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ତାଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି।

ଦଶପଲ୍ଲା ଅଞ୍ଚଳର ଅଶୋକ ନିଜ ବୃଦ୍ଧ ପିତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁରଲୀଧର ରଥ ଓ ମା ପ୍ରଫୁଲ୍ଲ କୁମାରୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ନେଇଥିଲେ । ଜଗନ୍ନାଥ ଦର୍ଶନ ସାରି ଫେରୁଥିବା ବେଳେ ଜାତୀୟ ରାଜପଥର ପିପିଲି ବାଇପାସ୍ଠାରେ ଏକ ଗାଈ ସହ ଧକ୍କା ହେବାରୁ ପିତା ପୁତ୍ର ଦୁହେଁ ଆଘାତପ୍ରାପ୍ତ ହୋଇ ଚେତାଶୂନ୍ୟ ହୋଇପଡିଥିଲେ । ସେହି ସମୟରେ ପୁରୀରୁ ଫେରୁଥିବା ସବ୍ୟସାଚୀ କାଳ ବିଳମ୍ବ ନ କରି ସେମାନଙ୍କୁ ନିଜ ଗାଡିରେ ପିପିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ।  ସେଠାରୁ ସେମାନଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଉଭୟ ପିତା ପୁତ୍ର ଏବେ ସୁସ୍ଥ ଥିବା ଜଣାପଡିଛି ।

ଏଠାରେ ସୂଚନାଯୋଗ୍ୟ କୌଣସି ଦୁର୍ଘଟଣାର ପ୍ରଥମ ଘଣ୍ଟା ଆହତଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ । ଏହାକୁ ଗୋଲଡେନ ଆୱାର କୁହାଯାଏ । ଏହି ସମୟ ମଧ୍ୟରେ ଆହତଙ୍କୁ ଚିକିତ୍ସା ସୁବିଧା ମିଳିପାରିଲେ ଜୀବନ ବଞ୍ଚିବାର ସମ୍ଭାବନା ବଢିଥାଏ । ଏଥି ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଫାଷ୍ଟ ରେସପଣ୍ଡର ତାଲିମ ସହ ସଚେତନତା ସୃଷ୍ଟି କରୁଛନ୍ତି । ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ୨୦୦୦ ଟଙ୍କାର ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଉଛି । ବିନା ସଙ୍କୋଚରେ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବାକୁ ପ୍ରାଧିକରଣ ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.