ବିଜେଡି ଛାଡ଼ିଵା ପାଇଁ ମନ ବଳାଇଛନ୍ତି ଚିତ୍ତ ପଟନାୟକ ସହ ତାଙ୍କ ସମର୍ଥକ !

ମାଲକାନଗିରି ୨୭/୦୫: ମାଲକାନଗିରି ଜିଲ୍ଲାର ଜଣାଶୁଣା ଚେହେରା ଖଇରପୁଟ ନିବାସୀ ଚିତ୍ତ ପଟନାୟକ । ପୂର୍ବରୁ ସେ କଂଗ୍ରେସ ଦଳରେ ଥିଲେ । ପ୍ରଦୀପ ମାଝିଙ୍କ ଦୃଢ଼ ସମର୍ଥକ । ଦିନେ ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଜିଲ୍ଲାରେ କଂଗ୍ରେସର ଦବଦବା ଥିଲା । ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଅନେକ ଥର ଆନ୍ଦୋଳନ ହୋଇଛି । ସେତେବେଳ ଚିତ୍ତ ପଟନାୟକ କଂଗ୍ରେସ ଦଳରେ ରହି ଖଇରପୁଟ, ଚିତ୍ରୋକୋଣ୍ଡା ଓ ସ୍ୱାଭିମାନ ଅଞ୍ଚଳର ଲୋକଙ୍କୁ ନେଇ ଭଲ ସଂଗଠନ ଗଢ଼ିଥିଲେ । ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝୁଥିଲେ | ଲୋକେ ବି ପସନ୍ଦ କରୁଥିଲେ । ଲୋକଙ୍କ ସମସ୍ୟାକୁ ନେଇ ଯେତେବେଳେ ଆନ୍ଦୋଳନ ରାସ୍ତାରୋକ କରୁଥିଲେ ହଜାର ହଜାର ସଂଖ୍ୟାରେ ଲୋକେ ଯୋଗ ଦେଉଥିଲେ । ସେତେବେଳେ ଚିତ୍ତ ପଟନାୟକଙ୍କ ମଧ୍ୟ ଖାତିର ରହି ଥିଲା । ଯେତେବେଳେ ପ୍ରଦୀପ ମାଝୀ ବିଜେଡିରେ ଯୋଗ ଦେଲେ ଚିତ୍ତ ପଟନାୟକ ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରି ବିଜେଡିରେ ସାମିଲ ହେଲେ । ସାଧାରଣ ନିର୍ବାଚନ ହେବାର ଚାରି ବର୍ଷ ବିତିଗଲାଣି ଚିତ୍ତ ପଟନାୟକ କଣଠେସା ହୋଇ ରହିଛନ୍ତି । ଆଗ ଭଳି ଆଉ ତାଙ୍କର ଖାତିର ନାହିଁ କି ସେଭଳି କିଛି ଭୂମିକା ନ ଥିବା ଦେଖାଯାଇଛି । ବିଜେଡି ଦଳର କିଏ ବି ସେଭଳି ତାଙ୍କୁ ପଚାରୁ ନାହାନ୍ତି କି ସଭା ସମିତି ହେଲେ ବି ଡାକୁ ନାହାନ୍ତି । ଚିତ୍ତ ପଟନାୟକଙ୍କ କହିବାନୁସାରେ କଂଗ୍ରେସ ଦଳରୁ ଯେଉଁ କର୍ମୀମାନେ ତାଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହେଲେ ସେମାନଙ୍କୁ ଅଣଦେଖା କରାଯାଇଛି । ସେଥିପାଇଁ ଖଇରପୁଟ, ମାଥିଲି ଓ ଚିତ୍ରୋକୋଣ୍ଡା ଅଞ୍ଚଳର ଅନେକ କର୍ମୀ ବିଜେଡି ଛାଡିବା ପାଇଁ ମନ ସ୍ଥିର କରିଛନ୍ତି ବୋଲି ଚିତ୍ତ ପଟନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.