ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ଶୁକ୍ରବାର ଦିନ ଆଗ୍ରାର ନାଗଲାପଦ୍ମ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ଆଲୋକିକରଣ ବ୍ୟବସ୍ଥା ନିମନ୍ତେ ଉଦ୍ଦିଷ୍ଟ ଗୋଟାଏ ସୁଉଚ୍ଚ ଲୁହାଖୁଣ୍ଟ ଓଲଟି ପଡ଼ିବାରୁ ମଞ୍ଚରେ ଉଦ୍ବୋଧନ ଦେଉଥିବା ସଂସ୍କୃତି ଓ ସଂସଦୀୟ ବ୍ୟାପାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲା ଅଳ୍ପକେ ରକ୍ଷା ପାଇଯାଇଥିବା କଥା ଆଗ୍ରା ‘ଏସିଏମ୍’ ଦୀପ୍ତି ଯାଦବ କହିଛନ୍ତି।
ଗଣମାଧ୍ୟମକୁ ଆଗ୍ରା ‘ଏସିଏମ୍’ ଦୀପ୍ତି ଯାଦବ କହିଛନ୍ତି, ଆଗ୍ରାରେ ଆୟୋଜିତ ଡକ୍ଟର୍ ବି.ଆର୍. ଆମ୍ବେଦକର କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ଥିଲେ। କାଳବୈଶାଖି ହେତୁ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ଘଟିବା ସହ ଅନେକ ଲାଇଟ୍ ଲାଗିଥିବା ସୁଉଚ୍ଚ ଖମ୍ବଟି ମଞ୍ଚ ଉପରେ ଓଲଟି ପଡ଼ିଲା। ଏହି ଅଘଟଣରେ ଆହତ ହୋଇଥିବା ୪ଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିନ୍ତୁ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।