୫ ମିନିଟର କାଳ ବୈଶାଖୀ ବାତ୍ୟାରେ ସତିଗୁଡା ଗ୍ରାମର ଶତାଧିକ ଘର ଭାଙ୍ଗିଲା

ଡ୍ୟାମରେ ଦୁଇ ମତ୍ସ୍ୟଜୀବୀ ନିଖୋଜ, ମାଲକାନଗିରି ସହରରେ ଶତାଧିକ ଗଛ ଭାଙ୍ଗି ରାସ୍ତା ଅବରୋଧ
ମାଲକାନଗିରି: ଗତକାଲି ମାଲକାନଗିରି ଜିଲ୍ଲାରେ ଅପରାହ୍ନ ସମୟରେ ହଠାତ ଏକ କାଳ ବୈଶାଖୀ ବାତ୍ୟା ଆସି ମାଲକାନଗିରି ସହରରେ ଶତାଧିକ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ଓ ବିଦ୍ୟୁତ୍ ତାର ଉପରେ ଗଛ ଭାଙ୍ଗି ପଡ଼ିଛି । ୫ ମିନିଟ ବାତ୍ୟାରେ ସଦର ମହକୁମାର ମାତ୍ର ଦୁଇ କିଲୋମିଟରରେ ଅବସ୍ଥିତ ସତିଗୁଡା ଗ୍ରାମର ଶତାଧିକ ଘର ଗଛ ପଡ଼ି ଭାଙ୍ଗି ଯାଇଛି, ବିତ୍ୟୁତ୍ ତାର ଛିଡି ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ନିକଟରେ ଥିବା ସତିଗୁଡା ଡ୍ୟାମରେ ସେହି ଗ୍ରାମର ଦୁଇ ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଦେଶୀ ଡଙ୍ଗା ନେଇ ଯାଇଥିଲେ। ହଠାତ କାଳ ବୈଶାଖୀ ବାତ୍ୟାରେ ଡଙ୍ଗା ଓଲଟି ଦୁଇ ଜଣ ନିଖୋଜ ରହିଛନ୍ତି। ସେମାନେ ହେଲେ ଗୋବିନ୍ଦ ସର୍ଦ୍ଦାର ଏବଂ ତୁଳସୀ ମାଡ଼ି ସ୍ବାମୀ ମହେନ୍ଦ୍ର ଭିମା ରଙ୍ଗୀନି ଗ୍ରାମର ବୋଲି ସୂଚନା ରହିଛି। କାଳ ବୈଶାଖୀ ବାତ୍ୟାରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇ ଜିଲ୍ଲାପାଳ ବିଶାଲ ସିଂ ନିର୍ଦ୍ଦେଶ କ୍ରମେ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ ରାସ୍ତାରେ ପଡ଼ିଥିବା ଗଛ ଗୁଡିକ ଅବରୋଧ ଥିବା କାଟି ସଫା କରୁଛନ୍ତି, ସତିଗୁଡ଼ା ନଦୀ ଭିତରେ ପଶି ନିଖୋଜ ହୋଇଥିବା ମତ୍ସ୍ୟଜୀବୀ ଙ୍କୁ ଖୋଜା ଚାଲିଛି। ଅନ୍ୟପକ୍ଷରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ବିଦ୍ୟୁତ ଖୁଣ୍ଟ ଓ ତାର ଗୁଡ଼ିକୁ ସଜଡ଼ିବାରେ ଲାଗିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ସତିଗୁଡା ଗ୍ରାମରେ ପହଞ୍ଚି କ୍ଷୟକ୍ଷତି ସଂପର୍କରେ ଜାଣିବା ପାଇଁ ଲୋକଙ୍କ ସମସ୍ୟା ସଂପର୍କରେ ପଚାରି ବୁଝୁଥିଲେ । ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ, ବିଦ୍ୟୁତ୍ କର୍ମଚାରୀ ମାନେ ଯୁଦ୍ଧକାଳୀନ ଭିତ୍ତିରେ ସହାୟତା ଜାରି ରଖିଛନ୍ତି। ଅତିରିକ୍ତ ତହସିଲଦାର, ଆର୍ ଆଇ ମାନେ କ୍ଷୟକ୍ଷତିର ଆକଳନ ସହ ଲୋକଙ୍କୁ ପଲିଥିନ ସହାୟତା ପ୍ରଦାନ କରାଯାଉଛି। ବିଶେଷ କରି ଗଛ ପଡ଼ି ଘର ଭାଙ୍ଗି ଯାଇଥିବା, ଏବଂ ପବନରେ ଟିଣ ଗୁଡ଼ିକୁ ଉଡ଼ିଯାଇଥିଲା ତାର କ୍ଷୟ କ୍ଷତିର ଆକଳନ ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଉଛି। ବର୍ତମାନ ସୁଦ୍ଧା ଅଗ୍ନିଶମ ବିଭାଗ ପକ୍ଷରୁ ନିଖୋଜ ଦୁଇ ଜଣଙ୍କୁ ଖୋଜା ଖୋଜି ଚାଲିଛି। ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଘଟଣାସ୍ଥଳରେ ରହିଥିବାର ସୂଚନା ରହିଛି ।

Leave A Reply

Your email address will not be published.