xmas

ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ପରଲୋକ

କମଳା ଦାସଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା।

କଟକ: ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ପରଲୋକ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୭୯ ବର୍ଷ ହୋଇଥିଲା। ଗତକାଲି ରାତି ୧୨ଟା ୧୫ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ କମଳା ଦାସଙ୍କର ପରଲୋକ ହୋଇଛି।

କମଳା ଦାସଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା। ସେ ପ୍ରଥମେ ରାଜଧାନୀର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ। ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରେଗତକାଲି ରାତି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକ ସୂଚନା ଦେଇଛନ୍ତି।  

କମଳା ଦାସ ଜଣେ ରାଜନୀତିଜ୍ଞ ଥିଲେ। ସେ ଓଡ଼ିଶା ରାଜନୀତିରେ ଜନତା ଦଳର ଜଣେ କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ଗଠନ ପରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ। ଏବଂ ପରେ ବିଜେଡ଼ି ଛାଡ଼ି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୪ ମସିହାରେ ପୁଣି କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ। କମଳା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିବା ସହ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ।

କମଳା ଦାସ ଜନତା ଦଳର ପ୍ରତିନିଧି ଭାବରେ ୧୯୯୦ ମସିହାରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହା ଯାଏଁ କାର୍ଯ୍ୟ କରିଥିଲେ।

୧୦ମ ଓଡ଼ିଶା ବିଧାନସଭାରେ ବିଜୁ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ରାଜ୍ୟ ଶିକ୍ଷା ଓ ଯୁବ ସେବା ବିଭାଗର ମନ୍ତ୍ରୀ ଭାବରେ ପ୍ରଥମେ ୨୪ ଜୁଲାଇ ୧୯୯୦ରୁ ୪ ଜାନୁଆରୀ ୧୯୯୩ ଯାଏ କାର୍ଯ୍ୟ କରିଥିଲେ। ଏହାପରେ ସେ ୪ ଜାନୁଆରୀ ୧୯୯୩ରୁ ୧୫ ମାର୍ଚ୍ଚ ୧୯୯୫ ଯାଏଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

୧୯୯୫ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ପୁଣିଥରେ ଜନତା ଦଳର ପ୍ରତିନିଧି ଭାବରେ ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୫ ମସିହାରୁ ୨୦୦୦ ମସିହା ଯାଏଁ ସେ କାର୍ଯ୍ୟ କରିଥିଲେ। ଏହି ସମୟରେ ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ବିଜୁ ଜନତା ଦଳର ଗଠନ ହେଲା ଏବଂ କମଳା ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।

୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ପୁଣିଥରେ ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାସହ ୧୨ଶ ଓଡ଼ିଶା ବିଧାନ ସଭାରେ ସେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଦୁଇଟି ବିଭାଗର ମନ୍ତ୍ରୀ ଥିଲେ। କମଳା ମହିଳା ଓ ଶିଶୁ ବିକାଶ କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ ୬ ମାର୍ଚ୍ଚ ୨୦୦୦ରୁ ୯ ଜୁଲାଇ ୨୦୦୧ ଯାଏଁ କାର୍ଯ୍ୟ କରିଥିଲେ।

ଏହାପରେ ସେ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ହେଲେ ୨୦୧୪ ମସିହାରେ ସେ ପୁଣିଥରେ ବିଜୁ ଜନତା ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

କମଳା ଦାସ ୧୯୪୫ ମସିହାର ଅଗଷ୍ଟ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଥିଲେ ଗୟା ପ୍ରସାଦ ପାତ୍ର। ସେ ଡାକ୍ତରୀ ଛାତ୍ରୀ ଭାବରେ ଏମ୍.ବି.ବି.ଏସ୍. କରିଥିଲେ। ଏବଂ ପରେ ଏମ୍‌.ଏସ୍. କରିଥିଲେ। କମଳା କାଳୀ କୁମାର ଦାସଙ୍କୁ ବିବାହ କରିଥିଲେ।

କମଳା ଦାସଙ୍କ ଶେଷକୃତ୍ୟ ଭୋଗରାଇସ୍ଥିତ ଶଙ୍ଖାରି ଗ୍ରାମରେ ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.