xmas

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ମାଲକାନଗିରି, ୦୨/୧୧/୨୩: ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୩୦ ରୁ ନଭେମ୍ବର ୫ ପର୍ଯ୍ୟନ୍ତ ପାଳିତ ହେଉଛି। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଜିଲ୍ଳା ସ୍ତରୀୟ ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ତ୍ରିନାଥ ମାଝୀ, ସିଡିଏମଓ , ଡ଼ା ପ୍ରଫୁଲ୍ଲ ନନ୍ଦ, ଡିଏସପି, ଭିଜିଲାନ୍ସ, ସଦାନନ୍ଦ ପାଣି ଓ ବିଡିଓ ମାଲକାନଗିରି, ପ୍ରଭାତୀ ଝଡିଆ ଉପସ୍ଥିତ ଥିଲେ।

ଦୁର୍ନୀତି ନିବାରଣ ନିମନ୍ତେ ଆନ୍ତରିକତାର ସହ ଶପଥ ନେଇ ଏହାକୁ ଅନୁପାଳନ କରିବାର ଆବଶ୍ୟକତା ରହିଛି ଯାହା ଦ୍ୱାରା ଦୁର୍ନୀତି କମି ପାରିବ ବୋଲି ମତ ରଖିଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ମାଝୀ କାର୍ଯ୍ୟକ୍ରମର ସଭାପତିତ୍ବ କରି କହିଥିଲେ ଯେ ସମାଜରେ ଦୁର୍ନୀତି ହେଉଛି କର୍କଟ ରୋଗ ସଦୃଶ। ଦୁର୍ନୀତି ହେଉଛି ରାଷ୍ଟ୍ରର ପ୍ରଗତି ରେ ପ୍ରତିବନ୍ଧକ। ତେଣୁ ଦେଶର ଭବିଷ୍ୟତ ତଥା ଯୁବପିଢୀ ସଚେତନ ନାଗରିକ ଭାବେ ନିଜକୁ ପ୍ରସ୍ତୁତ କରି ସମାଜ ଗଠନରେ ସାମିଲ କରିବାକୁ ଅନୁପ୍ରାଣିତ କରିଛନ୍ତି। ସରକାର ଶାସନଗତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ୫ଟି ଓ ସୂଚନା ଅଧିକାର ଆଇନ କୁ କାର୍ଯ୍ୟକାରୀ କରୁଛନ୍ତି। ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଦ୍ୱାରା ସ୍ବଚ୍ଛତା ଅବଲମ୍ବନ ହୋଇପାରିବା ସହ ଜନସାଧାରଣ ତ୍ୱରିତ ନ୍ୟାୟ ପାଇ ପାରୁଛନ୍ତି ବୋଲି ମଧ୍ୟ ସେ ମତ ରଖିଛନ୍ତି।

ମାଲକାନଗିରି ଭିଜିଲାନ୍ସ ଡିଏସପି ଶ୍ରୀ ପାଣି ଏ ବର୍ଷର ବାର୍ତ୍ତା ” ଦୁର୍ନୀତିକୁ ବିରୋଧ କରିବା, ରାଷ୍ଟ୍ର ପ୍ରତି ସମର୍ପିତ ରହିବା” ଉପରେ ଆଲୋକପାତ କରିଥିଲେ। ସରକାରଙ୍କ ଉପଲବ୍ଧ ବ୍ୟବସ୍ଥାକୁ ନେଇ ନିସ୍ୱାର୍ଥପର ଭାବେ ଦାୟିତ୍ବ ନିର୍ବାହ କରି ସମାଜ ପାଇଁ କିଛି ଭଲ କାର୍ଯ୍ୟ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତେ ସଚେତନ ହୋଇ ଲାଞ୍ଚ ଗ୍ରହଣ କରିବା ଓ ଲାଞ୍ଚ ଦେବା ପ୍ରଥାକୁ ପ୍ରତିରୋଧ କରିବା ସହ ଲୋକମାନଙ୍କୁ ଏକ ମୂଲ୍ୟବୋଧଭିତ୍ତିକ ସେବା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଯୋଗାଇ ଦେବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ, ବକ୍ତୃତା ଓ କାର୍ଟୁନ୍ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପ୍ରାରମ୍ଭ ରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଉଦ୍ଦିଷ୍ଟ ଥିବା ଶପଥ ପାଠ କରାଇଥିଲେ। ପୂର୍ବାହ୍ନରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, ଏନ ସି ସି ଛାତ୍ର, ମିଶନ ଶକ୍ତି ସଦସ୍ୟା, ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ଆୟୋଜନ କରଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ସଭା କାର୍ଯ୍ୟ ପରିଚାଳନା କରିବାରେ ମାଲକାନିଗିରି ଦୁର୍ନୀତି ନିବାରଣ ବିଭାଗର ଇନ୍ସପେକ୍ଟର ସୂର୍ଯ୍ୟକାନ୍ତି ଟାକ୍ରୀ, ଏପିଡି, ମାନସ ମିଶ୍ର, ବାଲାଜୀ ପଟ୍ଟନାୟକ, ଡ଼ଃ ରଞ୍ଜନ ସ୍ୱାଇଁ, ଡିପିଏମ, ମିଶନ ଶକ୍ତି, ନିରଞ୍ଜନ ଦୋରା, ହରେକୃଷ୍ଣ କୀର୍ତ୍ତନିଆ, ରଞ୍ଜନ ମହାନ୍ତି ତଥା ଭିଜିଲାନ୍ସ ୟୁନିଟ ମାଲକାନଗିରିର କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.