ପ୍ରଚଣ୍ଡ ଖରାରେ ପିଲାଙ୍କୁ ନିର୍ବାଚନ ପ୍ରଚାରରେ ବୁଲାଉଛନ୍ତି ଅପରାଜିତା, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେଡି

ଭୁବନେଶ୍ବର: ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଚାଲିଛନ୍ତି ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଜଣେ ଶିକ୍ଷିତ ମହିଳା ହୋଇ ମଧ୍ୟ ନିଜ ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଛୁଆଙ୍କୁ ବ୍ୟବହାର କରି ବାରମ୍ବାର ନିର୍ବାଚନ କମିଶନଙ୍କ ଗାଇଡଲାଇନର ଧଜିଆ ଉଡାଉଛନ୍ତି। ଯାହାକୁ ନେଇ ଆଜି ପୁଣିଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧିଦଳ।

ଅପରାଜିତା ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଶିଶୁଙ୍କୁ ବ୍ୟବହାର କରୁଛନ୍ତି । ନିର୍ଘାତ ଖରାରେ ତାଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଇ ବୁଲାଉଛନ୍ତି । ବାରମ୍ବାର ସେ ଏଭଳି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି । ବହୁବାର ଅଭିଯୋଗ ପରେ ବି ଅପରାଜିତା ତାଙ୍କ ଅଭ୍ୟାସ ବଦଳାଉ ନାହାନ୍ତି। ତେଣୁ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ଦାବି କରିଛି ।

କିଛିଦିନ ତଳେ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଅପରାଜିତା ପ୍ରଚାର କରିବା ବେଳେ ଛୋଟପିଲାଙ୍କ ବେକରେ ବିଜେପି ଉତ୍ତରୀୟ ପକାଇ ବୁଲାଇଥିଲେ । ନିର୍ବାଚନରେ ଛୋଟପିଲାଙ୍କୁ ବ୍ୟବହାର କରିବା ସମ୍ପୂର୍ଣ୍ଣ ମନା। କିନ୍ତୁ ଅପରାଜିତା ଷଡ଼ଙ୍ଗୀ ଛୋଟପିଲାଙ୍କୁ ନିର୍ବାଚନ ପ୍ରଚାରରେ ବାରମ୍ବାର ବ୍ୟବହାର କରୁଛନ୍ତି। ଗତକାଲି ଜଟଣୀ ଅଞ୍ଚଳରେ ଏଭଳି ଦେଖିବାକୁ ମିଳିଥିଲା। ଅପରାଜିତା ପିଲାଙ୍କୁ ଉତ୍ତପ୍ତ ଖରାରେ ନିର୍ବାଚନ ପ୍ରଚାରରେ ବୁଲାଇଥିଲେ। ଯାହାର ଫଟୋ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ପ୍ରଦାନ କରିଛି। ତେଣୁ ଅପରାଜିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ।

Leave A Reply

Your email address will not be published.