ଓମଫେଡ୍ ସ୍କାମର ଅଡିଟ୍ ରିପୋର୍ଟକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଓମଫେଡ ଅଡିଟରୁ ୨୩୭ କୋଟିର ହେରଫେର ଓ ଆର୍ଥିକ ଅନିୟମିତତା ନେଇ ରିପୋର୍ଟ ମିଳିବା ଏବଂ ଏସଂକ୍ରାନ୍ତୀୟ ତଥ୍ୟ ଆଧାରରେ ଲୋକାୟୁକ୍ତରେ ହୋଇଥିବା ଅପିଲ ଉପରେ କଡା ଆଭିମୁଖ୍ୟ ଦେଖିବାକୁ ମିଳିଛି । ମାମଲାରେ କ୍ରାଇମବ୍ରାଂଚ ତଦନ୍ତ କରି ତିନି ମାସ ମଧ୍ୟରେ ପ୍ରାଥମିକ ରିପୋର୍ଟ ଦେବାକୁ କୁହାଯାଇଛି । ଯଦି ତଥ୍ୟ ମିଳେ ତେବେ ବ୍ୟାପକ ଆକାରରେ ତଦନ୍ତ ଆଗକୁ ବଢିବ ।

ଚାଷୀଙ୍କୁ ଅନଲାଇନ ପେମେଣ୍ଟରେ ଚଞ୍ଚକତା ! କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ । ୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ଓମଫେଡର ରାଜ୍ୟ କାର୍ଯ୍ୟାଳୟ ସମେତ ୧୧ଟି ଜିଲ୍ଲା ଦୁଗ୍ଧ ସମବାୟ ୟୁନିଅନର ଅଡିଟ ବେଳେ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ଜଣାପଡିଥିଲା, ଓମଫେଡର ଜିଏମ ଓ ଡିଜିଏମଙ୍କ ଭଳି ବରିଷ୍ଠ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ କେନ୍ଦ୍ରୀୟ ପାଣ୍ଠିର ଆତ୍ମସାତ ଓ ଅପବ୍ୟବହାର କରିଥିଲେ । ଯାହାର ପରିମାଣ ପ୍ରାୟ ୨୩୭ କୋଟି ଟଙ୍କା ବୋଲି ଜଣାପଡିଛି । ହେଲେ, ଏଥିରୁ ପ୍ରାୟ ୩୦ କୋଟି ୬୫ ଲକ୍ଷ ଟଙ୍କା ଓମଫେଡର ପ୍ରାୟ ୫୦ ଜଣ କର୍ମଚାରୀଙ୍କଠାରୁ ଆଦାୟ କରିବାକୁ ଅଡିଟ ରିପୋର୍ଟରେ ସୁପାରିଶ କରାଯାଇଛି ।

କେମିତି ହୋଇଥିଲା ଓମଫେଡରେ ସ୍କାମ୍ ? କିଏ କରିଥିଲା ଆର୍ଥିକ ଅନିୟମିତତା ? କେନ୍ଦ୍ରରୁ ଆସିଥିବା ଅନୁଦାନ ଅର୍ଥ ହେରଫେର, ମିଛ ଖର୍ଚ୍ଚ ପ୍ରମାଣପତ୍ର, ଖର୍ଚ୍ଚ ନହୋଇଥିବା ଟଙ୍କା ନଫେରାଇବା, ବେଆଇନ ଭାବେ ଅନୁମତି ବିହୀନ ଖର୍ଚ୍ଚ, ବିଲ୍ ନଥାଇ ଖର୍ଚ୍ଚ, ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇବା ଭଳି ଦିଗରେ ଏହି ଚଞ୍ଚକତା ହୋଇଥିଲା । ଯେଉଁଥିରେ କମ୍ପାନୀର ଜିଏମ୍, ଡିଜିଏମ ରାଙ୍କର ଅଧିକାରୀ ବି ସାମିଲ ଥିବା ଅଡିଟ ରିପୋର୍ଟରେ ଜଣାପଡିଥିଲା ।

ପରବର୍ତୀ ସମୟରେ ଏହି ଅଡିଟ୍ ରିପୋର୍ଟ ଆଧାରରେ ୨୦୨୦ରେ ଲୋକାୟୁକ୍ତରେ ମାମଲା ରୁଜ୍ଜୁ ହୋଇଥିଲା । ଯାହାର ଶୁଣାଣି କରି କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । କ୍ରାଇମବ୍ରାଞ୍ଚ ତିନି ମାସ ମଧ୍ୟରେ ପ୍ରାଥମିକ ତଦନ୍ତ ସାରି ଏଥିରେ କେଉଁ ସରକାରୀ ଅଧିକାରୀ ବା ଅନ୍ୟ ବ୍ୟକ୍ତି ଜଡ଼ିତ ଅଛନ୍ତି ତାହା ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ପ୍ରାଥମିକ ତଥ୍ୟ ମିଳେ, ତେବେ ତଦନ୍ତକୁ ଆହୁରି ବ୍ୟାପକ କରାଯିବ ।

Leave A Reply

Your email address will not be published.