xmas

ରୋଜର ଫେଡେରରଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: ଟେନିସ୍‌ର ଅନ୍ୟତମ ବିଖ୍ୟାତ ଖେଳାଳି ରୋଜର ଫେଡେରର ଗୁରୁବାର ଅବସର ଘୋଷଣା କରିଛନ୍ତି। ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିଅନ ହୋଇଥିବା ସ୍ୱିଜରଲ୍ୟାଣ୍ଡର ଫେଡେରର ଚଳିତ ମାସରେ ଲଣ୍ଡନରେ ହେବାକୁ ଥିବା ଲେବର କପ୍‌ ପରେ ପ୍ରଫେସନାଲ ଟେନିସ୍‌ରୁ ଅବସର ନେବେ।

ଫେଡେରର ସ୍ପଷ୍ଟ କରିଛନ୍ତି ଯେ ସେ ଟେନିସ୍ ସହିତ ଜଡ଼ିତ ରହିବେ। ତେବେ ଲେବର କପ୍‌ (ସେପ୍ଟେମ୍ବର ୨୩ରୁ ଆରମ୍ଭ ହେଉଛି) ପରେ ସେ ଅବସର ନେଇଯିବେ। ଏହା ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ହେବ। ଲଗାତାର ଆଣ୍ଠୁ ଆଘାତ ଜନିତ ସମସ୍ୟା ଦେଇ ଗତି କରୁଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।

ଫେଡେରର କହିଛନ୍ତି, ଗଲା ତିନି ବର୍ଷ ମୋ ପାଇଁ ବହୁତ କଠିନ ଥିଲା। ମୁଁ ଆଘାତ ଓ ତତ୍‌ଜନିତ ଅସ୍ତ୍ରୋପଚାର ମଧ୍ୟରେ ଫସି ଯାଇଥିଲି। ମୁଁ ଖୁବ୍ ପରିଶ୍ରମ କରି ପୁଣି ଫେରିଛି। କିନ୍ତୁ ମୁଁ ମୋ ଶରୀର କ୍ଷମତା ଓ ସୀମିତତା ବିଷୟରେ ଭଲ ଭାବେ ଜାଣିଛି। ଆଉ ତାହା ମୋତେ ସ୍ପଷ୍ଟ ବାର୍ତ୍ତା ଦେଇଛି ଅବସର ନେବା ପାଇଁ। ତା’ଛଡ଼ା ମୋତେ ଏବେ ୪୧ ବର୍ଷ ହୋଇଗଲାଣି।

ଫେଡେରର କହିଛନ୍ତି, ଗତ ୨୪ ବର୍ଷରେ ମୁଁ ୧୫୦୦ରୁ ଅଧିକ ମ୍ୟାଚ୍ ଖେଳିଛି। ମୁଁ ଯେତିକି କଳ୍ପନା କରି ନଥିଲି, ଟେନିସ୍ ମୋତେ ତା’ଠୁ ଅଧିକ ଦେଇଛି। ଆସନ୍ତା ସପ୍ତାହରେ ଲଣ୍ଡନରେ ଆରମ୍ଭ ହେବାକୁ ଯାଉଥିବା ଲେବର କପ୍ ହେବ ମୋର ଶେଷ ଏଟିପି ଟ୍ୟୁର। ଆଗାମୀ ଦିନରେ ମଧ୍ୟ ମୁଁ ଟେନିସ୍ ଖେଳିବି। କିନ୍ତୁ ଗ୍ରାଣ୍ଡ ସ୍ଲାମ୍ସ ବା ଏଟିପି ଟ୍ୟୁର ନୁହେଁ।

ଶେଷ ଥର ପାଇଁ ୨୦୧୮ରେ ଗ୍ରାଣ୍ଡ ସ୍ଲାମ ଜିତିଥିଲେ ଫେଡେରର। ୨୦୧୯ରେ ୱିମ୍ବଲଡନ୍‌ରେ ସେ ଫାଇନାଲ୍‌ରେ ପହଞ୍ଚିଥିଲେ, କିନ୍ତୁ ସରବିଆ ଷ୍ଟାର ନୋଭାକ ଜୋକୋଭିକ୍‌ଙ୍କ ଠାରୁ ପରାସ୍ତ ହୋଇଥିଲେ।

Leave A Reply

Your email address will not be published.