ବୌଦ୍ଧରେ ବିଶ୍ୱ ରେଡକ୍ରସ ଦିବସ ପାଳିତ


ଅଦ୍ୟ ତା ୦୮ା୦୫ା୨୦୨୨ ରିଖ ଦିନ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୭ ଘଂଟା ସମୟରେ ଜିଲା ସଂଗ୍ରହାଳୟ ସମ୍ମୁଖରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଟାଉନହଲ ଠାରେ ପହଂଚିଥିଲା । ଏଥିରେ ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା, ମଡେଲ ଡିଗ୍ରୀ କଲେଜ ବାମଣ୍ଡା, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ଏନସିସି ବେଣ୍ଡ ଦଳ ସାମିଲ ହୋଇ ପ୍ଲା କାର୍ଡ ଓ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।

ଟାଉନହଲଠାରେ ଆୟୋଜିତ ବିଶ୍ୱ ରେଡକ୍ରସ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ରେଡକ୍ରସ ପତାକା ଉତୋଳନ କରିବା ସହିତ ଶପଥ ପାଠ କରାଇଥିଲେ । ପରେ ଆୟୋଜିତ ରକ୍ତଦାନ ଶିବିରରେ ଜିଲ୍ଲାପାଳ ଶ୍ରୀମିଶ୍ର ପ୍ରଥମେ ରକ୍ତଦାନ କରିଥିଲେ । ଏହି ଅବସରରେ ଆୟୋଜିତ ଆଲୋଚନା ସଭାରେ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀମିଶ୍ର ଯୋଗଦେଇ ସେବାକୁ ଆଧାର କରି ଛାତ୍ର ଜୀବନରୁହିଁ ଦେଶର ସେବା କରିବାକୁ ଆଗେଇ ଆସିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଅତିରକ୍ତ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ,ଉପଜିଲ୍ଲାପାଳ ସନତ କୁମାର ନାଏକ,ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ଯୋଗଦେଇ ରକ୍ତଦାନ କାର୍ଯ୍ୟକ୍ରମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ରେଡକ୍ରସର ସମସ୍ତ ଆଜୀବନ ସଦସ୍ୟ, ଆୟୋଜିତ ପ୍ରତିଯୋଗତାର କୃତୀ ପ୍ରତିଯୋଗୀ,ରକ୍ତଦାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ସ୍ୱେଛାସେବୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ ଅତିଥି ପରିଚୟ,ସ୍ୱାଗତଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିବାବେଳେ ସ୍ଥପତି ସୁମନ ଷଡଙ୍ଗୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୧୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବାବେଳେ ଜିଲା ପ୍ରଶାସନର ଅଧିକାରୀମାନେ ବହୁଳ ସଂଖ୍ୟାରେ ଏଥିରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.