କ୍ଷୁଦ୍ର ମୂର୍ତ୍ତିରେ ସୁଦୀକ୍ଷାଙ୍କ ବିଶ୍ବ ରେକର୍ଡ

ଦିଲ୍ଲୀରେ ସୁନ୍ଦରଗଡ଼ର ୧୨ ବର୍ଷର ଝିଅ ଦେଖାଇଛନ୍ତି କମାଲ। ବିନା ତାଲିମରେ ହାସଲ କରିଛନ୍ତି ସଫଳତା। ଅଦକାରୀ ଜିନିଷ ଓ ଏମ୍‌ସିଲ୍ ଅଠାରେ ଅତି କ୍ଷୁଦ୍ର ଦେବାଦେବୀଙ୍କ ମୂର୍ତ୍ତି ତିଆରି ବିଶ୍ବ ରେକର୍ଡରେ ସ୍ଥାନ ପାଇଛନ୍ତି। ଆଗାମୀ ଦିନରେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିବାକୁ ଜାରି ରଖିଛନ୍ତି ପ୍ରୟାସ। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ସୁଦୀକ୍ଷା ନନ୍ଦ। ଏମ୍‌ସିଲ୍‌ ଅଠାରେ ଅତି କ୍ଷୁଦ୍ର ମୂର୍ତ୍ତି ତିଆରି କରିବାରେ ସେ ବେଶ ମାହିର।

୧୦ କି ୨୦ଟି ନୁହେଁ ଏମ୍‌ସିଲ୍‌ ଅଠାରେ ତିଆରି ସାରିଛନ୍ତି ପ୍ରାୟ ୨୦୦ରୁ ଅଧିକ ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି। ତାଙ୍କ ହାତରେ ଜାଦୁରେ ଜୀବନ୍ତ ହୁଏ ଦେବାଦେବୀଙ୍କ ମୂର୍ତ୍ତି, ବନ୍ୟଜନ୍ତୁ, ବାଦ୍ୟଯନ୍ତ୍ର ଓ ଅନ୍ୟାନ୍ନ ପ୍ରତିମୂର୍ତ୍ତି। ୧୦ଟି ଏକ ଇଞ୍ଚରୁ କମ୍‌ ଆକାରର ଅତିକ୍ଷୁଦ୍ର ପ୍ରତିମୂର୍ତ୍ତି ତିଆରି କରି ‘ୱାଲର୍ଡୱାଇଡ୍‌ ବୁକ୍‌ ଅଫ୍ ରେକର୍ଡସ’ ଅଧିକାରୀ ହୋଇଛନ୍ତି ସୁଦୀକ୍ଷା। ପ୍ରତିମୂର୍ତ୍ତିଗୁଡ଼ିକ ମଧ୍ୟରେ ରହିଥିଲା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା, ଶିବଲିଙ୍ଗ, ଗଣେଶ, ବୀଣା, ଅଶୋକଚକ୍ର, ଡୋରେମନ୍‌, ଜାତୀୟ ପତାକା ଓ‌ ପେନ୍‌ସିଲ୍‌। ସବୁ ପ୍ରତିମୂତ୍ତିଗୁଡ଼ିକର ଆକାର ୧ ଇଞ୍ଚରୁ କମ୍‌ ରହିଥିଲା। କେବଳ ପୁଟିରେ ତାଙ୍କ ହାତ ତିଆରି ମୟୁର, କଇଁଚ, ଓଟ, ଗାଈମୁଣ୍ଡ, ଗଛ ବେଶ୍‌ ଆକର୍ଷଣୀୟ ହୋଇଛି।

ସୁଦୀକ୍ଷା ରାଜଗାଙ୍ଗପୁରସ୍ଥ ନିର୍ମଳ ଇଂରାଜୀ ମାଧ୍ୟମ ସ୍କୁଲରେ ୮ମ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କ ପିତା ଡାକ୍ତର ସରୋଜ ରଞ୍ଜନ ନନ୍ଦ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମେଡ଼ିସିନ୍‌ ବିଭାଗରେ କାର୍ଯ୍ୟ କରନ୍ତି। ଭବିଷ୍ୟତରେ ସେ ହୃଦ୍‌‌ରୋଗ ବିଶେଷଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.