ହସ୍ପିଟାଲର ‘ଏସି’ କ୍ୟାବିନରେ ଶୋଇଲେ ବିଧାୟକ । ବାହାରେ ଛଟପଟ ହେଲା ଛୋଟଛୁଆ !

ତିଲେଇବଣୀ ବ୍ଲକ ବିଡିଓଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ । ହେଲେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେହି ଏସି କ୍ୟାବିନରେ ଚିକିତ୍ସିତ ହେଉଥିଲା ନିଆଁରେ ପୋଡି ଗୁରୁତର ଥିବା ୮ବର୍ଷୀୟ ଶିଶୁ କନ୍ୟା । ର୍ଦୁଭାଗ୍ୟ କହିବା ନା ଭିଆଇପି କଲଚର, ଜଳାପୋଡା ଯନ୍ତ୍ରଣାରେ ଛଟପଟ ହେଉଥିବା ଶିଶୁକନ୍ୟାକୁ ବିଧାୟକଙ୍କ ପାଇଁ ରାତାରାତି ଜେନେରାଲ ୱାର୍ଡକୁ ବିଦା କରିଦେଇଥିବା କହିଛନ୍ତି ଶିଶୁ କନ୍ୟାଙ୍କ ଅଜା-ଆଇ ।

ବାରକୋଟ ବ୍ଲକ ଅନ୍ତର୍ଗତ ଚକ୍ରପାଲି ଗ୍ରାମର ଗୋବିନ୍ଦ ନାୟକଙ୍କ ୮ ବର୍ଷୀୟ କୁନି ଝିଅ ସ୍ନେହା । ବାପ-ଛେଉଣ୍ଡ ସ୍ନେହା ଦୁର୍ଘଟଣାବଶତଃ ନିଆଁ ପୁଇଁଲାବେଳେ ପୋଡ଼ିଗଲା । ଏ ସମ୍ପର୍କରେ ଦେବଗଡ଼ ଜିଲ୍ଲାପାଳ ସୂଚନା ପାଇବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ବ୍ଲକ ପ୍ରଶାନକୁ ସ୍ନେହାର ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପ୍ରଶାସନ ସ୍ନେହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ୱତନ୍ତ୍ର ଏସି କ୍ୟାବିନ ସହ ମାଗଣା ଚିକିତ୍ସା ଯୋଗାଇ ଦେଉଛନ୍ତି କର୍ତ୍ତୁପକ୍ଷ । କିନ୍ତୁ ଗତ ୧ ତାରିଖ ଦିନ ଗିରଫ ବିଧାୟକ ଜେଲ ଯିବା ପୂର୍ବରୁ ଅସୁସ୍ଥ ଅନୁଭବ କରିଥିଲେ । ତେଣୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ପୂର୍ବରୁ ଚିକିତ୍ସାଧିନ ଗୁରୁତର ଶିଶୁ କନ୍ୟାକୁ ଉକ୍ତ କୋଠରୀରୁ ବାହାର କରି ବିଧାୟକଙ୍କ ପାଇଁ ବ୍ୟବସ୍ଥା କରିଦେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏହାକୁ ବିଭିନ୍ନ ମହଲରେ ନାପସନ୍ଦ କରା ଯାଇଛି । ଏନେଇ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅବଗତ ନଥିବା କହିଛନ୍ତି ।

Leave A Reply

Your email address will not be published.