xmas

ଗୁଣି ଗାରେଡି ସନ୍ଦେହରେ ବଡ ବାପାକୁ ହତ୍ୟା କଲା ପୁତୁରା: ହତ୍ୟାକାରୀ ଗିରଫ

ଖୁଣ୍ଟା: ଖୁଣ୍ଟା ଥାନା ଅଧିନ ସାରଜାମଡ଼ିହି ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡ଼ି ବିବାଦକୁ ନେଇ ଗୁଣି ଗରେଡି କରୁଥିବା ସନ୍ଦେହରେ ପୁତୁରା ନିଜ ବଡ଼ବାପାକୁ ଅତି ନିର୍ମମ ଭାବେ ହତ୍ୟା କରି ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଛି । ପୋଲିସର ସୂଚନା ଅନୁଯାଇ ଅଭିଯୁକ୍ତ ବାପୁନ ସିଂ (୩୦)ର ବାପ ବୁଧିଆ ସିଂ ଓ ହତ୍ୟାର ଶିକାର ହୋଇଥିବା ବଡ଼ ବାପା ଠୁଙ୍ଗୁରା ସିଂ ଦୁଇ ଭାଇ ହୋଇଥିବା ବେଳେ ଦୀର୍ଘ ଦିନରୁ ଉଭୟେଙ୍କ ମଧ୍ୟରେ ଜମିଜମା ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା ।ତେବେ ବିଭିନ୍ନ ସମୟରେ ଅଭିଯୁକ୍ତ ବାପୁନ ପରିବାରର ସଦସ୍ୟ ମାନଙ୍କ ଦେହ ଅସୁସ୍ଥ ହେଉଥିବା ବେଳେ ଜମିଜମା ବିବାଦ କାରଣରୁ ବଡ ବାପା ଠୁଙ୍ଗୁରୁ ସିଂ ଗୁଣି ଗାରେଡି କରୁଛି ବୋଲି ସନ୍ଦେହ କରିଆସୁଥିଲା । ଶୁକ୍ରବାର ଠୁଙ୍ଗୁରୁ ପରିବାରର ସମସ୍ତ ସଦସ୍ୟ ନିକଟସ୍ଥ ଭୋଳାଗଡ଼ିଆ ଗ୍ରାମରେ ଅନୁଷ୍ଠିତ ହେଉଥିବା ଫୁଟବଲ ପ୍ରତିଯୋଗିତା ଦେଖିବାକୁ ଯାଇଥିବା ବେଳେ ଠୁଙ୍ଗୁରୁ ଏକାକୀ ଘରେ ରହିଥିଲା । ଏହାର ସୁଯୋଗରେ ସାନଭାଇ ବୁଧିଆର ପୁଅ ଅଭିଯୁକ୍ତ ବାପୁନ ଠୁଙ୍ଗୁରୁ ଘରେ ପହଞ୍ଚିଥିଲା ଏବଂ ଜମିଜମା ଭାଗବଣ୍ଟା ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିବା ବେଳେ ଏଥିରେ ଉତ୍ୟକ୍ତ ହୋଇ ବାପୁନ ଏକ କଟୁରି ସାହାଯ୍ୟରେ ବଡ ବାପା ଠୁଙ୍ଗୁରୁକୁ ଆକ୍ରମଣ କରି ଗଣ୍ଡିରୁ ମୁଣ୍ଡକୁ ଅଲଗା କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ପରବର୍ତୀ ସମୟରେ ଠୁଙ୍ଗୁରୁର ପରିବାର ଲୋକ ଫୁଟବଲ ଖେଳରୁ ଘରକୁ ଫେରିବା ପରେ ଏହି ଘଟଣା ଦେଖି ଗ୍ରାମବାସୀକୁ ଖବର ଦେଇଥିବା ବେଳେ ଗ୍ରାମବାସୀ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚି ମରଶରୀର ଟିକୁ ଜବତ କରିବା ସହିତ ପ୍ରାଥମିକ ତଦନ୍ତ କରି ଫେରିଆସିଥିଲା । ଶନିବାର ଆଇଆ ସି ସ୍ଵର୍ଣଲତା ମିଞ୍ଜ ସଦଳବଳେ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ବାପୁନକୁ ଗିରଫ କରିଥଲେ । ଏବଂ ଏହି ହତ୍ୟା କାଣ୍ଡରେ ବ୍ୟବହୃତ କଟୁରି ଟିକୁ ଜବତ କରିଥିଲେ। ଏଥିନେଇ ଥାନାରେ ୩୧୯/୨୨ ମୂଳେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ତଦନ୍ତ ଅଧିକାରୀ ଶ୍ରୀମତୀ ମିଞ୍ଜ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.