mobile header

ଖଣ୍ଡା ଶୋଭାଯାତ୍ରାକୁ ନେଇ ଉତ୍ତେଜନା: ଫାଙ୍କା ଗୁଳିଚାଳନା

ଯୋଡ଼ା ସହରରେ ରାମନବମୀ ଝାଣ୍ଡା ‌ଶୋଭାଯାତ୍ରାକୁ ନେଇ ନେଇ ଉତ୍ତେଜନା ଦେଖାଦେଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ସହ ପଥର ଓ କାଚ ବୋତଲ ମାଡ଼ ହୋଇଛି। ଉତ୍ତ୍ୟକ୍ତ ଲୋକେ ଗୋଟିଏ ବାଇକ୍‌ ପୋଡ଼ି ଦେଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଛି। ଏହି ଘଟଣା ପରେ ଯୋଡ଼ା ସହରରେ ୧୪୪ ଧାରା ଜାରି କରାଯାଇଛି। ଶାନ୍ତି ଫେରାଇ ଆଣିବା ପାଇଁ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀଙ୍କୁ ଡକାଯାଇ ଆଲୋଚନା କରାଯାଉଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାମନବମୀ ପାଇଁ ଯୋଡ଼ାରେ ଝଣ୍ଡା ଓ ଆଖଡ଼ା ଶୋଭାଯାତ୍ରା କରାଯାଇଥିଲା। ୪ ନମ୍ବର ୱାର୍ଡରେ ଥିବା ଶିବମନ୍ଦିରକୁ ରମନବମୀ ଝଣ୍ଡା ନେଇଯିବାକୁ କିଛି ଶ୍ରଦ୍ଧାଳୁ ଚାହିଁଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ଅନୁମତି ଦେଇନଥିଲା। ଆଜି ସକାଳେ ମାତ୍ର ୫ଜଣ ବ୍ୟକ୍ତି ଝଣ୍ଡା ନେଇଯିବେ ବୋଲି ପୁଲିସକୁ କୁହାଯାଇଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳି ନଥିଲା। ଏହାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିକଟସ୍ଥ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରିଥିଲେ। ପରେ କିଛିଲୋକ ଝଣ୍ଡା ନେଇ ଶିବମନ୍ଦିର ଆଡ଼କୁ ଯାଉଥିବା ବେଳେ ବଜାର ଗଳିରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଲୋକ ବିରୋଧ କରିଥିଲେ। ଫଳରେ ଉତ୍ତେଜନା ବୃଦ୍ଧି ପାଇଥିଲା।

ଉଭୟ ପକ୍ଷ ବ୍ୟାପକ ଭଙ୍ଗାରୁଜା କରିବା ସହ ପ୍ରବଳ ଟେକାପଥର ଓ କାଚ ବୋତଲ ମାଡ଼ ହୋଇଥିଲା। ଲୋକଙ୍କ ଘରକୁ ପଥର ମାଡ଼ ହେବାରୁ ଝରକା, କବାଟ ଏବଂ ଗାଡ଼ିମୋଟର ଭାଙ୍ଗି ଯାଇଥିଲା। ଲୋକେ ଭୟରେ ଘରର କବାଟ, ଝରକା ବନ୍ଦ କରି ରହିଥିଲେ। ପଥର ମାଡ଼ରେ କିଛି ପୁଲିସ, ସାମ୍ବାଦିକଙ୍କ ସମେତ ସାଧାରଣ ଲୋକେ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଥିଲା। ଖବରପାଇ ଘଟଣାସ୍ଥଳରେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର, ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ବଡ଼ବିଲ ଏସ୍‌ଡିପିଓ ହିମାଂଶୁ ଭୂଷଣ ବେହେରା, ତହସିଲଦାର ଆଲୋକ ପଟେଲ, ଯୋଡ଼ା ବିଡିଓ ଜଗନ୍ନାଥ ହନୁମାନ, ବିଭିନ୍ନ ଥାନାର ଆଇଆଇସି ଓ ପୁଲିସ ଫୋର୍ସ ପହଞ୍ଚିଥିଲେ। କେନ୍ଦୁଝର ଏସ୍‌ପି ଶ୍ରୀ ମହାପାତ୍ରଙ୍କ ନେତୃତ୍ବରେ ପୁଲିସ ଫୋର୍ସ ଏକ ପେଟ୍ରୋଲ ପମ୍ପ ପାଖରେ ହେଉଥିବା ଦୋକାନ ଭଙ୍ଗାରୁଜା ଓ ବାଇକ୍‌ ପୋଡ଼ାଜଳା ସ୍ଥାନରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ଏହି ଘଟଣା ପରେ ଆଜି ଅପରାହ୍‌ଣ ୫ଟାରୁ ଆସନ୍ତାକାଲି ଦିନ ୧୦ଟା ପର୍ଯ୍ୟନ୍ତ ସହରରେ ୧୪୪ ଧାରା ଜାରି କରାଯାଇଛି। ଏସ୍‌ପି ଯୋଡ଼ାରେ ରହି ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

Leave A Reply

Your email address will not be published.