xmas

ମଧୁବାବୁଙ୍କ ସମାଧି ପୀଠ ହେବ ପର୍ଯ୍ୟଟନସ୍ଥଳୀ, ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

କଟକ: ମଧୁସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ଅନୁଷ୍ଠିତ ନିତ୍ୟ ପୂଜ୍ୟପୂଜାର ୫୦ ଦିନ ପୂର୍ତ୍ତି ଅବସରରେ ଦୀପାବଳୀରେ ମଧୁବାବୁଙ୍କ ସମାଧି ପୀଠରେ ଦୀପଦାନ ସହ ବଡ଼ବଡ଼ୁଆ ଡକାଯାଇଛି। ଏହି ଅବସରରେ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ କଟକ ମହାନଗର ନିଗମ ମେୟର ସୁବାସ ସିଂହ, ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ସାହିତ୍ୟିକ ପ୍ରଫେସର ନଟବର ଶତପଥୀ , ଐତିହାସିକ ଖାରବେଳ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ବରେଣ୍ୟ ଅତିଥିଙ୍କ ସମେତ ମଞ୍ଚର ସମସ୍ତ କର୍ମକର୍ତ୍ତା ସମାଧିପୀଠରେ ୫୦ଟି ଦୀପ ପ୍ରଜ୍ଜ୍ୱଳନ ସହ ଓଡ଼ିଆଜାତିର କୁଳବୃଦ୍ଧ ତଥା ବଡ଼ ଓଡ଼ିଆ ମଧୁବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ବଡ଼ବଡ଼ୁଆ ଡାକିଥିଲେ।

ସମାଧିପୀଠର ଦୁରବସ୍ଥା ନେଇ ମେୟର ସୁବାସ ସିଂହ କହିଥିଲେ ଯେ, ଖୁବଶୀଘ୍ର ସମାଧିପୀଠକୁ ଏକ ପର୍ଯ୍ୟଟନ ସ୍ଥଳି ଭାବେ ନିର୍ମାଣ କରାଯାଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଅନୁମୋଦନ ଲାଭ କରିଛି। ତେବେ ଆସନ୍ତା ଫେବ୍ରୁଆରୀ ୪ରେ ମଧୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ଟେଣ୍ଡର ପ୍ରକ୍ରିୟା କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ୬ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମେୟର ଶ୍ରୀ ସିଂହ କହିଥିଲେ।

ସେହିପରି ଚଳଚ୍ଚିତ୍ର ଉନ୍ନୟନ ନିଗର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ କହିଥିଲେ ଯେ ମଧୁବାବୁ ହେଉଛନ୍ତି ସମଗ୍ର ଓଡ଼ିଆ ଜାତିର କୁଳବୃଦ୍ଧ ତଥା ବଡ଼ବଡ଼ୁଆ। ଆଜି ଦୀପାବଳିରେ ସମାଧି ପୀଠରେ ମଧୁବାବୁଙ୍କ ଉଦ୍ଦେଶ୍ୟରେ ବଡ଼ବଡ଼ୁଆ ଡାକିବା ସମଗ୍ର ଜାତି ପାଇଁ ଗର୍ବର ବିଷୟ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ସମାଧିପୀଠକୁ ପର୍ଯ୍ୟଟନସ୍ଥଳି ଭାବେ ନିର୍ମାଣ କରାଯାଉଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମଧୁସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ସନ୍ତୋଷ ମହାରଣା, ଆକାଶ ପଟ୍ଟନାୟକ, ଅଧିବକ୍ତା ଜଗନ୍ନାଥ ମହାନ୍ତି, ସତ୍ୟଜିତ ଗୋସ୍ୱାମୀ, ଅଭିଷେକ ପୃଷ୍ଟି, ଅକ୍ଷୟ ଆଚାର୍ଯ୍ୟ, ରାକେଶ ପାତ୍ର, ଜ୍ଞାନ ରଞ୍ଜନ ବେହେରା, କବିନ୍ଦ୍ର ବେହେରା, ତାପସ ମହାନ୍ତି, ବିସ୍ମୟ ନାୟକ, ଓମ ପ୍ରକାଶ ପଣ୍ଡା, ଆଶୁତୋଷ ଦେବତା, ଅବିନାଶ ନାୟକ, ସୌମିତ୍ରି ଦାଶ, ବିଶ୍ୱମୋହନ ଜେନା, ମଧୁସ୍ମିତା ବେହେରା, ଜଗଦିସ ପତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.