mobile header

୨୦ ଲକ୍ଷ ଠକେଇ, ପୁଲିସକୁ ଆକ୍ରମଣ କରି ସ୍ତ୍ରୀ ଗିରଫ

୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଘସିପୁରା ଥାନା ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କୁ ଉଠାଇ ନେଇଛି ଭୁବନେଶ୍ବର କମିସନରେଟ୍ ପୁଲିସ୍। ସମ୍ପୃକ୍ତ ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଆନନ୍ଦପୁର ଅଞ୍ଚଳର ଉମେଶ ପାଢ଼ୀ। ସେ ଘସିପୁରା ଥାନା ୧୩ ନମ୍ବର ୱାର୍ଡ ସିଂହସାହିରେ ଏକ ଭଡ଼ାଘରେ ରହୁଥିଲେ। ଆଜି ସକାଳେ ଘସିପୁରା ପୁଲିସ ଓ କମିସନରେଟ୍ ପୁଲିସ ମିଳିତ ଚଢ଼ଉ କରି ତାଙ୍କୁ ଗିରଫ କରିଛି। ତାଙ୍କ ଘରୁ ଏକ କାର୍‌ ମଧ୍ୟ ଜବତ ହୋଇଛି। ଚଢ଼ଉ ସମୟରେ ଉମେଶଙ୍କ ପତ୍ନୀ ଶର୍ମିଳା ପ୍ରିୟଦର୍ଶିନୀ ପାଢ଼ୀ ପୁଲିସ ଉପରେ ଆକ୍ରମଣ କରିଥିଲେ। ତାଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଉମେଶ ଭୁବନେଶ୍ବର ନୀଳାଦ୍ରିବିହାରର ସନ୍ତୋଷ କୁମାର ସାହୁଙ୍କଠାରୁ ଔଷଧ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ୨୦ଲକ୍ଷ ଟଙ୍କା ଆଣିଥିଲେ। ଏହାପରେ ତାଙ୍କୁ ଆଉ ଧରାଛୁଆଁ ଦେଇନଥିଲେ। ଏନେଇ ସନ୍ତୋଷ ଚନ୍ଦ୍ରଶେଖରପୁର ଥାନ‌ାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ଉମେଶ ପୁଲିସକୁ ଚକ୍‌ମା ଦେଇ ଘୂରି ବୁଲୁଥିଲେ। ଆଜି ସକାଳେ ସେ ଘସିପୁରାସ୍ଥିତ ଭଡ଼ା ଘରେ ଥିବା ଖବର ପାଇ ଉଭୟ ଘସିପୁରା ଏବଂ କମିସନରେଟ୍‌ ପୁଲିସ ମିଳିତ ଭାବେ ଚଢ଼ଉ କରି ଉମେଶଙ୍କୁ ଗିରଫ କରିଛନ୍ତି। ଉମେଶଙ୍କୁ ଗିରଫ ସମୟରେ ତାଙ୍କ ପତ୍ନୀ ଶର୍ମିଳା ପ୍ରଥମେ ପୁଲିସକୁ ଗାଳିଗୁଲଜ କରିଥିଲେ। ଏହାପରେ ଆକ୍ରମଣ ମଧ୍ୟ କରିଥିଲେ। ଫଳରେ ପୁଲିସକୁ ଦୁଇଘଣ୍ଟା ଧରି ନାକେଦମ ହେବାକୁ ପଡ଼ିଥିଲା। ପୁଲିସକୁ ଆକ୍ରମଣ ଅଭିଯୋଗରେ ଘସିପୁରା ପୁଲିସ କେସ୍‌ ନମ୍ବର ୬୮/୨୦୨୨ରେ ଏକ ମାମଲା ରୁଜୁ କରି ଶର୍ମିଳାଙ୍କୁ ଗିରଫ କରିଛି। ଉମେଶ ଅନ୍ୟ କେତେକ ବ୍ୟକ୍ତିଙ୍କଠାରୁ ଟଙ୍କା ଠକି ନେଇଥିବା ସୂଚନା ମିଳିଛି ବୋଲି ଘସିପୁରା ଥାନା ଅଧିକାରୀ ଶ୍ୟାମଘନ ବେହେରା କହିଛନ୍ତି।

Leave A Reply

Your email address will not be published.