ପ୍ରଦୀପ୍ତ ପରିଡ଼ା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ନେଉଳପୁର ଚାମ୍ପିଅନ୍
ବଡ଼ଚଣା: ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ମା’ମଲ୍ୟାଶୁଣୀ କ୍ରିକେଟ ଆସୋସିଏସନ୍ ଆନୁକୁଲ୍ୟରେ ପ୍ରଥମ ବାର୍ଷିକ ପ୍ରଦୀପ୍ତ କୁମାର ପରିଡ଼ା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ନେଉଳପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୧୫୭ ରନ କରିଥିଲା । ଜବାବରେ ତୁରଙ୍ଗ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ଉଇକେଟ୍ ହରାଇ ମୋଟ ୧୦୭ ରନ୍ କରି ପରାସ୍ତର ସମ୍ମୁଖୀନ ହୋଇଥିଲା । ଫାଇନାଲ ଖେଳକୁ ମହେନ୍ଦ୍ର ସାମଲ ଓ କମଳ ଲୋଚନ ବିଶ୍ଵାଳ ପରିଚାଳନା କରିଥିଲେ । ଏହି ଅନ୍ତିମ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ସମ୍ମାନିତ ଅତିଥି ଭାବେ ଏସ.ସି.ବି ମେଡିକାଲର ପ୍ରଫେସର ଡ. ପ୍ରଶାନ୍ତ କୁମାର ପରିଡ଼ା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ନିରୁପମା ପରିଡ଼ା, ସିନେ ତାରକା ଶିବାନୀ ସଙ୍ଗୀତା, ସୂର୍ଯ୍ୟ ସରକାର ପ୍ରମୁଖ ଯୋଗ ଦେଇ ଚାମ୍ପିଅନ୍ ଟିମ୍ ନେଉଳପୁର ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ. ସୁଧୀର ଚନ୍ଦ୍ର ସାମଲ ଅଧ୍ୟକ୍ଷତା କରିଥିବା ବେଳେ ଖେଳକୁ ଭାଗିରଥି ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଦେବେନ୍ଦ୍ର ପଣ୍ଡା ଖେଳଟିକୁ ଭାଷ୍ୟକାର ଭାବେ କାମ ତୁଲାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଦୀର୍ଘ ୧୫ ଦିନ ଚାଲିଥିବା ବେଳେ ରବିବାର ଫାଇନାଲ ହୋଇ ଶେଷ ହୋଇଛି । ଆସୋସିଏସନର ସମସ୍ତ କର୍ମକର୍ତ୍ତା ଏହି ଟୁର୍ଣ୍ଣାମେଣ୍ଟକୁ ସୁରୁଖୁର ଭାବେ କରିଥିବାରୁ ସମସ୍ତ ଅତିଥି ଧନ୍ୟବାଦ ଦେବା ସହ ଖେଳକୁ ଆହୁରି ଆଗକୁ ନେବା ପାଇଁ ପ୍ରେରଣା ଦେଇଥିଲେ ।