xmas

ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଉତ୍କଳ ସାହିତ୍ୟ ସମାଜର ନୂଆ ସଭାପତି

କଟକ/ ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓଡ଼ିଶାର ଶତାୟୁ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’ର ୪୩ତମ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି I ପ୍ରତି ତିନି ବର୍ଷରେ ଥରେ ଅନୁଷ୍ଠିତ ଉକ୍ତ ମର୍ଯ୍ୟାଦା ସମ୍ପନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ କାର୍ଯ୍ୟ ନିର୍ବାହିକା ସମିତି ପାଇଁ ନିର୍ବାଚନ ହୋଇଥାଏ I ଉକ୍ତ ଅନୁଷ୍ଠାନର ପ୍ରଥମ ସଭାପତି (୧୯୦୩) ଭକ୍ତକବି ମଧୁସୂଦନ ରାଓ ଥିଲାବେଳେ ଦ୍ଵିତୀୟ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ବ୍ୟାସକବି ଫକୀର ମୋହନ ସେନାପତି I

ଚଳିତ ବର୍ଷ ଡ ଚାନ୍ଦ ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିଲା ବେଳେ ଉପସଭାପତି ଭାବେ ଜୀବନାନନ୍ଦ ଅଧିକାରୀ, ସାଧାରଣ ସମ୍ପାଦକ ଅଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ଓ ସଂଗଠନ ସମ୍ପାଦକ ଭାବେ ଡ. ସୁନାମଣି ରାଉତ ନିର୍ବାଚିତ ହୋଇଛନ୍ତି I ସେହିପରି ଅନ୍ୟାନ୍ୟ ପଦବୀରେ ବି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି I ତେବେ ସଭାପତି ଡ. ଚାନ୍ଦ ମୋଟ ୯୭୨ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଡ ପ୍ରମୋଦ କୁମାର ମହାପାତ୍ର ୨୫୦ ଖଣ୍ଡ ଭୋଟ ପାଇଥିଲେ I ସେହିଭଳି କାର୍ଯ୍ୟନିର୍ବାହୀକା ସମିତି ସଦସ୍ୟ ଭାବେ ଗାୟତ୍ରୀ ଦେବୀ, ଜେନା ଆଦିତ୍ୟ ପ୍ରତାପ ବାଘସିଂହ, ବ୍ରହ୍ମାନନ୍ଦ ମହାନ୍ତି, ସରୋଜିନୀ ମିଶ୍ର, ତପନ କୁମାର ସ୍ବାଇଁ, ଦିଲ୍ଲୀପ କୁମାର ଦାସ, ବିଜୟଲକ୍ଷ୍ମୀ ନାୟକ, ଶଶିକାନ୍ତ ରାଉତ, ମୁରଲୀଧର ଶତପଥୀ, ରାଧାଶ୍ୟାମ ରାଉଳ, ସୁକାନ୍ତ ପ୍ରସାଦ ନନ୍ଦ ବିଜୟ ଲାଭ କରିଛନ୍ତି।

ବିଜୟୀ ମୁକୁଟ ପିନ୍ଧିବା ପରେ ଡ ଚାନ୍ଦ କହିଥିଲେ, ” ଉତ୍କଳ ସାହିତ୍ୟ ସମାଜ ୧୨୦ ବର୍ଷ ଧରି ଓଡ଼ିଆ ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରି ଆସୁଛି I ଏହି ଅନୁଷ୍ଠାନର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବାକୁ ମୁଁ ପ୍ରୟାସୀ ହେବି I ସମସ୍ତଙ୍କ ସହଯୋଗରେ ଏହି ମହାନ କାର୍ଯ୍ୟ ସାଧିତ ହେବ I”

Leave A Reply

Your email address will not be published.