xmas

ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଚକ୍ରଧାରୀ ଶରନ ସିଂ

୧୯୬୩ ଜାନୁୟାରୀ ୨୦ତାରିଖରେ ଜନ୍ମିତ ୬୦ବର୍ଷୀୟ ଜଷ୍ଟିସ ଶରନ ସିଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିବା ପରେ ୧୯୯୦ ଜାନୁୟାରୀ ମାସରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ ।

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରନ ସିଂଙ୍କୁ ନିଯୁକ୍ତି ଦେବା ନିମନ୍ତେ ସୁପ୍ରିମକୋର୍ଟ କଲେଜିୟମ ଆଜି ସୁପାରିଶ କରିଛନ୍ତି । ଜଷ୍ଟିସ ଶୁଭାଶୀଷ ତାଳପତ୍ରଙ୍କ ଅବସର ପରେ ଅକ୍ଟୋବର ୩ରୁ ଓଡ଼ିଶା ମୁଖ୍ୟ ବିଚାରପତି ପଦ ଖାଲି ପଡ଼ିଛି ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ସଞ୍ଜୟ କିଶାନ କୌଶଲ ଓ ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଆଜି ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରନ ସିଂଙ୍କୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରିଛନ୍ତି ।

୧୯୬୩ ଜାନୁୟାରୀ ୨୦ତାରିଖରେ ଜନ୍ମିତ ୬୦ବର୍ଷୀୟ ଜଷ୍ଟିସ ଶରନ ସିଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିବା ପରେ ୧୯୯୦ ଜାନୁୟାରୀ ମାସରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ସେ ୨୨ବର୍ଷ ଧରି କାର୍ଯ୍ୟ କରିଛନ୍ତି । ୨୦୧୨ ଏପ୍ରିଲ ୫ତାରିଖରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।

ପାଟନା ହାଇକୋର୍ଟ ବିଚାରପତି ଭାବେ ଦୀର୍ଘ ୧୧ବର୍ଷ ମଧ୍ୟରେ ସେ ମୋଟ ୧୨୪୬ଟି ମାମଲାର ଶୁଣାଣି କରି ରାୟ ଦେଇଛନ୍ତି । ଏଥିରେ ବିଗତ ୫ବର୍ଷ ମଧ୍ୟରେ ୫୬୨ଟି ରାୟ ପ୍ରଦାନ କରିଛନ୍ତି । ତାଙ୍କର ଉଚ୍ଚଶୈଳୀର ପେଷାଦାର ନୀତି-ଆଦର୍ଶ,ସତ୍ୟନିଷ୍ଠ ଓ ପ୍ରତିଷ୍ଠାକୁୁ ବିଚାର କଲେ ସେ ହିଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିମନ୍ତେ ସବୁଠୁ ଯୋଗ୍ୟ ବୋଲି ସୁପ୍ରିମକୋର୍ଟ କଲେଜିୟମ ତାଙ୍କ ସୁପାରିଶରେ ଦର୍ଶାଇଛନ୍ତି ।

ଜଷ୍ଟିସ ଚକ୍ରଧାରୀ ଶରନ ସିଂ ଚଳିତବର୍ଷ ଫେବୃୟାରୀ ମାସରେ ପ୍ରାୟ ଦେଢ଼ମାସ ନିମନ୍ତେ ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଜଷ୍ଟିସ ଶରନ ସିଂ ୨୦୨୫ ଜାନୁୟାରୀ ମାସରେ ଅବସର ନେବେ ।

ସୂଚନାଯୋଗ୍ୟ, ଜଷ୍ଟିସ ଶୁଭାଶୀଷ ତାଳପତ୍ରଙ୍କ ଅବସର ପରେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଦାୟିତ୍ୱ ତୁଲାଉଛନ୍ତି ।

Leave A Reply

Your email address will not be published.