xmas

ପଦ୍ମପୁରକୁ ଜିଲ୍ଲା ଗଠନ ଦାବି ପ୍ରତି ଆମର ପୂର୍ଣ୍ଣ ସମର୍ଥନ ରହିଛି: ବିଜେଡି

• କ୍ରିୟାନୁଷ୍ଠାନ କମିଟି ସହିତ ମୁଖ୍ୟମନ୍ତ୍ରୀଙ୍କର ସକରାତ୍ମକ ଆଲୋଚନା
• ଜିଲ୍ଲା ଗଠନ ପାଇଁ ପ୍ରୟାସ ଜାରି ରହିଛି

ଭୁବନେଶ୍ୱର : ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ବିଜୁ ଜନତା ଦଳର ପୂର୍ଣ୍ଣ ସମର୍ଥନ ରହିଛି । ଏହି ଦାବି ପୂରଣ ପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଯୁକ୍ତିଯୁକ୍ତ ଦାବିକୁ ଶୁଣିବା ସହିତ ସକରାତ୍ମକ ଆଲୋଚନା କରିଥିବା କହିଛନ୍ତି ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ । ଶ୍ରୀ ସିଂହ କହିଛନ୍ତି ଯେ ପଦ୍ମପୁରକୁ ଜିଲ୍ଲା ଗଠନ ପାଇଁ ଥିବା କ୍ରିୟାନୁଷ୍ଠାନ କମିଟି ତାଙ୍କ ନେତୃତ୍ୱରେ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟିବା ସହିତ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ ।

ଭୌଗଳିକ ସ୍ଥିତି ଦୃଷ୍ଟିରୁ ପଦ୍ମପୁର ଏକ ବଡ ଅଞ୍ଚଳ । ତେଣୁ ଏଭଳି ଦାବି ପ୍ରତି ବିଜେଡିର ପୂର୍ଣ୍ଣ ସମର୍ଥନ ରହିଛି । ଶ୍ରୀ ସିଂହ କହିଛନ୍ତି ବିଜୁ ପଟ୍ଟନାୟକ ଓଡିଶାର ୧୩ଟି ଜଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରିଥିବାବେଳେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ୪ଟି ଜିଲ୍ଲା ହୋଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟରେ ଜିଲ୍ଲା ପୁର୍ନଗଠନ ବେଳେ ପଦ୍ମପୁରକୁ ନିଶ୍ଚିତ ଭାବେ ଜିଲ୍ଲା ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସିଂହ କହିଛନ୍ତି । ଆଗାମୀ ଦିନରେ ଏହି ଦାବି ନେଇ ଆମେ ସକରାତ୍ମକ ଭାବେ ଲଢିବୁ ଏବଂ ପଦ୍ମପୁର ଯେଭଳି ଭାବେ ଜିଲ୍ଲାର ମାନ୍ୟତା ପାଇବ ସେଥିପାଇଁ ଆମେ ପ୍ରଚେଷ୍ଟା ଜାରି ରଖିବୁ ବୋଲି ଶ୍ରୀ ସିଂହ କହିଛନ୍ତି ।

Leave A Reply

Your email address will not be published.